ସାନଖେମୁଣ୍ଡି ତହସିଲଦାରଙ୍କ ମେଡିକାଲ ଷ୍ଟୋର ଓ କ୍ଳିନିକରେ ତନାଘନା

0
515

ଗଞ୍ଜାମ:ନକଲି ଡାକ୍ତରଙ୍କ ଗିରଫ ପରେ ବୁଧବାର ଦିନ ପୁଣି ସାନଖେମୁଣ୍ଡି ତହସିଲଦାର ଡ଼. ଶ୍ରୀନିବାସ ବେହେରା ଡେଙ୍ଗାଓସ୍ତା ବଜାରରେ ରହିଥିବା ବିଭିନ୍ନ ବେସରକାରୀ କ୍ଳିନିକ ଓ ମେଡିକାଲ ଷ୍ଟୋର ଅତର୍କିତ ଚଢ଼ାଉ କରିଥିବା ଜଣାପଡିଛି । ଖବରପ୍ରକାରେ , ଗତ ଦୁଇଦିନ ତଳେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼. ଶ୍ରବଣ ବିବେକ ଏମ୍ ଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ପୋଲିସ ଡେଙ୍ଗାଓସ୍ତା ଅଞ୍ଚଳରେ ବେଆଇନ ଭାବେ ଖୋଲିଥିବା କ୍ଳିନିକ ଉପରେ ଚଢ଼ାଉ କରି ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାଙ୍କୁ ଗିରଫ କରିଥିଲା । ତେବେ ଆଜି ପୁଣିଥରେ ତହସିଲଦାର ଶ୍ରୀ ବେହେରା ଓ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଇନଚାର୍ଜ ଡାକ୍ତର ଡଃ. ବାହାନ ଦାସ ଡେଙ୍ଗାଓସ୍ତା ବଜାରରେ ରହିଥିବା ବବୁଲ କ୍ଳିନିକ , ସାହାରା ନର୍ସିଂ ସୋମ ସମେତ ଭରତ ଡେଣ୍ଟାଲ କ୍ଳିନିକ ସହ ୩ ଟି ମେଡିସିନ ଦୋକାନ ଉପରେ ଅତର୍କିତ ଚଢ଼ାଉ କରି କାଗଜପତ୍ର ଯାଞ୍ଚ କରିଥିଲା । ତେବେ ଚଢ଼ାଉ ପୂର୍ବରୁ ଅନ୍ୟ ମେଡିସିନ ଷ୍ଟୋର ଭୟରେ ଦୋକାନ ବନ୍ଦ କରି ଦେଇଥିଲେ। ତହସିଲଦାରଙ୍କ ଏହି ଚଢାଉ ସମୟରେ ଦୁଇଟି କ୍ଳିନିକର କାଗଜପତ୍ର ସଠିକ ରହିଥିବା ବେଳେ ଭରତ ଡେଣ୍ଟାଲ କ୍ଳିନିକର କୌଣସି ଲାଇସେନ୍ସ ନଥିବା ବେଳେ ବେଆଇନ ଭାବେ କ୍ଳିନିକରେ ଅପରେସନ ଠାରୁ ଅଲଟ୍ରାସାଉଣ୍ଡ ଭଳି ମେସିନ ରହିଥିବା ସୂଚନା ମିଳିଛି । ତେବେ ଏହି କ୍ଳିନିକର ମାଲିକ ହେଉଛନ୍ତି ଜଣେ ସରକାରୀ କର୍ମଚାରୀ । ସେ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ପୋଡାମାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ବୋଲି ଜଣାପଡିଛି । ଘଟଣାପରେ ତହସିଲଦାର ଉକ୍ତ କ୍ଳିନିକକୁ ସିଲ୍ କରିଥିବା ବେଳେ ମାଲିକଙ୍କୁ ଥାନାରେ ପଚାରଉଚୁରା ଜାରି ରଖିଥିବା ସୂଚନା ଆସୁଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here