ଖମ୍ବାରୀ ଗାଁ ପୂର୍ବତନ ସରପଞ୍ଚ ପ୍ରତିନିଧିଙ୍କ ମୃତ୍ୟୁ : ଦୁର୍ଘଟଣା ନା ହତ୍ୟା ସନ୍ଦେହରେ ଗ୍ରାମବାସୀ

0
671

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମ୍ବାରିଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରତିନିଧି ତଥା ବିଜେଡି ଯୁବନେତା ଲଳିତ ମୋହନ ମହାପାତ୍ରଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଯାଇଛି । ତେବେ ଏହା ଦୁର୍ଘଟଣା ନା ତାଙ୍କୁ ଗାଡ଼ି ଧକ୍କା ମାରି ହତ୍ୟା କରାଯାଇଛି ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି ।ଖବରନୁଯାୟୀ , ଗତକାଲି ସଂଧ୍ୟାରେ ଖମ୍ବାରିଗାଁ ଗ୍ରାମ ନିକଟ ଶଙ୍କରଖାଳି ଛକଠାରେ ମୋହନ ଏବଂ ସେହି ଖମ୍ବାରିଗାଁ ଗ୍ରାମର ରାମକୃଷ୍ଣ ମିଶ୍ର ନାମକ ଅନ୍ୟ ଜଣେ ଯୁବକଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ସୃଷ୍ଟି ହୋଇ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ଏହାପରେ ସେଠାରେ ଥିବା କିଛି ଲୋକଙ୍କ ହସ୍ତକ୍ଷେପ ପରେ ଗଣ୍ଡଗୋଳ ବନ୍ଦ ରହିଥିଲା । ପରେ ସେଠାରୁ ମୋହନ ନିଜ ବୁଲେଟ୍ ଗାଡ଼ିରେ ଖମ୍ବାରୀ ଗାଁ ଘରକୁ ଫେରୁଥିବା ସମୟରେ ଉତ୍ଯକ୍ତ ଅବସ୍ଥାରେ ରହିଥିବା ରାମକୃଷ୍ଣ ହତ୍ୟା ଉଦ୍ଦେଶ୍ୟରେ ନିଜ କାରରେ ମୋହନଙ୍କୁ ପିଛା କରିଥିଲେ । ଖମ୍ବାରିଗାଁ ସ୍କୁଲ ଏବଂ ପଞ୍ଚାୟତ ମଧ୍ଯବର୍ତ୍ତୀ ସ୍ଥାନରେ ରାମକୃଷ୍ଣଙ୍କ କାର୍ ମୋହନଙ୍କ ବୁଲେଟକୁ ପଛପଟୁ ଧକ୍କା ଦେବାପରେ ମୋହନ ରାସ୍ତା କଡରେ ଥିବା ଏକ ନଡ଼ିଆ ଗଛରେ ଜୋରରେ ପିଟିହୋଇ ଯାଇଥିଲେ । ଘଟଣା ସ୍ଥଳରୁ ନିଜେ ରାମକୃଷ୍ଣ ମୋହନଙ୍କୁ ଉଦ୍ଧାର କରି ନିଜ ଗାଡିରେ ଆଣି ଦିଗପହଣ୍ଡି ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଉପସ୍ଥିତ ଡାକ୍ତର ମୋହନଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ରାମକୃଷ୍ଣ ସ୍ବାସ୍ଥ୍ଯକେନ୍ଦ୍ର ବେଡରେ ମୋହନଙ୍କୁ ଏକାକୀ ଛାଡି ଗାଡ଼ିରେ ଫେରାର ହୋଇଯାଇଥିଲେ । ଘଟଣା ପରେ ମୋହନଙ୍କ ସମ୍ପର୍କୀୟ ଓ ବହୁ ବିଜେଡି ନେତା ସ୍ବାସ୍ଥ୍ଯକେନ୍ଦ୍ରରେ ପହଞ୍ଚିଥିଲେ । ଘଟଣା ନୂଆଗାଁ ଥାନା ଅଧୀନରେ ଘଟିଥିଲେ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ନୂଆଗାଁ ପୋଲିସ ପହଞ୍ଚି ନଥିବା ଜଣାପଡିଛି ।ତେବେ ଦିଗପହଣ୍ଡି ଆଇଆଇସି ଦିପ୍ତିରଞ୍ଜନ ବେହେରା ସ୍ବାସ୍ଥ୍ଯକେନ୍ଦ୍ରରେ ପହଞ୍ଚି ପ୍ରତ୍ଯକ୍ଷଦର୍ଶୀଙ୍କ ଠାରୁ ସୂଚନା ସଂଗ୍ରହ କରୁଥିବା ଜଣାପଡିଛି । ଏହି ଘଟଣା ପରେ ଖମ୍ବାରିଗାଁ ପଞ୍ଚାୟତ ସମେତ ସମଗ୍ର ଦିଗପହଣ୍ଡି ଅଞ୍ଚଳରେ ରାଜନୈତିକ ଉତ୍ତେଜନା ପ୍ରକାଶ ପାଇଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here