ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

0
185

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିଷ୍ପତ୍ତି କ୍ରମେ ସୋମବାର ଦିନ ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସାମାଜିକ ସମୀକ୍ଷା ଉତ୍ତର ଦାୟିତ୍ଵ ଓ ସ୍ବଚ୍ଛତା ସମିତି ଆନୁକୁଲ୍ୟରେ ଆୟୋଜିତ ଶିବିରରେ ଡେପୁଟି ସବ କଲେକ୍ଟର ଭାଗ୍ଯଶ୍ରୀ ରଥ ଯୋଗ ଦେଇଥିବା ବେଳେ ବ୍ଳକ ଉନ୍ନୟନ ଅଧିକାରୀ ଚିତ୍ତରଞ୍ଜନ ଦାସ ଅଧ୍ୟକ୍ଷତା କରିଥିଲେ । ସେହିପରି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ରଥ , ଏପିଓ ସନ୍ତୋଷ କୁମାର ସାହୁ , ଜିଲ୍ଲା ସାମାଜିକ ସମୀକ୍ଷକ ରବିନ୍ଦ୍ରନାଥ ମଲାଣ ମଧ୍ୟ ମଞ୍ଚାସୀନ ରହିଥିଲେ। ଏହି ଅବସରରେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ୨୫ ଗୋଟି ପଞ୍ଚାୟତର ଆର୍ଥିକ ବର୍ଷ ଏପ୍ରିଲ ୧, ୨୦୨୨ ଠାରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ( ଗ୍ରାମୀଣ ) ର ଜନଶୁଣାଣୀ ହୋଇଥିଲା । ଏଥିସହ ପଞ୍ଚାୟତର ବିଭିନ୍ନ ବିଭାଗର ଦାୟିତ୍ବରେ ରହିଥିବା ଅଧିକାରୀ ମାନେ ଆର୍ଥିକ ବର୍ଷରେ କେତେ ପରିମାଣର ପ୍ରକଳ୍ପ ଅନୁମୋଦନ ହୋଇଛି ସେଥିରୁ କେତେ କାର୍ଯ୍ୟକାରୀ ହୋଇପାରିଛି ତାହା ଜନଶୁଣାଣୀରେ ଦର୍ଶାଇଥିଲେ । ତେବେ ବଡଡୁମ୍ବୁଳା ପଞ୍ଚାୟତର ଦଲି ମହୁଲପଡା ଗ୍ରାମରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟକାରୀ ଗୋଟିଏ ପୋଖରୀ ନାମରେ ୩ ଥର ଅର୍ଥ ମଞ୍ଜୁର କରାଯାଇଥିବା ଏବଂ ପଞ୍ଚାୟତରେ ବିନା ଗ୍ରାମସଭା ବୈଠକରେ ପ୍ରକଳ୍ପ ଗୁଡ଼ିକ ମଞ୍ଜୁର କରାଯାଇଥିବା ସରପଞ୍ଚ ଗୀତାଞ୍ଜଳି ଜାନୀ ଓ ସମିତି ସଭ୍ୟ ରମେଶ ଚନ୍ଦ୍ର ପାଢ଼ୀ ଅଭିଯୋଗ କରିଥିଲେ । ସେହିପରି ଚଷା ନିମଖଣ୍ଡି ପଞ୍ଚାୟତରେ ଆବାସ ଯୋଜନା ମାଧ୍ୟମରେ ନିର୍ମାଣ ହୋଇଥିବା ପାଇଖାନା ପ୍ରାପ୍ୟ ରାଶି ହିତାଧିକାରୀଙ୍କୁ ମିଳୁନଥିବା ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୈାଡ ଅଭିଯୋଗ କରିଛନ୍ତି । ଏଥିସହ କରପଡା ଓ ବଡଡୁମ୍ବୁଳା ପଞ୍ଚାୟତରେ ଉଦ୍ୟାନ ବିଭାଗ ପକ୍ଷରୁ କାର୍ଯ୍ୟ କରାଯାଇଥିବା ଶ୍ରମିକ ମାନଙ୍କ ପାରିଶ୍ରମିକ ମୂଲ୍ୟ ମିଳୁନଥିବା କରପଡା ସରପଞ୍ଚ ଫନେନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ ଜଣାଇଥିଲେ । ଶେଷରେ ବ୍ଳକ ଅଧିନସ୍ଥ ୨୫ ଗୋଟି ପଞ୍ଚାୟତ ରହିଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ କମ୍ ନିଯୁକ୍ତି ପାଇଥିବା ଯୋଗୁଁ ୪ ଗୋଟି ପଞ୍ଚାୟତକୁ ଜଣେ ମାତ୍ର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଯାହାଫଳରେ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟରେ ବିଳମ୍ବ ହୋଇ ଆସୁଥିବା ନେଇ ଜନ ପ୍ରତିନିଧି ମାନେ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ଏହାର ସମାଧାନ ଦିଗରେ ଦୃଷ୍ଟି ଦେବାପାଇଁ ଶୁଣାଣିରେ ଅଭିଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ସାମାଜିକ ସମୀକ୍ଷକ ଶଙ୍କର ମିଶ୍ର , ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ , ଗ୍ରାମ ରୋଜଗାର ସେବକ ଓ ସରପଞ୍ଚ ଓ ସରପଞ୍ଚ ପ୍ରତିନିଧି ମାନେ ଉପସ୍ଥିତ ରହିଥିବା ବେଳେ ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀ ଅନୁପସ୍ଥିତ ରହିଥିବା ଜଣାପଡିଛି।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here