ଆସ୍କା ବ୍ଲକ ଚାଷର ଉନ୍ନତି କଳ୍ପେ ବୈଷୟିକ ବୈଠକ , ଗଞ୍ଜାମ ଜିଲ୍ଲାର ଚାଷୀ ଚାଷ କାର୍ଯ୍ୟରେ କୁଶଳୀ – ଜିଲ୍ଲାପାଳ

0
202

ଛତ୍ରପୁର : କୃଷିର ଉନ୍ନତି କଳ୍ପେ ଚାଷ କାର୍ଯ୍ୟର ଆବଶ୍ୟକତା ପୂରଣ ହୋଇ ପାରିଲେ ଚାଷୀକୁଳ ଅଧିକ ସ୍ବାବଲମ୍ବୀ ହୋଇ ପାରିବେ । ବିଶେଷ କରି ଚାଷୀ ଯାହା ଚାଷ କରେ ସେଥି ସକେଶେ ଉତ୍ତମ ମାନର ଚାରା, ଚାଷ କାର୍ଯ୍ୟ ସକାଶେ ବୈଷୟିକ ଜ୍ଞାନ, ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା ନିମନ୍ତେ ବଜାର ସହିତ ସଂଯୋଗ ଚାଷୀ ଙ୍କୁ ଋଣ ର ରିହାତି ଇତ୍ୟାଦି ସମସ୍ତ ବ୍ୟବସ୍ଥା କରିବା ନେଇ ଆଜି ଜୁମ୍ ଆଭାସୀ ବୈଠକରେ ଗୁରୁତ୍ବ ଆରୋପ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସ୍କା ବ୍ଲକ୍ ର ଚାଷର ଉନ୍ନତି ଦିଗରେ ସୁବିସ୍ତୃତ ଆଲୋଚନା ହୋଇଯାଇଛି । ପ୍ରାରମ୍ଭରେ ଚାଷ କାର୍ଯ୍ୟରେ ନିୟୋଜିତ ଥିବା ଚାଷୀମାନଙ୍କ ପ୍ରତିନିଧି ମାନଙ୍କ ଠାରୁ ସେମାନେ କେଉଁ ଚାଷ କରୁଛନ୍ତି, କେତେ ଏକର ଜମିରେ ଚାଷ କରୁଛନ୍ତି, ଧାନ ସହିତ କେଉଁ ସବୁ ଅଣ ଧାନ ଚାଷ କରୁଛନ୍ତି ସେମାନଙ୍କ ଉତ୍ପାଦିତ ମତ୍ସ୍ୟ, ଶସ୍ୟ ଓ ପନିପରିବା କିଭଳି ବିକ୍ରି କରୁଛନ୍ତି ଏ ଦିଗରେ କଣ ସବୁ ସମସ୍ୟା ମାନ ଦେଖା ଦେଉଛି ତାହା ଜିଲ୍ଲା ପରିଷଦର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କୀର୍ତ୍ତି ଭାସନ୍ ଭି ପଚାରି ବୁଝିଥିଲେ । ଆସ୍କା ଅଞ୍ଚଳରେ ଆଖୁ ଚାଷ ଭଲ ହୁଏ କିନ୍ତୁ କେତେକ ବୈଷୟିକ ଅଭାବ ଜନିତ କାରଣ ଯୋଗୁଁ ଆଖୁଚାଷ ସକାଶେ କୃଷକଗଣ ଆଖୁଚାଷ କରିବା ନିମନ୍ତେ ଆଗଭର ହେଉ ନଥିବା ଜଣା ପଡିଥିଲା । ୮୫ ହେକ୍ଟର ଜମିରେ ଆଖୁ ଚାଷ ହୋଇ ପାରିଲେ ଆଖୁ ଶିଳ୍ପ ନିମନ୍ତେ ଆବଶ୍ୟକତା ରହୁଥିବା ଆଖୁର ଆବଶ୍ୟକତା ମେଣ୍ଟାଯାଇପାରିବ । କିନ୍ତୁ ବର୍ତ୍ତମାନ ୬୦ ହେକ୍ଟର ନିମନ୍ତେ ଚାରା ଯୋଗାଇ ଦିଆଯାଇଛି, ଯାହାକି ଯଥେଷ୍ଟ ହେଉ ନାହିଁ । ଏହାକୁ ବୃଦ୍ଧି କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ ପରିଡା ଗୁରୁତ୍ବ ଦେଇ ଜଣାଇଥିଲେଯେ, ଯେଉଁ ଅଞ୍ଚଳରେ ଉନ୍ନତମାନର ଚାରା ମିଳୁଛି ସେହିଠାରୁ ଚାରା ସଂଗ୍ରହ କରି ଜିଲ୍ଲାର ଆଖୁଚାଷୀକୁ ଯୋଗାଇଦେବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉ । ଆଖୁ ଚାଷର ସୁରକ୍ଷା ସକାଶେ ବଣ୍ୟ ପ୍ରାଣୀଙ୍କ ଠାରୁ ଦୂରରେ ରଖାଯାଉ ଏବଂ ଆଖୁ ଚାଷ ନିମନ୍ତେ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ନେଇ ସମସ୍ତ ବ୍ୟବସ୍ଥା କରିବା ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକୁ ଗୁରୁତ୍ବ ଦେଇ ତ୍ବରାନ୍ବୀତ କରିବାକୁ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କୃଷି ଉଦ୍ଯୋଗ ଯୋଜନାରେ ବିଭିନ୍ନ ଫସଲର ଚାଷୀଙ୍କୁ ସଂପୃକ୍ତ କରାଯାଉ ଏବଂ ଗୋଟିଏ ଗୋଟିଏ କ୍ଲଷ୍ଟର କରି ଚାଷ କାର୍ଯ୍ୟ କରାଗଲେ ଚାଷୀକୁଳଙ୍କୁ ଉନ୍ନତ ମାନର ଚାରା ଯୋଗାଇ ଦେଲେ ଚାଷକାର୍ଯ୍ୟ ଭଲ ହେବ ଅବଂ ବିକ୍ରିବଟା ସକାଶେ ଭଲ ବଜାର ସୁବିଧା ପାଇବେ । ଯାହା ଫଳରେ କିଣିବା ସକାଶେ ଆସୁଥିବା ବେପାରି କିମ୍ବା ଶିଳ୍ପସଂସ୍ଥା ଗୁଡିକର ପରିବହନ ଖର୍ଚ୍ଚ କମ୍ ହେବ ଓ ଗୋଟିଏ ସ୍ଥାନରୁ ସେମାନେ ବହୁତ ପରିମାଣର ସାମଗ୍ରୀ ପାଇବାର ସୁଯୋଗ ପାଇଲେ ଏ ଦିଗରେ ଆଗ୍ରହୀ ହେବେ । ଚାଷୀକୁଳ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇବେ ଓ ସେମାନେ ଅଧିକ ଲାଭାନ୍ବୀତ ହେବେ । ଆଜିର ବୈଠକରେ ଓଡିଶା ଜୀବୀକା ମିଶନ୍ ଅନ୍ତର୍ଗତ କୃଷି ବିଭାଗ, ଉଦ୍ୟାନ କୃଷି, ମତ୍ସ୍ୟ ସମ୍ପଦ, ମୃତ୍ତିକା ସଂରକ୍ଷଣ, ପଶୁ ସମ୍ପଦ ପ୍ରଭୃତି ବିଭାଗର କୃଷି ସମ୍ପର୍କିତ ଆଲୋଚନା ହୋଇ ଯାଇଛି । ବିଭିନ୍ନ ବିଭାଗକୁ ପ୍ରଦତ୍ତ ଲକ୍ଷ୍ୟ ଧାର୍ଯ୍ୟ ଯେପରି ଶତ ପ୍ରତିଶତ ପୂରଣ ହେବ ସେଦିଗରେ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ । ଦୁଗ୍ଧଜାତ ଦ୍ରବ୍ୟର ଚାହିଦା ରହୁଛି ଏଣୁ ଡାଇରି ଫାର୍ମକୁ ବୃଦ୍ଧି କରିବା ସକାଶେ ଚାଷିକୁ ପ୍ରୋତ୍ସାହିତ କରାଯାଉ । କ୍ଲଷ୍ଟର କରି ଚାଷୀ ଏବଂ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଦ୍ବାରା କରାଗଲେ ଗୋଟିଏ ପଏଣ୍ଟରୁ ବେପାରୀଗଣ ବା କ୍ଷୀର ସଂଗ୍ରହ କରି ନେଉଥିବା ଶିଳ୍ପ ଗୁଡିକ ସୁବିଧାରେ କ୍ଷୀର ନେଇ ପାରିବେ । ଆସ୍କା ଅଞ୍ଚଳରେ ଅଧିକ ପୋଖରୀ ରହିଛି । ସବୁ ଗ୍ରାମ ପଞ୍ଚାୟତରେ ରହିଥିବା ପୋଖରୀ ଗୁଡିକୁ ନେଇ କ୍ଲଷ୍ଟର କରାଯାଇ ମୁଖ୍ୟମନ୍ତ୍ରୀ ଉଦ୍ୟୋଗ ଯୋଜନାରେ ସାମିଲ କରିବାକୁ କୁହାଯାଇଛି ।
ବୈଠକରେ ଆସ୍କା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫକୀର ଚରଣ ପରିଡା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦିଲ୍ଲୀପ କୁମାର ଖୁଣ୍ଟିଆ, ପଶୁ ସମ୍ପଦ ଅଧିକାରୀ ଦେବରାଜ ବେହେରା, ଓଡିଶା ଜୀବୀକା ମିଶନ୍ ଜିଲ୍ଲା ଯୋଜନା ପରିଚାଳକ ନବୀନ ସେନାପତି ଏବଂ କୃଷକ ପ୍ରତିନିଧିଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here