ଭଞ୍ଜନଗର ସହରକୁ ସ୍ୱାଗତ କରୁଛି କୁଢ଼ କୁଢ଼ ଅଳିଆ ଆବର୍ଜନା ; ସବୁ ଜାଣି ଚୁପ ଏନଏସି ପ୍ରଶାସନ

0
414

ଭଞ୍ଜନଗର: ଭଞ୍ଜନଗର ସହରକୁ ସରସ ସୁନ୍ଦର କରି ଗଢି ତୋଳିବାକୁ ଏନଏସି ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। କଳା ସାହିତ୍ୟ ଓ ସଂସ୍କୃତିର ସହରରେ ଭାବେ ସାରା ରାଜ୍ୟରେ ଭଞ୍ଜନଗର ଅନ୍ୟତମ କିନ୍ତୁ ସହରର ପ୍ରବେଶ ଦ୍ୱାରା ରେ କୁଢ଼ କୁଢ଼ ଆବର୍ଜନା ପଯ୍ୟଟକ ମାନଙ୍କର ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସହର ଦେଇ ଯାଇଥିବା ୧୫୭ନଂ ଜାତୀୟ ରାଜପଥ କଡ଼ରେ ଗଦା ହେଉଛି ଭଞ୍ଜନଗର ସହରରୁ ବାହାରୁ ଥିବା କୁଢ଼ କୁଢ଼ ଅଳିଆ ଆବର୍ଜନା। ପରିବେଶ ଓ ପରିମଳ ସଫା ରଖିବା ନିମନ୍ତେ ଏନଏସି ପକ୍ଷରୁ ସହରକୁ ସଫା କରାଯିବା ସହ ଅଳିଆ ଗାଡି ସାହାଯ୍ୟରେ ଆବର୍ଜନା ସଂଗୃହୀତ ହେଉଛି। ପାର୍କ ରାସ୍ତାରେ ଥିବା ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟରେ କିଛି ଅଳିଆ ପକା ଯାଉଥିବା ବେଳେ ବାକି ଆବର୍ଜନା ଭଞ୍ଜନଗର- ଫୁଲବାଣୀ ରାସ୍ତାର ଜାତୀୟ ରାଜପଥ କଡ଼ରେ ପକାଯାଉଛି। ଜାତୀୟ ରାଜପଥ କଡ଼ରେ ଆବର୍ଜନା ପଡିବା ଦ୍ୱାରା ଭଞ୍ଜନଗର ସହର ତାହାର ଶୋଭା ହରାଉଛି ଏବଂ ରାସ୍ତା ଦେଇ ଯିବା ଆସିବା କରୁଥିବା ଜନସାଧାରଣ ଓ ପଯ୍ୟଟକ ଦୁର୍ଗନ୍ଧ ରେ ହଇରାଣ ହେଉଛନ୍ତି। ଜାତୀୟ ରାଜପଥର ଗୋଟିଏ ପଟେ କୁଢ଼ କୁଢ଼ ଆବର୍ଜନା ଏନଏସି ପକ୍ଷରୁ ପକା ଯାଉଥିବା ବେଳେ ଅନ୍ୟ ପଟେ ରହିଛି ଅଞ୍ଚଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓ ନୂତନ ପରିବହନ କାଯ୍ୟାଳୟ। ଦୀର୍ଘ ୩ବର୍ଷ ରୁ ଅଧିକ ସମୟ ଧରି ଏଠାରେ ଆବର୍ଜନା ପକା ଯାଉଥିବା ବେଳେ ବହୁବାର ଅଭିଯୋଗ ଉଠିବା ସହ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇଛି। ଆଉ ସବୁ ଜାଣି ଏହାକୁ ଅଣଦେଖା କରି ଚାଲିଛି ଏନଏସି ପ୍ରଶାସନ। ବିଭିନ୍ନ ସମୟରେ ବର୍ଷା ପବନ ଯୋଗୁଁ କେତେକାଂଶରେ ଆବର୍ଜନା ନିକଟସ୍ଥ ଜଳ ଭଣ୍ଡାରରେ ମିଶୁଥିବା ବେଳେ ରାସ୍ତା ଦେଇ ଯିବା ସମୟରେ ଦୁର୍ଗନ୍ଧରେ ନିଶ୍ୱାସ ନେବା କଷ୍ଟକର ହୋଇ ପଡୁଛି। ଏଭଳି ଘଟଣା କୁ ନେଇ ଗୁରୁବାର ଜଣେ ଯୁବକ ସୋସିଆଲ ମିଡିଆରେ ଭିଡ଼ିଓ ଜାରି କରି କ୍ଷୋଭ ପ୍ରକାଶ କରିଛନ୍ତି। ସହରର ବିକାଶ ନାମରେ ଡିଣ୍ଡିମ ପିଟୁଥିବା ଏନଏସି ପ୍ରଶାସନ ଏଭଳି ସମସ୍ୟା ପ୍ରତି ଇଞ୍ଚେ ମଧ୍ୟ ପାଦ ଆଗକୁ ବଢାଉନଥିବା ଅତ୍ୟନ୍ତ ପରିତାପର ବିଷୟ ପାଲଟିଛି। ଯାହାକୁ ନେଇ ଅଞ୍ଚଳର ବୃଦ୍ଧିଜୀବୀ ଓ ପରିବେଶବିତ୍ ମାନେ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here