ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

0
265

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ୭୩ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ମିଳିତ ପ୍ୟାରେଡ ଦଳର ପରିଦର୍ଶନ ଓ ଅଭିବାଦନ ଗ୍ରହଣ କରି ଜିଲ୍ଲାବାସୀଙ୍କୁ ଜାତି ଓ ଦେଶ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ ଜିଲ୍ଲାପାଳ ଶ୍ରୀପଣ୍ଡା କହିଥିଲେ ଯେ, ଜାନୁଆରୀ ୨୬ ତାରିଖ ପରିବତ୍ର ସାଧାରଣ ତନ୍ତ୍ର ଦିବସ ଭାରତର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ସ୍ମରଣୀୟ ଦିବସ ଏବଂ ଆମ ଜାତି ଓ ଦେଶ ପାଇଁ ଏକ ଗୌରବମୟ ଦିବସ । ବିବିଧତା ମଧ୍ୟରେ ଏକତା ହେଉଛି ଜାତୀୟତା । ତେଣୁ ଏହି ପବିତ୍ର ଦିବସରେ ଜାତିର ପିତା ମାହତ୍ମାଗାନ୍ଧୀଙ୍କ ସମେତ ପ୍ରାଣବଳୀ ଦେଇଥିବା ସ୍ୱାଧୀନତା ସଂଗ୍ରାମୀ ଓ ଭାରତ ସମ୍ବିଧାନର ସଦସ୍ୟ ମହାପୁରୁଷ ମାନଙ୍କ ପ୍ରତି ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଭାରତର ସ୍ୱାଧୀନତା ଆନ୍ଦୋଳରେ ଓଡିଶାର ଗଜପତି ଜିଲ୍ଲାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବଣପାହାଡ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟମୟ ଏହି ଗଜପତି ଜିଲ୍ଲା ରାଜନୀତି ଠାରୁ ଆରମ୍ଭ କରି କଳା, ସଂସ୍କୃତି, ସଙ୍ଗୀତ, ସାହିତ୍ୟ ଓ ନାଟ୍ୟ ଜଗତରେ ବହୁ ପ୍ରତିଷ୍ଠା ଲାଭ କରିଥିବା ଏହି ମାଟିରେ ଜନ୍ମ ନେଇଛନ୍ତି ବହୁ ଯୁଗଜନ୍ମା । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପାରଳା ମହାରାଜା ଶ୍ରୀଶ୍ରୀଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ ବୋଲି କହିବା ସହ ସମ୍ବିଧାନ ମହାସଭାର ସଦସ୍ୟ ଭାବେ ବହୁମୂଲ୍ୟ ଯୋଗଦାନ ଦେଇ ବିଶ୍ୱର ସବୁଠାରୁ ବଡ ଗଣତାନ୍ତ୍ରିକା ରାଷ୍ଟ୍ରର ସମ୍ବିଧାନକୁ ଆହୁରି ସଶକ୍ତି କରିଥିଲେ । କେବଳ ସେତିକି ନୁହଁ ଆମ ଭୁମିର ମହାନ ସ୍ୱାଧୀନତା ସଂଗ୍ରାମି ଗୁରାଣ୍ଡିର ନାରାୟଣ ପାତ୍ର, ପାରଳାଖେମୁଣ୍ଡିର ମକରା ଲିମା, ବଳରାମ ପଣ୍ଡା, କାଶୀନଗରର କାନ୍ତା ରାଓ ପ୍ରମୁଖଙ୍କ ତ୍ୟାଗ ଫଳରେ ଆମେ ଆଜି ଗର୍ବିତ । ସେହି ସମସ୍ତ ମହାପୁରୁଷଙ୍କୁ ଆମର ପ୍ରଣାମ ବୋଲି କହିଥିଲେ । ତାହାଛଡା କରୋନାର ତୃତୀୟ ଲହରୀ ସମଗ୍ର ଦେଶରେ କାୟା ବିସ୍ତାର କରିଛି । ତେଣୁ ଆଜିର ଏହି ଶୁଭ ଅବସରରେ ଆମେ ସମସ୍ତେ ଶପଥ ନେବା ଯେ, ସମସ୍ତେ ମାସ୍କ ପରିଧାନ କରି ସାମାଜିକ ଦୂରତା ରକ୍ଷା କରିବାସହ କୋଭିଡ ଟିକା ନେବା ପାଇଁ ପରାମର୍ଶ ଦେଇଥିବା ସହ ଆମେ ସମସ୍ତ ଗଜପତିବାସୀ ଆମ ଜିଲ୍ଲା, ରାଜ୍ୟ ତଥା ଦେଶର ଉନ୍ନତି ପାଇଁ ମିଳିମିଶି କାର୍ଯ୍ୟ କରିବାପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ପ୍ରାତଃ ୫ଘଣ୍ଟା ସମୟରେ ଡ।।କବାଜି ଯନ୍ତ୍ରଯୋଗେ ସହରରେ ରାମଧୂନ ପରିକ୍ରମାକରାଯାଇଥିଲା । ଶେଷରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ସର୍ବସ୍ରେଷ୍ଠ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ଓ ଜିଲ୍ଲାସ୍ତରୀୟ ରଚନା ଓ କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟଅତିଥି ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ । ସେମାନେ ହେଲେ ବରିଷ୍ଠ ବିଭାଗରେ ରଚନା ପ୍ରତିଯୋଗିତାରେ ଗୁଣ୍ଡିମା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଶୁଭସ୍ମିତା ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟରେ ପାରଳାଖେମୁଣ୍ଡି ସ୍ଥିତ ଗଜପତି କେନ୍ଦ୍ରିୟ ବିଦ୍ୟାଳୟର ରୂପାଲି ରଥ ଏବଂ ତୃତୀୟ ସ୍ଥାନରେ କଇଠପଦର ସ୍ଥିତ ଓଏଭିର ଭୂମିକା ଚୌଧୁରୀ । କନିଷ୍ଠ ବିଭାଗରେ ମୋହନା ସ୍ଥିତ ସରକାରୀ ୟୁଜିଏଚ୍‌ଏସ୍ ବିଦ୍ୟାଳୟର ଯାଜ୍ଞସେନି ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟରେ ଅଲଡା ସ୍ଥିତ ଓଏଭିର ଗାୟତ୍ରୀ ଚୌଧୁରୀ ଦ୍ୱିତୀୟ ସ୍ଥାନ ଏବଂ ତୃତୀୟରେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସ୍ମୃତିରାଣୀ ଦେଓ । ସେହିପରି ବରିଷ୍ଠ କୁଇଜ ପ୍ରତିଯୋଗିତାରେ ପାରଳାଖେମୁଣ୍ଡି ସ୍ଥିତ ଗଜପତି କେନ୍ଦ୍ରିୟ ବିଦ୍ୟାଳୟର ରୂପାଲି ରଥ ପ୍ରଥମସ୍ଥାନ ହାସଲ କରିଥିବା ବେଳେ ଦ୍ୱିତୀୟରେ ଅଲଡା ସ୍ଥିତ ଓଏଭିର ମାଣିକ୍ୟ ସ୍ୱରୂପ ସେଠୀ ଏବଂ ରାୟଗଡ ସ୍ଥିତ ଏସ୍‌ଏସ୍‌ଡି ହାଇସ୍କୁଲର ଶୁଭମ କୁମାର ପ୍ରଧାନ ତୃତୀୟ ସ୍ଥାନ ହାସଲ କରିଛନ୍ତି । କନିଷ୍ଠ କୁଇଜ ପ୍ରତିଯୋଗିତ।।ରେ କାଶୀନଗର ସ୍ଥିତ ଭିଜି ହାଇସ୍କୁଲର ଅମିଶା ପାତ୍ର ପ୍ରଥମ ହୋଇଥିବା ବେଳେ ଚାନ୍ଦିପୁଟ ସ୍ଥିତ ଏଲ୍‌ଡି ହାଇସ୍କୁଲର ଅଂଶୁମାନ ଦାଶ ଦ୍ୱିତୀୟ ଏବଂ ନାରାୟଣପୁର ସ୍ଥିତ ଏନ୍‌ଏମ୍ ହାଇସ୍କୁଲର ନିକିତା ବେହେରା ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି କର୍ତ୍ତବ୍ୟ ନିଷ୍ଠାରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ପାରଳାଖେମୁଣ୍ଡି ସ୍ଥିତ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ଆୟା ସଙ୍ଗୀତା ନାୟକ, ନାରାୟଣପୁର ଅଙ୍ଗନବାଡି କର୍ମୀ ସ୍ନେହଲତା ଶବର, ଆର୍‌. ଉଦୟଗିରିର ଅପହଞ୍ଚ ସ୍ଥାନରୁ ପ୍ରସୂତୀ ମହିଳାଙ୍କୁ ଷ୍ଟେଚର ଯୋଗେ ବୋହି ଆଣି ଆମ୍ବୁଲାନ୍ସ ଦ୍ୱାରା ଆଣି ବିଭିନ୍ନ ଗୋଷ୍ଠି ସ୍ୱସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିବା ଆମ୍ବୁଲାନ୍ସ ଡ୍ରାଇଭର କୃଷ୍ଣଚନ୍ଦ୍ର ନାୟକ, ଆମ୍ବୁଲାନ୍ସ ସହାୟକ ଲୁକା ବଡରଇତ ଏବଂ ଆର୍‌.ଉଦୟଗିରିର ଆପାତକାଳୀନ ଟେକନିସିଆନ୍ ସଦାଶିବ ପାଣିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେହପିରି ୨୦୨୧-୨୨ ବର୍ଷ ସର୍ବଭାରତୀୟ ସିଭିଲ ସର୍ଭିସ୍ ଦୌଡକୁଦ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ଜିଲ୍ଲା ଏବଂ ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ଗଜପତି ଜିଲ୍ଲା ଅବକାରୀ ବିଭାଗର କିଶୋର ଚନ୍ଦ୍ର ରଥଙ୍କୁ ସମ୍ବଦ୍ଧିତ କରାଯାଇଥିଲା । କୋଭିଡ କଟକଣା ଯୋଗୁଁ ଏହି ପବିତ୍ର ୭୩ତମ ସାଧାରଣତନ୍ତ୍ର ଦିବସକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିରାଡମ୍ବର ଭାବେ ପାଳନ କରାଯାଇଥିଲା । କେବଳ ପୋଲିସ ବିଭାଗର ୩ୟ ଏସ୍‌ଏସ୍‌ବିଏନ୍ ଓ ଜିଲ୍ଲାପୋଲିସ ୨ଟି ଦଳ ଅଂଶ ଗ୍ରହଣ କରିଥିଲେ । ଏଥିରେ ପ୍ୟାରଡ କମାଣ୍ଡେଣ୍ଟ ଭାବେ ଆର୍‌ଆଇ ଡମ୍ବରୁଧର ହୋନାଗା ଓ ଏମ୍‌. ଲକ୍ଷ୍ମୀ ରଞ୍ଜନଙ୍କ ପରିଚାଳନାରେ ତୃତୀୟ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନର ସୁବେଦାର ପଦ୍ମଚରଣ ମହାଳିକ ଓ ଗଜପତି ପୋଲିସ ଦଳର ଡ୍ରିଲ ଇନ୍ସିପେକ୍ଟର ଏସ୍‌.ଶୋମେଶ୍ୱର ରାଓ ପ୍ୟାରଡର ଦଳର ନେତୃତ୍ୱ ନେଇଥିଲେ । ଏହା ସମେତ ପୋଲିସ ବିଭାଗର ବ୍ୟାଣ୍ଡପାର୍ଟିକୁ ହାବିଲଦାର କରୁଣାକର କାର୍ଯୀ ଓ ସିପାହୀ ସୁଧୀର ବେହେରା ପରିଚାଳନା କରିଥିଲେ । ଶେଷରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀପଣ୍ଡା ଉପକାରାଗାର, ଜିଲ୍ଲା ମୁଖ୍ୟଡାକ୍ତରଖାନା ଓ କୃଷ୍ଠାଶ୍ରମ ପରିଦର୍ଶନ କରି ମିଷ୍ଟାନ ଆଦି ବଣ୍ଟନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣା, ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନି, ସହକାରୀ ଜିଲ୍ଲାପାଳ ଜୁବୁଲୀ ଚରଣ ବେହେରା ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ଅଧିକାରୀମାନେ ଉପସ୍ଥିତଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସ୍ୱରାଜ ଶିଶା ପରିଚାଳନା କରିଥିବାବେଳେ ଡିପିଆର୍‌ସି ଫେକ୍ୟୁଆଲଟି ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ନରସିଂହ ଭଜବନ୍ଧୁ, ଦିଲ୍ଲୀପ ରଥ ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here