ଜମା ଟଙ୍କା ଫେରି ପାଇବାକୁ ଘେରିଲେ ସାହାରା ଏଜେଣ୍ଟ ଓ ଜମାକାରୀ

0
360

ଭଞ୍ଜନଗର : ଲୋଭର ବଶବର୍ତ୍ତୀ ହୋଇ ଅଧିକ ଲାଭ ପାଇବା ଆଶାରେ ପେଟକୁ କାଟି ନିଜ କଷ୍ଟାର୍ଜିତ ଧନ ଅସମୟରେ କାମରେ ଲାଗିବ ଭାବି ବହୁ ସରଳ ଓ ନିରୀହ ଲୋକ ସାହାରା ଇଣ୍ଡିଆ ଶାଖାରେ ସଞ୍ଚୟ ଟଙ୍କା ଜମା କରିଥିଲେ।ହେଲେ ଗତ ୨୦୧୪ମସିହା ଠାରୁ ଜମାକାରୀ ମାନଙ୍କ ସମୟ ଅବଧି ଶେଷ ହୋଇ ତାହା ପରିପକ୍ଵ ହୋଇ ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଟଙ୍କା ଲୋକଙ୍କୁ ମିଳିନାହିଁ।ଯାହାଫଳରେ ଉଭୟ ଏଜେଣ୍ଟ ଓ ଜମାକାରୀ ମାନେ ଶାଖା କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ଦୌଡ଼ି ନିରାଶ ହେଉଛନ୍ତି।ବହୁ ଲୋକ ଟଙ୍କା ନପାଇ ହଇରାଣ ହରକତ ହୋଇ ଦୁଃଖ କଷ୍ଟରେ ମୃତ୍ୟୁବରଣ କରିସାରିଲେଣି।ଦିନକୁ ଦିନ ଏହାକୁ ନେଇ ସଂସ୍ଥା ବିରୁଦ୍ଧରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।ଆଜି ଆସ୍କା ଅଞ୍ଚଳର ପ୍ରାୟ ୭୦ଜଣ ପୁରୁଷ ଓ ମହିଳା ଆସି ଭଞ୍ଜନଗର ମୁଖ୍ୟ ରାସ୍ତାରେ ଥିବା ସାହାରା ଇଣ୍ଡିଆ ଆଞ୍ଚଳିକ କାର୍ଯ୍ୟାଳୟକୁ ଘେରିଥିଲେ।ଶାଖା ପରିଚାଳକ ସୀମାଞ୍ଚଳ ଦାଶଙ୍କୁ ଏସମ୍ପର୍କରେ ପଚାରିବାରୁ ବର୍ତ୍ତମାନ ଏହି ଘଟଣା କୋର୍ଟରେ ବିଚାରାଧୀନ ଥିବାରୁ ଲୋକଙ୍କୁ ଟଙ୍କା ଦିଆଯାଇ ପାରୁନାହିଁ ବୋଲି କହିଛନ୍ତି। ଆଗାମୀ ଦିନରେ ନିଜ ଜମା ଟଙ୍କା ଫେରିପାଇବା ପାଇଁ ରାସ୍ତା ରୋକ ସହ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଜମାକାରୀ ମାନେ କହିଛନ୍ତି।
ରିପୋର୍ଟ: ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here