ନିର୍ଦୟ ଭଗବାନ ! ଅସହାୟ କେଦାର

0
311

ବେଗୁନିଆପଡା:ଯନ୍ତ୍ରଣା ଭିତରେ ବିତୁଛି ଜଣେ ପୁରସ୍କାର ପ୍ରାପ୍ତ ମୃଦଙ୍ଗ ବାଦକଙ୍କ ଜୀବନ | ପିଲାଟି ଦିନରୁ ଅର୍ଥାତ ଦୀର୍ଘ ଚାଳିଶି ବର୍ଷ ଧରି ମୃଦଙ୍ଗ ବାଦନ କରି ଅଞ୍ଚଳ ବାସୀଙ୍କୁ ହରେ କୃଷ୍ଣ ହରେ ନାମ ସଂକୀର୍ତନ ମାଧ୍ୟମରେ ମନ୍ତ୍ରମୁଗ୍ଧ କରାଇ ଥିବା ସେହି ବ୍ୟକ୍ତି ଜଣଙ୍କ ଏବେ ଛାତି ଜନିତ ରୋଗରେ ପୀଡିତ | ଆମେ କହୁଛୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ଼ ଖଇରୀଖମା ପଞ୍ଚାୟତ ରାଗପୁର ଗ୍ରାମର କେଦାର ଦୋରାଙ୍କ କଥା | ଛାତରୁ ପଲସ୍ତରା ଖସିଯାଇଥିବା ନିଜର ଭଙ୍ଗା ଘରକୁ ଗୋଟିଏ ବୋଲି ଝିଅ ଗାୟତ୍ରୀ(11) ଓ ପତ୍ନୀ ପିଦାମୀ | ଝିଅ ଗାୟତ୍ରୀ ମଧ୍ୟ ପିଲାଟି ଦିନରୁ ବିକଳାଙ୍ଗ ପ୍ରାୟ | ହାତ ଗୋଡ଼ ବଙ୍କା | ପାଠ ପଢିବାକୁ ଢେର ଆଗ୍ରହ | କିନ୍ତୁ ନିଜର ଶାରୀରିକ ଅକ୍ଷମତା ଯୋଗୁଁ ବାଧକ ସାଜୁଛି ପାଠ ପଢା | ଅନ୍ୟପଟେ ମୃଦଙ୍ଗ ବଜାଇ ନିଜର ସାରା ଜୀବନ ଭଗବାନ ଙ୍କୁ ସମର୍ପି ଦେଇଥିବା କେଦାର ନିଜେ ଏବେ ଛାତି ଯନ୍ତ୍ରଣାରେ ଜର୍ଜରିତ | ଦୀର୍ଘ ବର୍ଷ ହେବ ବିଭିନ୍ନ ମେଡିକାଲରେ ଝିଅ ସମେତ ନିଜକୁ ଦେଖାଇ ଯାହା ଅର୍ଥ ଥିଲା ସରିଗଲା | ଜମି ବାଡ଼ି ଖଣ୍ଡେ ବି ନାହିଁ | ରାସନ କାର୍ଡରେ ଗଣ୍ଡେ ଚାଉଳ ଯାହା ମିଳୁଛି | ଏବେ ଅପେକ୍ଷା କେବଳ ସରକାରୀ ସହାୟତା | କେଦାରଙ୍କ ମୃଦଙ୍ଗ ବାଦନ ନିଶା ବଳରେ ବେଗୁନିଆପଡା ତଥା ଆଖପାଖ ଅଞ୍ଚଳରେ ପୁରାତନ କଳାକୁ ବଞ୍ଚାଇ ରଖିବାର ପ୍ରୟାସ କରି ସଫଳ ହୋଇଥିବା ବେଳେ 300ରୁ ଉର୍ଦ୍ଧ ଶିଷ୍ୟ କଳାକାରଙ୍କୁ ତିଆରି କରିପାରିଛନ୍ତି | ବାଣପୁର ସ୍ଥିତ ପଞ୍ଚୁଦୋଳ ପଡିଆରେ ମୃଦଙ୍ଗ ବାଦନ କରି ଗଜପତି ମହାରାଜାଙ୍କ ଠାରୁ ସନମାନିତ ବି ହୋଇଛନ୍ତି | କିନ୍ତୁ ସେ ଦିନର ସେଇ କଳାକାର ଆଜି ଅସହାୟ |କଥା କହିବା ସମୟରେ ବାରମ୍ବାର ନିଶ୍ୱାସ ଜନିତ ଯନ୍ତ୍ରଣା ଭୋଗୁଛନ୍ତି | ଭଗବାନ ଙ୍କ ନାମ ସଂକୀର୍ତନ ପ୍ରଚାର କରୁ କରୁ ଭଗବାନ କେଦାର ଙ୍କ ପ୍ରତି ନିର୍ଦୟ ହୋଇଗଲେ ତାହା ସହଜେ ଅନୁମେୟ | ସ୍ଵାମୀ କେଦାର, ଝିଅ ଗାୟତ୍ରୀ ଙ୍କ ଚିକିତ୍ସା କେମିତି ହେବ ସେ ନେଇ ଏବେ ଚିନ୍ତାରେ ପତ୍ନୀ ପିଦାମୀ | ଏ ନେଇ ଆମେ ବଡ଼ ଖଇରୀଖମା ପଞ୍ଚାୟତର ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବାରିକ ଙ୍କୁ ଯୋଗାଯୋଗ କରିବାରେ ସେ ତୁରନ୍ତ ବ୍ଲକ ପ୍ରଶାସନ କୁ ଜଣାଇବା ସହ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି | ଜୀବନ କାଳ ମଧ୍ୟରେ କଳାକୁ ପ୍ରଚାର ପ୍ରସାର କରି କଳାକୁ ଉଜ୍ଜୀବିତ ରଖିଥିବା କେଦାର ଙ୍କ ପରିବାର କୁ ସ୍ଥାନୀୟ ସରପଞ୍ଚଙ୍କ ସମେତ ପ୍ରଶାସନ ପକ୍ଷରୁ ସହଯୋଗ ମିଳିବାର ଆଶା ବାନ୍ଧିଛନ୍ତି ପରିବାର ଓ ସ୍ଥାନୀୟ ବାସିନ୍ଦା |

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here