ସନ୍ତୋଷ ପଟ୍ଟନାୟକ ବେଲଗୁଣ୍ଠା ନଗର ଓ ନୃସିଂହ ସାହୁ ବ୍ଳକ୍ କଂଗ୍ରେସ ସଭାପତି

0
231

ବେଲଗୁଣ୍ଠା:କଂଗ୍ରେସର ନୁତନ ସାଙ୍ଗଠନିକ ଦାୟିତ୍ୱ ନିର୍ବାହ ପାଇଁ ପ୍ରଦେଶ କଂଗ୍ରେସ କମିଟି ତରଫରୁ ବେଲଗୁଣ୍ଠା ନଗର ଓ ବ୍ଳକ୍ କଂଗ୍ରେସ ସଭାପତିଙ୍କ ନାମ ଘୋଷଣା କରାଯାଇଛି ।ବେଲଗୁଣ୍ଠା ନଗର ପାଇଁ ଯୁବନେତା ତଥା ସମାଜସେବୀ ହାଟପଦା ନିବାସୀ ସନ୍ତୋଷ କୁମାର ପଟ୍ଟନାୟକ ଓ ବ୍ଳକ୍ ପାଇଁ ଯୁବ ଆଇନଜୀବୀ ନୃସିଂହ ଚରଣ ସାହୁ ମନୋନୀତ ହୋଇଛନ୍ତି ।ପୁର୍ବରୁ ବେଲଗୁଣ୍ଠା ବ୍ଳକ୍ କଂଗ୍ରେସ ସଭାପତି ଥିବା ସୁରେନ୍ଦ୍ର ଡାକୁଆ ଗତ ସାଧାରଣ ନିର୍ବାଚନ ପୁର୍ବରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ।ସେହିପରି ନଗର ସଭାପତି ଦାୟିତ୍ୱରେ ଥିବା ସ୍ୱର୍ଗତ ନମଃ ଶିବାୟ ବିନ୍ଧାଣିରା ସ୍ୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଥିଲେ ଏବଂ ପରେ ତାଙ୍କର ଦେହାନ୍ତ ହୋଇଥିଲା ।କିଛି ମାସ ପୂର୍ବେ ଗଞ୍ଜାମ ଜିଲ୍ଲା କଂଗ୍ରେସସଭାପତି ଭାବେ ରମେଶ ଚନ୍ଦ୍ର ଜେନା ଦାୟିତ୍ୱ ନେବା ପରେ ବେଲଗୁଣ୍ଠାରେ ଏକ କର୍ମୀ ସମ୍ମିଳନୀ କରି କର୍ମୀ ମାନଙ୍କ ସହିତ ବିଚାରବିମର୍ଷ କରିଥିଲେ ।ଜିଲ୍ଲା ସଭାପତି ଶ୍ରୀ ଜେନାଙ୍କ ପ୍ରସ୍ତାବ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ସନ୍ତୋଷ ପଟ୍ଟନାୟକ ଓ ନୃସିଂହ ଚରଣ ସାହୁଙ୍କ ନାମକୁ ଅନୁମୋଦନ ପ୍ରଦାନ କରିଛନ୍ତି ।ପ୍ରଦେଶ କଂଗ୍ରେସ କମିଟିର ଚିଠି ନମ୍ବର ୧୬୩/୨୧ ଅନୁସାରେ ଗଞ୍ଜାମ ଜିଲ୍ଲାର ଅନ୍ୟ ଅଞ୍ଚଳ ସହିତ ବେଲଗୁଣ୍ଠା ବ୍ଳକ୍ ଓ ଏନ୍.ଏ.ସି କଂଗ୍ରେସ ସଭାପତି ଭାବେ ନୃସିଂହ ଚରଣ ସାହୁ ଓ ସନ୍ତୋଷ ପଟ୍ଟନାୟକଙ୍କ ନାମ ଉଲ୍ଲେଖ କରାଯାଇଛି ।ବ୍ଳକ୍ ଓ ଏନ୍.ଏ.ସିର ବିଭିନ୍ନ ମହଲରୁ ଦୁଇଜଣଙ୍କୁ ଅଭିନନ୍ଦନ ଜଣାଯାଇଛି ।ଆଗାମୀ ଦିନର କଂଗ୍ରେସକୁ ବ୍ଳକ୍ ଓ ଏନ୍.ଏ.ସିରେ ତୃଣମୂଳ ସ୍ତରରେ ମଜବୁତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ନଗର କଂଗ୍ରେସ ସଭାପତି ସନ୍ତୋଷ ପଟ୍ଟନାୟକ ପ୍ରକାଶ କରିଛନ୍ତି ।ପ୍ରଶାସନିକ ବିଫଳତାକୁ ଲୋକଲୋଚନକୁ ଅଣାଯାଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି ଓ ବିଜେଡିକୁ କଂଗ୍ରେସ କଡା ଟକ୍କର ଦେବ ବୋଲି ଦୁହେଁ ଆଶାପୋଷଣ କରିଛନ୍ତି ।ଏଥିପାଇଁ ବ୍ଳକ୍ ଓ ସହର ବାସୀଙ୍କ ସହଯୋଗ କାମନା କରିବା ସହିତ ନୁଆ ଦାୟିତ୍ୱ ପ୍ରଦାନ କରିଥିବାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନା ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here