କେରଳରେ ଦାଦନ ମୃତ, ପରିବାର ଲୋକେ ଶବ ଫେରାଇ ଆଣିବା ପାଇଁ ନିବେଦନ

0
630

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ଜଣେ ଦାଦନଙ୍କ କେରଳରେ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । କାମ କରୁଥିବା ସମୟରେ ଘର ଛାତର ବଡ଼ ଅଂଶ ଭାଙ୍ଗି ମୁଣ୍ଡରେ ପଡ଼ି ଯିବାରୁ ଦାଦନଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣକ ଡାବୁଗାଁ ବ୍ଲକ ଅନ୍ତର୍ଗତ ଜବାଗୁଡ଼ା ଗ୍ରାମର ଜଗଦୀଶ ବିଶୋଇ ( ୨୨ ) ବୋଲି ଜଣା ପଡ଼ିଛି । ମୃତ ଜଗଦୀଶଙ୍କ ଶବ କେରଳର ଏକ ମେଡିକାଲରେ ପଡ଼ି ରହିଥିବା ବେଳେ ଏନେଇ ଖବର ପାଇବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଏହି ଦାଦନଙ୍କ ମୃତ୍ୟୁକୁ ମିଶାଇ ଗତ ଏକ ସପ୍ତାହ ମଧ୍ୟରେ ଡାବୁଗାଁ ବ୍ଲକର ୪ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇ ସାରିଛି । ଗତ ସପ୍ତାହରେ ହାଇଦ୍ରାବାଦାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଡାବୁଗାଁ ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମର ୩ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ସୂଚନା ଅନୁଯାୟୀ , ଜବାଗୁଡ଼ା ଗ୍ରାମର ଦୟା ବିଶୋଇଙ୍କ ପୁଅ ଜଗଦୀଶ ବିଶୋଇ ( ୨୨ ) ନିକଟସ୍ଥ ଫୁଲଭଟ୍ଟା ଗ୍ରାମର କିଛି ଯୁବକଙ୍କ ସହିତ ମିଶି ଗତ ମାର୍ଚ୍ଚ ୧୩ ତାରିଖରେଦାଦନ ଖଟିବାକୁ କେରଳ ରାଜ୍ୟର ଆଡ଼ିତୋଡ଼ ଗ୍ରାମକୁ ଯାଇଥିଲେ । ସେଠାରେ ଜଣେ ଠିକାଦାରଙ୍କ ଅଧୀନରେ ସମସ୍ତେ କାର୍ଯ୍ୟ କରୁଥିଲେ । ଆଜି ଏକ ପୁରୁଣା କୋଠା ଘରର ଛାତ ଭାଙ୍ଗୁଥିବା ବେଳେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଛାତର ଏକ ବଡ଼ ଅଂଶ ଭାଙ୍ଗି ଯାଇ ଜଗଦୀଶଙ୍କ ମୁଣ୍ଡରେ ପଡ଼ି ଯାଇଥିଲା । ଏଥିଯୋଗୁ ଜଗଦୀଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହିତ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା । ବର୍ତ୍ତମାନ ଜଗଦୀଶଙ୍କ ଶବ କେରଳର ଆଡ଼ିତୋଡ଼ ମେଡ଼ିକାଲରେ ପଡ଼ି ରହିଛି । ଜଗଦୀଶଙ୍କ ସହିତ କେରଳ ଯାଇଥିବା ଫୁଲଭଟ୍ଟା ଗ୍ରାମର ଯୁବକମାନେ ଏନେଇ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ମୃତ ଜଗଦୀଶଙ୍କ ଶବ କିଭଳି ଗାଁରେ ପହଞ୍ଚିବ ସେନେଇ ପରିବାର ଲୋକ ଚିନ୍ତାରେ ପଡ଼ିଛନ୍ତି । ଦାଦନଙ୍କ ଶବ ଗାଁକୁ ଫେରାଇ ଆଣିବା ପାଇଁ ପ୍ରଶାସନ ସହଯୋଗ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here