ଜିଲ୍ଲାରେ ଦ୍ବିତୀୟ ଲହରି କରୋନା ସଂକ୍ରମଣ ନେଇ ସତର୍କତା ମୂଳକ ପଦକ୍ଷେପ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ବୈଠକ

0
261

ଛତ୍ରପୁର () ଗତ କିଛିଦିନ ତୁଳନାରେ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ସଂଖ୍ୟା ବଢିବା ଜଣା ପଡିଛି । ଜିଲ୍ଲାକୁ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ମାନଙ୍କ ସଂକ୍ରମଣ ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ରୋକିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଗତ କରି ଭିଡିଓ କନଫରେନ୍ସିଂ ରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ସମସ୍ତ ଅଧିକାରୀ ମାନଙ୍କୁ ଜଣାଇଥିଲେଯେ, ଜିଲ୍ଲାର ଦର୍ଶନୀୟ ସ୍ଥାନ ଗୁଡିକରେ ଭିଡ କମାଇବାକୁ ଏଣିକି ପ୍ରତ୍ୟେକ ଶନିବାର, ରବିବାର ଗୋପାଳପୁର ଏବଂ ସୋନାପୁର ବେଳାଭୂମି ବନ୍ଦ ରହିବ । ସେହିପରି ବ୍ରହ୍ମପୁରସ୍ଥ ରାମଲିଙ୍ଗେଶ୍ବର ପାର୍କ ଓ ତାମ୍ପରା ହ୍ରଦ ପ୍ରତି ସୋମବାର ବନ୍ଦ ରଖାଯିବ । ପ୍ରତ୍ୟେକ ବୁଧବାର ମା ତାରାତାରିଣୀଙ୍କ ମନ୍ଦିର ବନ୍ଦ କରାଯାଇ ଠିକ୍ ରୂପେ ସାନିଟାଇଜେସନ୍ କରାଯିବ । ଏଥି ସକାଶେ ଜନ ସାଧାରଣଙ୍କ ସହଯୋଗ କାମନା କରାଯାଇଛି । ଜିଲ୍ଲାରେ ପୂର୍ବପରି ଚାଲୁ ରହିଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଓ କ୍ଲଷ୍ଟର ସ୍ତରୀୟ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଆବଶ୍ୟକତାକୁ ଲକ୍ଷ୍ୟ କରି ପୁଣି ଖୋଲିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ବୋର୍ଡର୍ ଅଞ୍ଚଳ ଗୁଡିକରେ ଚଳିତ ମାସ ୧୨ ତାରିଖରୁ ଚେକିଂ ପଏଣ୍ଟ ଗୁଡିକ କଡାକଡି ଯାଂଚ୍ କରାଯିବ । ଶିଳ୍ପାଞ୍ଚଳ, ଶିକ୍ଷାନୁଷ୍ଠାନ ଓ ବ୍ୟାବସାୟିକ ପ୍ରତିଷ୍ଠାନ ଗୁଡିକରେ କୋଭିଡ୍ କେୟାର ସେଣ୍ଟର ପୁଣି କାର୍ଯ୍ୟକ୍ଷମ କରାଯାଇ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ସହିତ କୋଭିଡ୍ ସୁରକ୍ଷା ଓ ପଞ୍ଚସୂତ୍ର ନିୟମ ପାଳନ ଦିଗରେ ଉପଜିଲ୍ଲାପଳ ଗଣ ବୈଠକରେ ଆଲେଚନା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଟ୍ରେନ୍, ବସ୍, ଉଡାଜାହାଜ, ବ୍ୟକ୍ତିଗତ ଯାନ କିମ୍ବା ସାମୁଦ୍ରିକ ରାସ୍ତା ଦେଇ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ମାନଙ୍କର ତଥ୍ୟ ସ୍ବତନ୍ତ୍ର ରେଜିଷ୍ଟାରରେ ପଞ୍ଜିକରଣ କରିବା ସହିତ ସେମାନେ ନିଜ ସାଥିରେ ଆଣିଥିବା ଆର୍. ଟି.ପି,ସି.ଆର୍. ନେଗେଟିଭ ପ୍ରମାଣ ପତ୍ର କିମ୍ବା ସେମାନେ ଗ୍ରହଣ କରିଥିବା ଫାଇନାଲ୍ ଟିକାକରଣ ପ୍ରମାଣ ପତ୍ର ଯାଂଚ୍ କରିବାକୁ କଡା ନିର୍ଦ୍ଦେଶ ଦେଇଥିଲେ । ଛତିଶଗଡରୁ ଆସୁଥିବା ବସ୍ ଗୁଡିକରେ ମାସ୍କ ଚେକିଂ ଓ ସାନିଟାଇଜର୍ ବ୍ୟବହାର କଡାକଡି ପଳନ ହେଉଛି କି ନାହିଁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବ୍ଲକ୍ ଓ ସହରାଞ୍ଚଳ ସ୍ତରରେ ଖୋଲାଯିବାକୁ ଥିବା ଆଇସୋଲେସନ୍ ସେଣ୍ଟର ଗୁଡିକରେ ପାନୀୟ ଜଳ, ଶୈଚାଳୟ, ବିଦ୍ୟୁତ୍ ଆଦି ତଦାରଖ କରି ପୂର୍ବ ପ୍ରସ୍ତୁତି କରିବା ପାଇଁ ଜଣାଇଥିଲେ ।
ଦଣ୍ଡ ନାଚ, ଠାକୁରାଣୀ ଯାତ୍ରା ରେ ଗହଳି ନ କରିବା ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ମଙ୍ଗଳ ବାର ଦିନତାରାତାରିଣୀ ମନ୍ଦିରରେ ମୁଣ୍ଡନ କାର୍ଯ୍ୟ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ବାହାଘର ଉତ୍ସବରେ ୧୦୦ ରୁ ଅଧିକ ବ୍ୟକ୍ତି ଯୋଗଦେବେ ସେହି ବାହାଘରଟି ନ କରିବା ପାଇଁ ପୁରୋହିତ କୁ କୁହାଯାଇଥିଲା । ବିଡିଓ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗଣ ନିଜ ନିଜର କୋଭିଡ୍ ସେଲ୍ ଫୋନ୍ ନମ୍ବର ସେୟାର କରିବେ ଯାହାକି ପ୍ରବାସୀ ଓଡିଆ ମାନେ ଫୋନ୍ ଦ୍ବାରା ଜଣାଇ ହୋମ୍ ଆଇସୋଲେସନ୍ ରେ ରହିବା ସୁବିଧା ହାସଲ କରିପାରିବେ । ଦୋକାନୀମାନେ ପଞ୍ଚସୂତ୍ରୀ ନିୟମ ପାଳନ ସହିତ ମାସ୍କ ଓ ସାନିଟାଇଜର୍ ଉପରେ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ବ୍ରହ୍ମପୁର ମହାନଗର ନିଗମ ଅଧିକାରୀ ଓ ପୋଲିସ୍ ଅଧିକାରୀ ଗଣ ସେମାନଙ୍କ ଅଞ୍ଚଳରେ ଦେଖାଯାଉଥିବା ଏଭଳି ସଙ୍କଟ ସମୟରେ ପରିଚାଳନ କାର୍ଯ୍ୟ ଠିକ୍ ରୂପେ ଯେପରି ହୋଇପାରିବ ସେଥିପ୍ରତି ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ବଳିରାମ ବୋନ୍ଦାର, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କିର୍ତ୍ତିଓ୍ବାସନ୍, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଉମା ଶଙ୍କର ଷଡଙ୍ଗୀ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସଚିବ ସମ୍ବିତ ରାଉତ ପ୍ରମୁଖ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here