ଘର ବାହୁଡା଼ :ସ୍ୱାଧୀନ ପ୍ରାର୍ଥୀଙ୍କ କଂଗ୍ରେସରେ ଯୋଗ ଦାନ

0
253

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବେ ୨୦୧୯ରେ ଲଢ଼େଇ କରିଥିବା ପ୍ରତାପ କୁମାର ପ୍ରଧାନ ପୁଣି କଂଗ୍ରେସରେ ଯୋଗଦାନ କରିଥିବା ଜଣାପଡ଼ିଛି। କଂଗ୍ରେସରେ ପ୍ରତାପଙ୍କୁ ବିଧାୟକ ପ୍ରାର୍ଥୀ ପାଇଁ ଟିକେଟ ନ ଦେବା ପରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼େଇ କରିଥିଲେ। ଏଥିପାଇଁ ସେ ୨୦୧୯ ମାର୍ଚ୍ଚ ୨୯ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ହେଲେ ଏବେ ସେ କଂଗ୍ରେସରେ ପୁନଃ ଯୋଗଦାନ କରିବା ପାଇଁ ଜିଲାରୁ ଏକ ପ୍ରସ୍ତାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଯାଇଥିଲା। ତାକୁ ରାଜ୍ୟ ସଭାପତି ଅନୁମୋଦନ କରିଥିବା ନେଇ କାର୍ଯ୍ୟାଳୟ ସମ୍ପାଦକ ବୈଦ୍ୟନାଥ ସ୍ବାଇଁ ପ୍ରତାପଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି। ଏଥିପାଇଁ ପ୍ରତାପ ରାଜ୍ୟ ସଭାପତିଙ୍କ ସମେତ ଜିଲା ସଭାପତି ଅନାମ ନାୟକଙ୍କୁ ସାଧୁବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, ପ୍ରତାପ ୨୦୧୯ ପୂର୍ବରୁ ରାଜ୍ୟ ପ୍ରଦେଶ କଂଗ୍ରେସ ଆଦିବାସୀ ବିଭାଗର ଉପସଭାପତି ଓ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଜିଲା ସଭାପତି ଭାବେ କାର୍ଯ୍ୟ କରୁଥିଲେ। ସେହିପରି ପୂର୍ବରୁ ସେ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଭାବେ ନିଜ ଦାୟିତ୍ୱ ସମ୍ପାଦନା କରିଥିଲେ।

LEAVE A REPLY

Please enter your comment!
Please enter your name here