ଡାଏବେଟିସ ଏଣ୍ଡ ଏଣ୍ଡୋକେୟାର କ୍ଲିନିକ ତଥା ଆଇ.ଏମ.ଏ ମିଳିତ ଆନୁକୂଲ୍ୟରେ ତୃତୀୟ ଦକ୍ଷିଣ ଓଡିଶା ଥାଇରଏଡ ସମ୍ମିଳନୀ ଅନୁଷ୍ଠିତ

0
757

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ ସମ୍ପାଦକ ପ୍ରଣୟ ପଣ୍ଡା) : ଆଜି ବ୍ରହ୍ମପୁର ସ୍ଥିତ ଡାଏବେଟିସ ଏଣ୍ଡ ଏଣ୍ଡୋକେୟାର କ୍ଲିନିକ ତଥା ଆଇ.ଏମ.ଏ ର ମିଳିତ ଆନୁକୂଲ୍ୟରେ ଆଇ.ଏମ.ଏ ଭବନରେ ତୃତୀୟ ଦକ୍ଷିଣ ଓଡିଶା ଥାଇରଏଡ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ସମ୍ପାଦକ ଭାବେ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡା.ସୁନୀଲ କୋଟା ସୂଚାରୁ ରୂପେ ସଂଯୋଜନା କରିଥିଲେ |

ଉଦଘାଟନୀ ଉତ୍ସବରେ ଦକ୍ଷିଣାଞ୍ଚଳ ଡ଼ି.ଆଇ.ଜି ଶ୍ରୀଯୁକ୍ତ ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏମ.କେ.ସି.ଜି ମେଡିକାଲ କଲେଜର ପୂର୍ବତ୍ତନ ବିଭାଗୀୟ ମୁଖ୍ୟ (ଭେଷଜ ଏବଂ ଶଲ୍ୟ) ଯଥା ପ୍ରଫେସର ପି.ସି.ସାହୁ,ପ୍ରଫେସର ଏନ.ସି.ପାଢ଼ୀ,ଆଇ.ଏମ.ଏ ଓଡ଼ିଶାର ନବନିର୍ବାଚିତ ସଭାପତି ଡା.କେ.କେ.ପାଣିଗ୍ରାହୀ ଏବଂ ସୁରେଶ ଚନ୍ଦ୍ର ମିଶ୍ର ଏବଂ ଆଇ.ଏମ.ଏ ବ୍ରହ୍ମପୁର ସଭାପତି ଡା.ସୁରେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଆମନ୍ତ୍ରିତ ହୋଇଥିଲେ |ମହିଳା ମାନଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ଥାଇରଏଡ ଦେଖାଦେଇଥାଏ ଏବଂ ୮ ମାର୍ଚ୍ଚ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଥାଇରଏଡ ଅବ୍ୟବସ୍ଥା ବିଷୟ ବସ୍ତୁ ନେଇ ଆଲୋଚନା ଚକ୍ର ଯୁକ୍ତି ଯୁକ୍ତ ବୋଲି ଶ୍ରୀଯୁକ୍ତ ଭୋଇ ଦର୍ଶାଇ ଥିଲେ |

ପ୍ରଫେସର ପି.ସି.ସାହୁ ପୃଥିବୀ ତଥା ଭାରତ ବର୍ଷରେ ବଢୁଥିବା ଥାଇରଏଡ ସମସ୍ୟା ଉପରେ ଚିନ୍ତା ବ୍ୟକ୍ତ କରିବା ସହ ଡାକ୍ତର ମାନଙ୍କ ମଧ୍ୟରେ ଚିକିତ୍ସା ଦକ୍ଷତା ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ | ପ୍ରଫେସର ଏନ.ସି.ପାଢ଼ୀ ଥାଇରଏଡ ଅବ୍ୟବସ୍ଥାର ସମୟ ପୂର୍ବକ ନିରୂପଣ ତଥା ସଠିକ ନିରାକାରଣ ପାଇଁ ଉପସ୍ଥିତ ବିଭିନ୍ନ ବିଭାଗୀୟ ଡାକ୍ତରମାନଙ୍କୁ ଆହ୍ୱାନ ଦେଇଥିଲେ | ଏହିଭଳି ବିଜ୍ଞାନ ଭିତିକ ଆଲୋଚନା ଚକ୍ର ଦ୍ୱାରା ଡାକ୍ତରମାନଙ୍କ ଦକ୍ଷତାରେ ଅଭିବୃଦ୍ଧି ଘଟିବ ବୋଲି ଡା.କେ.କେ.ପାଣିଗ୍ରାହୀ ମତ୍ତ ରଖିଥିଲେ | ଏହି ସମାରୋହରେ ଆଇ.ଏମ.ଏ ଓଡ଼ିଶାର ସଭାପତି ରୂପେ ନିର୍ବାଚିତ ଡା.କମଳାକାନ୍ତ ପାଣିଗ୍ରାହୀଙ୍କୁ ଆଇ.ଏମ.ଏ ପ୍ରତି ନିରବଛିନ୍ନ ଏବଂ ଅନବରତ ଅବଦାନ ପାଇଁ ଉପସ୍ଥିତ ଅତିଥିମାନେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ | ବ୍ରହ୍ମପୁର ତଥା ଭୁବନେଶ୍ୱରରୁ ସୁନାମଧନ୍ୟ ୧୫ଜଣ ପ୍ରମୁଖ ଡାକ୍ତର ବକ୍ତା ରୂପେ ଭାଗନେଇଥିଲେ |
ବର୍ତ୍ତମାନ ଭାରତ ବର୍ଷରେ ପ୍ରାୟତଃ ୧୨ରୁ ୧୫ ଶତକଡା ଲୋକ ଥାଇରଏଡ ସମସ୍ୟାରେ ଆକ୍ରାନ୍ତ | ପୂର୍ବ କାଳରେ ଆୟୋଡିନ ଅଭାବ ଯୋଗୁଁ ଏହି ଥାଇରଏଡ ସମସ୍ୟା ଦେଖାଯାଉଥିଲେ ହେଁ ଅଧୁନା ରୋଗ ପ୍ରତିରୋଧକ ପ୍ରଣାଳୀରେ ଥିବା ଅବ୍ୟବସ୍ଥା ହିଁ ଏହାର ମୁଖ୍ୟ କାରଣ | ଏହା ସ୍ତ୍ରୀମାନଙ୍କ କ୍ଷେତ୍ରରେ ୫ଗୁଣ ଅଧିକ ଦେଖାଯାଏ | ଶରୀରରେ ଥାଇରଏଡ ହରମୋନ ହ୍ରାସ ହେବା ଅବସ୍ଥାକୁ ହାଇପୋଥାଇରଜିଡିମ କୁହାଯାଏ | ଏଥିରେ ଓଜନ ବୃଦ୍ଧି,ଭୋକ କମିବା,କ୍ଳାନ୍ତ ଅନୁଭବ,କେଶ ଝାଡ଼ିବା,କୋଷ୍ଠ କାଠିନ୍ୟ,ଶୁଷ୍କ ଚର୍ମ,ଶରୀର ପୀଡା,ଋତୁଶ୍ରାବ ଅନିୟମିତତା,ଗର୍ଭ ଧାରଣରେ ସମସ୍ୟା ତଥା ମାନସିକ ଅବସାଦ ଆଦି ଲକ୍ଷଣ ଦେଖାଯାଏ,ଶରୀରରେ ଅତ୍ୟଧିକ ଥାଇରଏଡ ହରମୋନ ଥିବା ଅବସ୍ଥାକୁ ହାଇପୋଥାଇରଜିଡିମ କୁହାଯାଏ | ଓଜନ କ୍ଷୟ,ଅଧିକ ଭୋକ ଲାଗିବା,ହାତ ଥରିବା,ଅତ୍ୟଧିକ ଗରମ ଲାଗିବା,ଝାଳ ବୋହିବା,ବାରମ୍ବାର ଝାଡା ଲାଗିବା,ଆଖି ଲାଲ ରହିବା ,ହୃଦ ସ୍ପନ୍ଦନ ବଢିବା ଆଦି ଏହାର ଲକ୍ଷଣ | ବେଳେବେଳେ ଆବୃଦ୍ଧ ଅଥବା ଗଳଗ୍ରନ୍ଥୀ ମଧ୍ୟ ଦେଖାଦିଏ,ନବଜାତ ଶିଶୁ ତଥା ବଢ଼ିଲା ପିଲାମାନଙ୍କର ଶାରୀରିକ,ମାନସିକ,ତଥା ଯୌନାଙ୍ଗ ଅଭିବୃଦ୍ଧିରେ ଥାଇରଏଡ ହର୍ମୋନର ଗୁରୁତ୍ଵପୂର୍ଣ ଭୂମିକା ରହିଛି | ପ୍ରାୟତଃ ୨୨ଶତକଡା ଗର୍ଭବତୀ ମହିଳା ମଧ୍ୟ ଏଥିରେ ଆକ୍ରାନ୍ତ ହୁଅନ୍ତି | ବଟିକା,ରେଡ଼ିଓ ଆୟୋଡିନ ତଥା ଶଲ୍ୟ ଚିକିତ୍ସା ଆଦି ଦ୍ୱାରା ଏହାର ନିରାକରଣ କରାଯାଏ | ସମୟାନୁକ୍ରମିକ ତଥା ନିୟମିତ ଚିକିତ୍ସା ଦ୍ୱାରା ଏହି ସମସ୍ୟାର ସଠିକ ନିରାକରଣ କରାଯାଇପାରିବ ବୋଲି ଡାକ୍ତର ସୁନୀଲ କୋଟା ଗୁରୁତ୍ତ୍ୱାରୋପଣ କରିଥିଲେ | ଏହି ଆଲୋଚନା ଚକ୍ରରେ ଗଞ୍ଜାମ,ଗଜପତି,କନ୍ଧମାଳ,ରାୟଗଡା,କୋରାପୁଟ,ବୌଦ୍ଧରୁ ୨୫୦ରୁ ଅଧିକ ଡାକ୍ତର ଯୋଗ ଦେଇଥିଲେ |
ସର୍ବଶେଷରେ ଡା.ସୁରେଶ ଚନ୍ଦ୍ର ମିଶ୍ର ଡା.ସୁନୀଲ କୋଟାଙ୍କ ଦ୍ୱାରା ଥାଇରଏଡ ଜନିତ ଜନସଚେତନତା କାର୍ଯ୍ୟକ୍ରମ,ସାଧାରଣ ଲୋକଙ୍କ ପାଇଁ ମାଗଣା ଥାଇରଏଡ ପରୀକ୍ଷା ତଥା ଡାକ୍ତରମାନଙ୍କ ପାଇଁ ଏହିପରି ସିଖଣିୟ କାର୍ଯ୍ୟକ୍ରମ ଆୟୋଜିତ କରିଥିବା ହେତୁ ଶୁଭେଛା ଜଣାଇଥିଲେ | ପରିଶେଷରେ ଡା.କୋଟା ଭାଗନେଇଥିବା ଅତିଥୀବୃନ୍ଦ,ପ୍ରବକ୍ତା,ସମସ୍ତ କାର୍ଯ୍ୟକର୍ତ୍ତା ତଥା ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ହୃଦୟ ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ |

LEAVE A REPLY

Please enter your comment!
Please enter your name here