ଭାରତୀୟ ନୌସେନାରେ ପାକିସ୍ତାନୀ ଗୁପ୍ତଚର: ୭ ନୌସେନା ଅଧିକାରୀ ଗିରଫ, ହନିଟ୍ରାପ୍ର ହୋଇଛନ୍ତି ଶିକାର

0
717

ଭାରତୀୟ ନୌସେନାରେ ପାକିସ୍ତାନୀ ଗୁପ୍ତଚର: ୭ ନୌସେନା
ଅଧିକାରୀ ଗିରଫ, ହନିଟ୍ରାପ୍ର ହୋଇଛନ୍ତି ଶିକାର

ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଭାରତୀୟ ନୌସେନାର ୭ ଅଧିକାରୀ ଓ ଜଣେ ହାୱଲା ଅପରେଟରଙ୍କୁ ଶୁକ୍ରବାର ଗିରଫ କରାଯାଇଛି । ମଧ୍ୟରୁ ବିଶାଖାପାଟଣାସ୍ଥିତ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ୍ରେ ୩ଜଣ କାର୍ଯ୍ୟରତ ଥିଲା ବେଳେ କରୱାର ନାଭାଲ ବେସ୍ରେ ୨ ଜଣ ଏବଂ ମୁମ୍ବାଇ ନାଭାଲ ବେସ୍ରେ ୨ ଜଣ କାର୍ଯ୍ୟରତ ଥିଲେ । ସେମାନେ ନୌସେନାର ଯୁଦ୍ଧଜାହାଜ ଓ ବୁଡାଜାହାଜର ଅବସ୍ଥିତି ଏବଂ ଅନ୍ୟ ଗୋପନ ତଥ୍ୟ ପାକିସ୍ତାନକୁ ପ୍ରଦାନ କରୁଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ, ଆନ୍ଧ୍ରପ୍ରଦେଶରେ ଏକ ର୍ୟାକେଟ ମଧ୍ୟ ଏ ଦିଗରେ କାର୍ଯ୍ୟ କରୁଥିବା ଜଣାପଡିଛି lକେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା, ଆନ୍ଧ୍ରପ୍ରଦେଶ ପୁଲିସର ଗୁଇନ୍ଦା ବିଭାଗ ଏବଂ ନୌସେନାର ଗୁଇନ୍ଦା ସଂସ୍ଥା ପକ୍ଷରୁ ମିଳିତ ଅପରେସନ କରାଯାଇ ଏମାନଙ୍କୁ ଧରାଯାଇଥିଲା । ଗିରଫ ପରେ ସେମାନଙ୍କୁ ବିଜୟୱାଡାସ୍ଥିତ ସ୍ୱତନ୍ତ୍ର ଏନ୍ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ସେମାନଙ୍କୁ ଆସନ୍ତା ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ଏହି ଅଭିଯାନରେ ସାମିଲ ଜଣେ ଅଫିସରଙ୍କ କହିବାନୁଯାୟୀ ନୌସେନାର ଅଧିକାରୀ ଓ ହାୱଲା ଅପରେଟରଙ୍କୁ ଧରିବା ଲାଗି ଆରମ୍ଭ କରାଯାଇଥିଲା ସ୍ୱତନ୍ତ୍ର ଅପରେସନ । ଯାହାର ନାମ ଥିଲା ‘ଅପରେସନ ଡଲଫିନ୍ସ ନୋଜ୍’ । ଡଲଫିନ୍ସ ନୋଜ ହେଉଛି ବିଶାଖାପାଟଣାସ୍ଥିତ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ନିକଟରେ ଥିବା ଏକ ପାହାଡିଆ ଆବାସିକ ଅଞ୍ଚଳ । ଯେଉଁଠାରେ ନୌସେନା ଅଧିକାରୀମାନେ ରୁହନ୍ତି l ଆନ୍ଧ୍ରପ୍ରଦେଶ ପୁଲିସ ଡିଜି ଗୌତମ ସାୱଙ୍ଗ କହିଛନ୍ତି ଯେ ଅଭିଯୁକ୍ତମାନଙ୍କ ଘର ବିଭିନ୍ନ ଅଞ୍ଚଳରେ । ଏମାନଙ୍କ ବ୍ୟତୀତ ଆଉ କିଛି ଅଧିକାରୀଙ୍କୁ ମଧ୍ୟ ଏହି ଘଟଣା ସମ୍ପର୍କରେ ପଚରାଉଚୁରା କରାଯାଇଛି । ତେବେ ବର୍ତ୍ତମାନ ତଦନ୍ତ ଚାଲିଥିବାରୁ ସେ ଅଧିକ କିଛି କହିବାକୁ ମନାକରିଛନ୍ତି । ଏହି ଅପରେସନ ସହ ଜଡିତ ଅନ୍ୟଜଣେ ଅଧିକାରୀଙ୍କ କହିବାନୁଯାୟୀ ଗିରଫ ଅଭିଯୁକ୍ତଙ୍କ ସମ୍ପର୍କରେ ଗତ ଏକମାସ ହେଲା ସୂଚନା ମିଳିଥିଲା । ସେବେଠାରୁ ସେମାନଙ୍କ ଗତିବିଧି ଉପରେ କଡା ନଜର ରଖାଯାଇଥିଲା । ଗିରଫ ନୌସେନା ଅଧିକାରୀମାନେ ଜଳପଥରେ ନୌସେନା ଓ ଅନ୍ୟାନ୍ୟ ପ୍ରତିରକ୍ଷା ସଂକ୍ରାନ୍ତ ଗୋପନ ତଥ୍ୟ ପାକିସ୍ତାନକୁ ଦେଉଥିଲେ । କିଛି ସରକାରୀ ଅଧିକାରୀ ମଧ୍ୟ ଅଭିଯୁକ୍ତଙ୍କ ସହ ମିଶି କାର୍ଯ୍ୟ କରୁଥିବାର ସନ୍ଦେହ କରାଯାଉଛି । ତେଣୁ ଏହା ଉପରେ ଅଧିକ ତଦନ୍ତ ଚାଲିଛି । ଅଭିଯୁକ୍ତଙ୍କ ନାମରେ ବିଜୟୱାଡା କାଉଣ୍ଟର ଇଣ୍ଟେଲିଜେନ୍ସ ଡିପାର୍ଟମେଣ୍ଟରେ ମାମଲା ରୁଜୁ କରାଯାଇଛି ।

ସୂଚନା ଅନୁସାରେ ୨୦୧୭ରେ ଏହି ନୌସେନା ଅଧିକାରୀମାନେ ନିଯୁକ୍ତି ପାଇଥିଲେ । କିନ୍ତୁ ବର୍ଷକ ପରେ ଅର୍ଥାତ ୨୦୧୮ରେ ସେମାନେ ପାକିସ୍ତାନ ହନିଟ୍ରାପ୍ର ଶିକାର ହୋଇଥିଲେ । ଫେସବୁକ୍ ମାଧ୍ୟମରେ ସେମାନେ ୩/୪ଜଣ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ । ସେହି ମହିଳାଙ୍କ ସହ ସେମାନେ ନିୟମିତ ଚାଟ୍ କରୁଥିଲେ । ସେହି ମହିଳାମାନେ ନୌସେନା ଅଧିକାରୀମାନଙ୍କୁ ଜଣେ ବ୍ୟବସାୟୀଙ୍କ ସହ ଫେସବୁକ୍ରେ ପରିଚିତ କରାଇଥିଲେ । ପ୍ରକୃତରେ ସେହି ବ୍ୟବସାୟୀ ଜଣକ ଥିଲେ ପାକିସ୍ତାନୀ ହ୍ୟାଣ୍ଡଲର । ତାଙ୍କୁ ସେମାନେ ନୌସେନାର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। ପ୍ରତିବଦଳରେ ହାୱାଲା ଅପରେଟରଙ୍କ ମାଧ୍ୟମରେ ନୌସେନା ଅଧିକାରୀମାନେ ପ୍ରତିମାସରେ ଟଙ୍କା ପାଉଥିଲେ।

LEAVE A REPLY

Please enter your comment!
Please enter your name here