ଝଡ଼

0
816

ବିକ୍ଷିପ୍ତ ଚତୁର୍ଦ୍ଦିଗ,
କ୍ଷଣୁ କ୍ଷଣ
ସର୍ବସ୍ବ ହାରିବସିବାର ଆତଙ୍କ,
ଏମିତି ହିଁ
ଅନେକ ଥର ଆସିଛି ସେ ଆଗରୁ ବି
ଆଉ ଲେଉଟି ଯାଇଛି
କ୍ଷତବିକ୍ଷତ କରିଦେଲା ପରେ
ନିଃଶ୍ବାସରୁ ବିଶ୍ୱାସ ପର୍ଯ୍ୟନ୍ତ
କେଇ ଘଡ଼ି ଲାଗି।
ଆଶ୍ୱସ୍ତ ହୋଇଛି ଆକାଶ
ଶାନ୍ତ ପବନ
କ୍ଷାନ୍ତ ବି ସାଗରର ସର୍ବଗ୍ରାସୀ ଶୋଷ
ଜୀବନ୍ୟାସ ପାଇଛି ମାଟି
ମୁଣ୍ଡ ଟେକିଛି
ସବୁଜିମାର ନୂଆ ନୂଆ ସ୍ବପ୍ନ,
ଆଗକୁ ବଢ଼ିଛି ପାଦ
ଲିଭିଯାଇଛି ଅତୀତର ସମସ୍ତ ସନ୍ତକ।

କେଜାଣି କାହିଁକି
ଜୀବନ ସହ ଲଢ଼ିବାକୁ
ଆଉ ଆଗ୍ରହ କୁଳାଏନି ଆଜି।
କେତେ ଆଉ ଏମିତି
ବାରମ୍ବାର ବିଛେଇ ହୋଇ ପଡ଼ୁଥିବ ସବୁକିଛି
ଆଉ ମୁଁ ଗୋଛେଇକି ରଖୁଥିବି !
ଖୁବ୍ ଅଭିମାନ ହୁଏ
ଆକାଶର ଆକ୍ରୋଶ ଉପରେ
ଲହରୀର ଖେଳୁଆଡ଼ ମନୋବୃତ୍ତି ପରେ
ଆଉ ବାତ୍ୟାର ହୃଦୟହୀନତାରେ।
ଇଚ୍ଛା ହୁଏ
ଫିଙ୍ଗି ଦିଅନ୍ତି ଆଶା ଆକାଂକ୍ଷା ସବୁ
ନିରବରେ ଠିଆ ହୋଇ ଯାଆନ୍ତି ଦୁଇ ହାତ ଟେକି,
ଅତର୍କିତ ଏକ ଅମାନିଆ ସୁଅ ସହ
ବିଚ୍ଛିନ୍ନ ହୋଇଯାଆନ୍ତି
ବିପର୍ଯ୍ୟସ୍ତ ମୁଠାଏ ମାଟିକୁ
ପୁଣିଥରେ ମୁଠାଇ ଧରିବାର ମୋହରୁ
ଚିରଦିନ ଲାଗି।

ଅନୁସୂୟା ମିଶ୍ର
ଭୁବନେଶ୍ୱର

LEAVE A REPLY

Please enter your comment!
Please enter your name here