ମାନୁଛି
ମହିଷା ବୋଲି ଅସୁରଟିଏକୁ
କେବେ ଦିନେ ମାରିଥିଲୁ ତୁ,
କିନ୍ତୁ, ଆଉ କଣ ସେ କଥା ଅଛି… !!
ସେଦିନଠୁ ଆଜି ଯାଏଁ
ବର୍ଷ ପରେ ବର୍ଷ ଆସି
ଯାହାକୁ ମାରି ଚାଲି ଯାଉ ତୁ ଏଠି
ସିଏ ଯେ ମହିଷା ନୁହେଁ,
ଟେଳାଟିଏ ମାଟି,
ତୋ’ରି ଆଖି ଆଗରେ
ଜଳି ପୋଡ଼ି ଧ୍ବଂସ ହୋଇଯାଏ ଯିଏ
ସିଏ ବି ରାବଣ ନୁହେଁ,
କାଠି ଆଉ କୁଟା କିଛି।
ସେ କଥା କଣ ତୁ ଏଯାଏଁ ବୁଝିନୁ …!
ପ୍ରକୃତ ଅସୁର ତ
ଯଥେଚ୍ଛା ଘୁରିବୁଲେ ଆଜି
ମାନବିକତାର ରାଜରାସ୍ତା ପରେ
ସ୍ପଷ୍ଟ ଦିବାଲୋକରେ ବି,
କ୍ଷତାକ୍ତ କରେ ବୁଦ୍ଧି ଓ ବିବେକକୁ
ଖିନଭିନ କରେ ଆତ୍ମାକୁ
ଅକ୍ତିଆର କରିନିଏ ସମ୍ପୂର୍ଣ୍ଣ ଅବଚେତନକୁ,
ତୋ ଆଖିରେ ଧରା ପଡ଼େନି ଯିଏ
ତାକୁ ବା ଧରି ପାରନ୍ତା କିଏ !!
ବହୁତ ହେଲା ମା’……
ବହୁତ ହେଲା ପାର୍ବଣର ଅଭିସାର
ବହୁତ ହେଲା ଭକ୍ତିର ବାହ୍ୟାଡ଼ମ୍ବର,
ମଣ୍ଡପରୁ ମେଲାଣି ନେ ମା’
ବିଜେ କ’ରେ ପ୍ରତିଟି ଅନ୍ତଃକରଣରେ
ଦଳି ଦେ ତୋ ପାଦତଳେ
ହିଂସ୍ରତାର ଅନ୍ତଃସ୍ବରଟିକୁ ,
ବଳି ଦେ ଉନ୍ମତ୍ତ ଉଚ୍ଛୃଙ୍ଖଳତାକୁ
ଜାଳି ପୋଡ଼ି ନିଶ୍ଚିହ୍ନ କରିଦେ
ଗର୍ବ ଆଉ ଅହଂକାରସବୁ,
ତେବେ ଯାଇ ମାନିବି ମୁଁ
ହଁ ସତରେ,
ମହିଷାମର୍ଦ୍ଦିନୀ ତୁ।
***—***—***
ଅନୁସୂୟା ମିଶ୍ର
ଭୁବନେଶ୍ୱର