ଶୁଣ ବାପୁ… *******

0
875

ଶୁଣ ବାପୁ…
ଜାତିର ଜୀବନଚର୍ଯ୍ୟାରୁ
କେବେଠାରୁ ହଜିଗଲଣି ତୁମେ
ହଜି ଗଲାଣି ବି
ସତ୍ୟ ଆଉ ଅହିଂସାର ନୀତିସବୁ।
ଘରେ ଘରେ
ସ୍ବାଧୀନତାର ସୌଖିନ ତକ୍ତପୋଷରେ ଆଜି
ତୁମ ଚରିତ୍ରର ଚର୍ଚ୍ଚା ହୁଏ
ଚିନ୍ତାଧାରାର ନୁହେଁ,
ତୁମ ବ୍ୟକ୍ତିଗତ ଜୀବନର ବିଶ୍ଳେଷଣ ହୁଏ
ବ୍ୟକ୍ତିତ୍ୱର ନୁହେଁ,
ପରାଧୀନତାର କ୍ଳିଷ୍ଟ ପଥପରେ
ତୁମର ପ୍ରତିଟି ଘର୍ମବିନ୍ଦୁର ବ୍ୟବଚ୍ଛେଦ ହୁଏ
ତ୍ୟାଗର ତର୍ଜମା ନୁହେଁ,
ତୁମ ସରଳତାରୁ ବି ସ୍ୱାର୍ଥର ଗନ୍ଧ ଆସେ
ତୁମ ବଳିଦାନ ସବୁ ଉଦ୍ଦେଶ୍ୟମୂଳକ ଲାଗେ।
ସତ କହିଲେ,
ତୁମ ସ୍ୱପ୍ନର ଭାରତରେ ଆଜି
‘ମହାତ୍ମା’ଙ୍କର ଅଭାବ ନାହିଁ,
ଏମିତି ଆଉ ବାରମ୍ବାର ଧାଇଁ ଆସନି ତୁମେ
ଅଲୋଡ଼ା ପ୍ରତିମୂର୍ତ୍ତିଟିଏ ହୋଇ
ଖାସ୍ ଫୁଲମାଳଟିଏ ପାଇଁ।
******
ଅନୁସୂୟା ମିଶ୍ର
ଭୁବନେଶ୍ୱର

LEAVE A REPLY

Please enter your comment!
Please enter your name here