ପୁଣି ହିଂସ୍ର ହେଲା ହଂକଂ

0
822

ହଂକଂ : ଚାଇନାର ୭୦ତମ ପ୍ରତିଷ୍ଠା ଦିବସର ଅବ୍ୟବହିତ ପୂର୍ବରୁ ହଂକଂରେ ପୁଣି ହିଂସା ଦେଖାଦେଇଛି। ସରକାର ବିରୋଧୀ ବିକ୍ଷୋଭକାରୀ ଓ ଦଙ୍ଗା ନିରେଧୀ ପୋଲିସ ମଧ୍ୟରେ ରବିବାର ସଂଘର୍ଷ ଘଟିଛି। ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସହରର ଗଣତନ୍ତ୍ର ସମର୍ଥକମାନଙ୍କ ବିକ୍ଷୋଭ ପ୍ରଦର୍ଶନ ବେଳେ ଜଣେ ବିକ୍ଷୋଭକାରୀ ପୁଲିସ ଗୁଳିରେ ଆହତ ହୋଇଛନ୍ତି। ହଂକଂ ପୁଲିସ ପ୍ରଥମଥର ଲାଗି ବିକ୍ଷୋଭକାରୀଙ୍କ ଉପରକୁ ସିଧାସଳଖ ଗୁଳିମାଡ଼ କରିଛି। ଆହତଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା କରାଯିବା ପରେ ଡାକ୍ତରଖାନାକୁ ପଠାଯାଇଛି। ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନେତୃତ୍ବରେ ଦେଶବ୍ୟାପୀ ଏହି ବାର୍ଷିକୋତ୍ସବ ବୃହତ ଆକାରରେ ପାଳନ ହେଉଛି; କିନ୍ତୁ ହଂକଂର ସ୍ବତନ୍ତ୍ରତା ଦାବିରେ କିଛି ଗଣତନ୍ତ୍ର ସମର୍ଥକ ଗତ ତିନି ମାସ ହେବ ଏଠାରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିବାରୁ ଉତ୍ସବ ଅବସରରେ ବିକ୍ଷୋଭ ଦମନ ଲାଗି ପୁଲିସ ପକ୍ଷରୁ ସ୍ଥାନୀୟ ମଲ, ରୋଡ ଓ ପ୍ରମୁଖ ସବୱେଷ୍ଟେସନଗୁଡିକୁ ବନ୍ଦ ରଖାଯାଇଛି। ହଜାର ହଜାର ସଂଖ୍ୟାରେ ଦଙ୍ଗା ନିୟନ୍ତ୍ରଣକାରୀ ବାହିନୀ ମୁତୟନ କରାଯାଇଛି। ପୁଲିସ ପକ୍ଷରୁ ସାଧାରଣ ଲୋକଙ୍କ ଲାଗି ସତର୍କ ସୂଚନା ମଧ୍ୟ ଜାରି କରାଯାଇଥିଲା। ଉଲ୍ଲେଖ ଯେ ପଳାତକମାନଙ୍କୁ ହଂକଂର ସ୍ବାଧୀନ ବିଚାରବିଭାଗୀୟ ବ୍ୟବସ୍ଥା ମଧ୍ୟରୁ ଚୀନକୁ ସ୍ଥାନାନ୍ତର ଲାଗି ଉଦ୍ଦିଷ୍ଟ ଏକ ନୂତନ ବିଧେୟକକୁ ନେଇ ଏହି ବିକ୍ଷୋଭର ସୂତ୍ରପାତ ହୋଇଛି। ଏହାକୁ ନେଇ ଚୀନ ସରକାରଙ୍କ ଉଦାସୀନତା ଏବଂ ବିକ୍ଷୋଭକାରୀଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ କାରଣରୁ ବିକ୍ଷୋଭ ବଡ଼ ଆକାର ଧାରଣ କରିଛି। ହଂକଂ ଉପରେ ଚୀନ ଏହାର ଆଧିପତ୍ୟ ଜାହିର କରିବାକୁ ଚାହୁଁଥିବା ଆଶଙ୍କା କରି ସ୍ଥାନୀୟ ଲୋକେ ଏଠାକାର ନେତାମାନଙ୍କୁ ସିଧାସଳଖ ନିର୍ବାଚିତ କରିବା ଲାଗି ଦୀର୍ଘ ଦିନ ଧରି କରିଆସୁଥିବା ଦାବିକୁ ପୁନଃ ଦୋହରାଇଛନ୍ତି।

LEAVE A REPLY

Please enter your comment!
Please enter your name here