ହେ କେଶବ *********

0
793

ଅନେକ ପଢ଼ିଛି ତୁମ ବିଷୟରେ
ଅନେକ ଶୁଣିଛି ତୁମ ବିପକ୍ଷରେ
କିଛି କଥା କିଛି ବ୍ୟଥା
କିଛି ଆଖ୍ୟାନ କିଛି ଉପାଖ୍ୟାନ
ମା ର ପ୍ରେମରେ ତୁମେ
ଭାଇର ଶାସନରେ ତୁମେ
ସଖାର ହୃଦୟରେ ତୁମେ
ସଖିର ବେଦନାରେ ତୁମେ
ରାଧାର ପ୍ରେମରେ ତୁମେ
ଅଷ୍ଟମହିଷିଙ୍କ ପ୍ରଣୟରେ ତୁମେ
ମହାଭାରତର ଆରମ୍ଭରେ ତୁମେ
ମହାପ୍ରଳୟର ଅନ୍ତ ବି ତୁମେ
ସବୁଥିରେ ତୁମ ନିଷ୍ଠୁରପଣିଆର ବଖାଣ
ହେ କୃଷ୍ଣ, ସତ କୁହ ତ
ସତରେ କଣ ତୁମେ ???
କେବେ କଣ ତୁମ ମନ ଖୋଜିନି
ମା ର ମମତା…. ?
କେବେ କଣ ତୁମ ହାତ ଲୋଡ଼ିନି
ବନ୍ଧୁର ବାହୁର ବନ୍ଧନ…. ?
କେବେ କଣ ତୁମ ଦେହ ମାଗିନି
ପ୍ରଣୟର ଉଷ୍ମ ଆଲିଙ୍ଗନ…?
କେବେ କଣ ତୁମ ହୃଦୟ ବୀଣାରେ
ଝଙ୍କୃତ ହୋଇନି ରାଧାରାଣୀର କଥା…?
ହେ କେଶବ…
ଏତିକି ତ କହିଦିଅ…
ଭଲ ପାଇବା ଓ ପ୍ରେମ କରିବାର ଦୋଛକିରେ
ତୁମେ ଦେଇଛ କଣ ଆଉ ପାଇଛ କଣ…?
ଏତିକି ତ କହିଦିଅ
ସମସ୍ତଙ୍କର ଲୁହକୁ ସାଉଁଟି
କେମିତି ଲୁଚାଇଛ ଆଖିର କୋଣରେ,
ସମସ୍ତଙ୍କର ଦୀର୍ଘଶ୍ବାସରେ
କେମିତି ଜଳୁଛ ତିଳ ତିଳ ହୋଇ,
ଏତିକି ତ କହିଦିଅ….
ସବୁରି କଳଙ୍କକୁ ନିଜ ଦେହରେ ବୋଳି
ତୁମେ ଆଜି କଳା ହୋଇଯାଇଛ ବୋଲି…!!
***********
କାର୍ତ୍ତିକ ପାଣିଗ୍ରାହି
ବ୍ରହ୍ମପୁର

LEAVE A REPLY

Please enter your comment!
Please enter your name here