ପାଷାଣର ପ୍ରତ୍ୟାଖ୍ୟାନ

0
788

ତୁମେ ସେତେବେଳେ ବି ଆସି ପାରିଥାଆନ୍ତ
ଯେତେବେଳେ
ଇନ୍ଦ୍ରିୟର ଉପଦ୍ରବ ଆଗରେ
ଆତ୍ମସମର୍ପଣ କରିଥିଲା
ଅସମର୍ଥ ଏକ ଇନ୍ଦ୍ର,
ଆଉ, କାମନାର କୂଟଚକ୍ରାନ୍ତରେ
କଳଙ୍କିତ ହୋଇଥିଲା
ନିଷ୍ପାପ ସୋହାଗର ଶେଯ।

ତୁମେ ସେତେବେଳେ ବି ଆସି ପାରିଥାଆନ୍ତ
ଯେତେବେଳେ
ଅବିଶ୍ୱାସର ଅନ୍ଧକାର ଭିତରେ
ହଜି ହଜି ଯାଇଥିଲା
ଅସହାୟତାର ଆକୁଳ ଆର୍ତ୍ତନାଦ,
ଆଉ ବେଦାଗ ପଣତଟିଏକୁ
ବିଭତ୍ସ କରି ଦେଇଥିଲା
ଅଲିଭା ଗୁଡ଼ିଏ ଅପବାଦର ଦାଗ।

ଚାହିଁଥିଲେ ସେତେବେଳେ ବି
ଆସି ପାରିଥାଆନ୍ତ ତୁମେ
ଯେତେବେଳେ କ୍ଷମାରୁ ବଞ୍ଚିତ ହେଲା
ନିର୍ଦ୍ଦୋଷ କିଛି ଦୋଷ
ପ୍ରତାରିତ ହେଲା ପତିବ୍ରତାର ସକଳ ଆନୁଗତ୍ୟ
ଆଉ ତୁମରି ବାଟକୁ ଜଗି ଜଗି
ନିଥର ହୋଇ ଯାଇଥିଲା
ନିରବ ଏକ ଦୀର୍ଘଶ୍ଵାସ।

ଏବେତ
ନିର୍ଜୀବତାର ନିବୁଜ ଏଇ କକ୍ଷଟିରେ
ମୁଁ ଖୁବ୍ ଅଭ୍ୟସ୍ତ,
ଲୋଡ଼ାନାହିଁ ପୁଣ୍ୟ ପଦରଜ
ଲୋଡ଼ାନାହିଁ ମୋକ୍ଷ,
ପାରିବ ତ
ଦିଅ ମୋତେ ଅବକ୍ଷୟର ଆଶୀର୍ବାଦ,
ପଡ଼ି ରହିଥାଏ ମୁଁ ଏମିତି ହିଁ
ତୁମ ଅପାରଗପଣିଆର ଅଭିଶପ୍ତ ଏକ ସାକ୍ଷ୍ୟ
ଯୁଗ ପରେ ଯୁଗ,
ମାଟିରେ ଦିନେ ସମ୍ପୂର୍ଣ୍ଣ ମିଶିଯିବା ପର୍ଯ୍ୟନ୍ତ।
**********
ଅନୁସୂୟା ମିଶ୍ର
ଭୁବନେଶ୍ୱର

LEAVE A REPLY

Please enter your comment!
Please enter your name here