କାର ଧକ୍କାରେ ଅକାଳରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ ; ୧ ଗୁରୁତର , ଗାଡ଼ି ଅଟକ , ଚାଳକଙ୍କ ଆତ୍ମସମର୍ପଣ

0
540

ଦିଗପହଣ୍ଡି – ପାଟପୁର ଥାନା ପୋଡାମାରୀ ବସଷ୍ଟାଣ୍ଡରେ ମଙ୍ଗଳବାର ବିଳମ୍ବିତ ରାତିରେ ଗାଡ଼ିକୁ ଅପେକ୍ଷା କରିଥିବା ଦୁଇ ଯୁବକଙ୍କ ଉପରେ ଏକ ଦ୍ରୁତଗାମୀ କାର ମାଡ଼ି ଯିବା ଫଳରେ ଅକାଳରେ ଦୁହିଁଙ୍କ ଜୀବନ ଚାଲିଯାଇଥିବା ଜଣାପଡିଛି । ଏଥିସହ ଅନ୍ଯ ଜଣେ ଯୁବକ ମଧ୍ୟ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ସୂଚନା ମିଳିଛି । ମୃତକ ଦ୍ବୟ ହେଲେ ସାନଖେମୁଣ୍ଡି ବ୍ଲକ ପୋଡାମାରୀ ଗ୍ରାମର ସିମାଞ୍ଚଳ ପ୍ରଧାନ , ପି . ରାମଚନ୍ଦ୍ରପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ନିରଞ୍ଜନ ମହାନ୍ତି । ସେହିପରି ଗୁରୁତର ଆହତ ଜଣକ ହେଲେ ପଦ୍ମପୁର ଗ୍ରାମର ଅମୀୟ ନାୟକ । ଖବରନୁଯାୟୀ , ମଙ୍ଗଳବାର ବିଳମ୍ବିତ ରାତି ସାଢ଼େ ୧୧ ଘଣ୍ଟା ସମୟରେ ନିରଞ୍ଜନ ଓ ଅମୀୟ ଭୁବନେଶ୍ୱର ଯିବା ପାଇଁ ବସକୁ ଅପେକ୍ଷା କରିଥିବା ବେଳେ ଦିଗପହଣ୍ଡିରୁ ମୋହନା ଅଭିମୁଖେ ଯାଉଥିବା ଦ୍ରୁତଗାମୀ କାର ( ଓଡି ୦୭ ଏ କେ ୯୯୭୪) ଆସି ଉଭୟଙ୍କୁ ଧକ୍କା ଦେବା ପରେ ସିମାଞ୍ଚଳ ସ୍ବାଇଁଙ୍କୁ ମଧ୍ୟ ଧକ୍କା ଦେଇଥିଲା । ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ତେବେ ଉପସ୍ଥିତ ଡାକ୍ତର ସିମାଞ୍ଚଳ ଓ ନିରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ । ଏଥିସହ ଗୁରୁତର ଅମୀୟଙ୍କ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ଅପରପକ୍ଷରେ ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ କାରଟିକୁ ପୋଡାମାରୀ ଗ୍ରାମ ଠାରୁ ଅଳ୍ପ ଦୂରରେ ଥିବା ରାଜନାପଲ୍ଲୀ ଗ୍ରାମ ରାସ୍ତାରୁ ଜବତ କରିଥିବା ବେଳେ ଗାଡ଼ି ଚାଳକ ଆଶିଷ କୁମାର ସ୍ବାଇଁ ପାଟପୁର ଥାନାରେ ଆତ୍ମ ସମର୍ପଣ କରିଥିବା ପୋଲିସ ସୂଚନା ଦେଇଛନ୍ତି । ଘଟଣା ପରେ ପୋଲିସ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତ ଶବ ଦୁଇଟି ଜବତ କରି ଥାନା ମାମଲା ନଂ ୭୪୪/୨୩ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇବା ସହ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here