ମୋ ବୋଉ
*********
ବୋଉକୁ ଫରକ୍ ପଡ଼େନି କିଛି
ମଦର୍ସ ଡ଼େ ଆସିଲେ କେତେ
ନ ଆସିଲେ କେତେ
ଆଗ୍ରହର ଅଗଣାଟାରେ ମୋର
ପଡ଼ି ରହିଥାଏ ସିଏ ସେଇମିତି।
ମୁଁ ବି ଖୁବ୍ ପୁରୁଣାକାଳିଆ,
ମନେ ହିଁ ରଖିପାରେନି
ମଦର୍ସ ଡ଼େ’ କେବେ ଆସି କେବେଠୁ ଚାଲିଗଲାଣି!
ନା କେବେ ଆଦର କରେ ମୁଁ ତାକୁ
ପାଦତଳେ ଗୋଲାପର ଗୁଚ୍ଛଟିଏ ରଖି
ନା ଆଙ୍କିପାରେ
ଅସୀମ ତା ମହନୀୟତାର ପ୍ରଶସ୍ତି,
ଖାଲି ଯାହା, ନିତି ନିତି
ଯେବେବି ତା ଆଖିରୁ ମୁଁ ଅନ୍ତର ହୁଏ
ଖୁବ୍ ପାଟି କରି କହେ, ” ବୋଉଲୋ, ମୁଁ ଯାଉଛି ”
ଧାଇଁ ଆସେ ସିଏ
ପୁରା ଦୁନିଆଟାକୁ ପଛରେ ରଖି
ଠିଆ ହୁଏ ଏରୁଣ୍ଡିକୁ ଲାଗି
ବିଛାଇଦିଏ ତାର ମଙ୍ଗଳମୟୀ ଦୃଷ୍ଟି
କହେ, ” ଯାଉଛି ନୁହଁ ଧନ
ଆସୁଛି ବୋଲି କୁହନ୍ତି “।
ଫେରିଆସେ ମୁଁ ବି
ମମତାର ଆଶ୍ରୟକୁ ତାର
ଦିନତାମାମ୍ ଜୀବନ ସହ ଯୁଝି ଯୁଝି,
ତୋଳି ଧରେ ସିଏ ମଉଳା ମୁହଁଟିକୁ ମୋର
ପୋଛିନିଏ ସକଳ ମୋର କର୍ମକ୍ଳାନ୍ତି
ଭୁଲିଯାଏ ମୁଁ ଦୁନିଆର ସମସ୍ତ ଦୁର୍ବିସହତାକୁ
ଭାବେ…
” ମୋ ବୋଉ ପରି କିଏ ଅଛି !”
ବାସ୍…. ନିତି ନିତି
ସେଇ ତାର ପ୍ରାପ୍ତିର ପରାକାଷ୍ଠା
ସେତିକି ହିଁ ତାର କୋଟିନିଧି।
ଅନୁସୂୟା ମିଶ୍ର
ଭୁବନେଶ୍ୱର