ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ୍ୟୁକୁ ନେଇ ରାଜରାସ୍ତାରେ ଉତ୍ତେଜନା ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

0
144

ସାନଖେମୁଣ୍ଡି / ଗଞ୍ଜାମ – ଶନିବାର ସକାଳୁ ଆସିକା-ଦିଗପହଣ୍ଡି ମୁଖ୍ୟ ରାସ୍ତା ଶ୍ରୀଚନ୍ଦନପୁର ଗ୍ରାମ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଭିନ୍ନକ୍ଷମ ଯୁବକ ଗୁରୁତର ଆହତ ହୋଇଛନ୍ତି । ଯାହାଫଳରେ ଉକ୍ତ ଘଟଣାକୁ ନେଇ ରାଜରାସ୍ତାରେ ଗ୍ରାମବାସୀଙ୍କ ଦ୍ବାରା ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ସଙ୍ଗେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରାଯାଇଥିଲା । ମୃତ ଜଣକ ପାଟପୁର ଥାନା ଅନ୍ତର୍ଗତ ପି. ଜଗନ୍ନାଥପୁର ଗ୍ରାମର ଡାକ୍ତର ସ୍ୱାଇଁ (୬୪) ହୋଇଥିବା ବେଳେ ଗୁରୁତର ଦିବ୍ୟାଙ୍ଗ ଜଣ ହେଲେ ଶ୍ରୀଚନ୍ଦନପୁର ଗ୍ରାମର କୋରା ପାତ୍ର (୩୫) ବୋଲି ସୂଚନା ମିଳିଛି । ଖବରନୁଯାୟୀ , ଶନିବାର ସକାଳୁ ମୃତକ ଜଣକ କାର୍ତ୍ତିକ ମାସ ଉପଲକ୍ଷେ ଶ୍ରୀଚନ୍ଦନପୁ୍ର ଶିବ ମନ୍ଦିର ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ଅଜଣା ଗାଡ଼ିଟି ଦ୍ରୁତ ଗତିରେ ଆସି ବୃଦ୍ଧଙ୍କୁ ଧକ୍କା ଦେବା ସହ ରାସ୍ତା ଦେଇ ଗାଧୋଇବା ପାଇଁ ଯାଉଥିବା ଭିନ୍ନକ୍ଷମ ଯୁବକକୁ ମଧ୍ୟ ଧକ୍କା ଦେଇ ସେଠାରୁ ଚମ୍ପଟ ମାରିଥିଲା । ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଭିନ୍ନକ୍ଷମ ଜଣକ ଗୁରୁତର ହୋଇଥିଲେ । ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀଙ୍କ ସହାୟତାରେ ଗୁରୁତର ଯୁବକକୁ ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଏହାପରେ ଗ୍ରାମବାସୀଙ୍କ ଦ୍ବାରା ରାସ୍ତାରେ ଉତ୍ତେଜନା ସୃଷ୍ଟି ହେବା ସଙ୍ଗେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତାରୋକ ଆରମ୍ଭ ହୋଇଥିଲା । ଖବରପାଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ , ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ଦିଲୀପ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା ପରେ ମୃତଦେହ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ ପଠାଇଥିଲେ । ଏଥିସହ ମୃତ ପରିବାର ଲୋକଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହାଜାର ଟଙ୍କା ପ୍ରଦାନ କରିଥିବା ଜଣାପଡିଛି । ଏ ନେଇ ରଞ୍ଜନ ସ୍ବାଇଁ ପାଟପୁର ଥାନାରେ ଏତାଲା ଦେବା ପରେ ୭୩୫/୨୩ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here