ଛେଳି ଚରାଳିଙ୍କୁ ହତ୍ୟା ଅଭିଯୋଗ ; ଜଙ୍ଗଲରୁ ଶବ ଉଦ୍ଧାର , ପୋଲିସର ତଦନ୍ତ

0
673

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ରବିବାର ସକାଳୁ ବୃନ୍ଦାବନପୁର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଗଳାକଟା ଅବସ୍ଥାରେ ଜଣେ ଛେଳି ଚରାଳିଙ୍କ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି । ମୃତକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ପଦ୍ମପୁର ପଞ୍ଚାୟତ ବୃନ୍ଦାବନପୁର ଗ୍ରାମର ସୁନୀଲ ନାୟକ (୨୨) ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ଦିଆଯାଇଛି । ଏନେଇ ମୃତ ସୁନୀଲର ମାଆ ଋବି ନାୟକ ପୁଅକୁ ହତ୍ୟା ପରେ ଫୋପାଡି ଦିଆଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି । ଘଟଣାପରେ ପାଟପୁର ପୋଲିସର ତଦନ୍ତ ଜାରି ରହିଥିବା ବେଳେ ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ଅନୁସନ୍ଧାନୀ କୁକୁର ସହାୟତାରେ ଘଟଣାର ଖୋଳତାଡ଼ କରୁଥିବା ଜଣାପଡିଛି । ଖବରନୁଯାୟୀ , ଗତକାଲି ସକାଳୁ ମୃତ ସୁନୀଲ ବାପାଙ୍କ ଦେହ ଅସୁସ୍ଥ ଥିବା ହେତୁ ଛେଳିପଲ ଧରି ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇଥିଲା । ଅପରାହ୍ନରେ ମାଆ ଋବି ପୁଅ ପାଇଁ ଖାଇବା ଧରି ଜଙ୍ଗଲକୁ ଯାଇଥିଲେ ମଧ୍ୟ ପୁଅକୁ ପାଇନଥିଲେ । ଏପରିକି ଛେଳିପଲ ନିକଟରେ ପୁଅ ଧରିଥିବା ତଲାରୀ ପଡ଼ିଥିବା ବେଳେ କିଛି ରକ୍ତ ଟୋପା ପଡ଼ିଥିବା ନେଇ ମାଆର ମନରେ ଏକପ୍ରକାର ସନ୍ଦେହ ସୃଷ୍ଟି ହୋଇଥିଲା । ଏପଟେ ବିଳମ୍ବିତ ସନ୍ଧ୍ୟା ଯାଏଁ ପୁଅକୁ ଖୋଜାଖୋଜି ପରେ ଶେଷରେ ନିରାଶ ହୋଇ ଘରକୁ ଫେରିଥିଲେ । ଅପରପକ୍ଷରେ ରବିବାର ସକାଳୁ ପୁଣିଥରେ ଗ୍ରାମବାସୀଙ୍କ ସହ ମାଆ ପୁଅକୁ ସେହି ଜଙ୍ଗଲରେ ଖୋଜିବା ସମୟରେ ଏକ ଲୁଟା ବୁଦା ମୂଳେ ପୁଅର ରକ୍ତାକ୍ତ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପ୍ରଚାରିତ ପରେ ଜଙ୍ଗଲକୁ ଲୋକଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଥିଲା । ଏପଟେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଥାନା କେସ୍ ନଂ ୬୧୦/୨୩ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଏପଟେ ମୋ ପୁଅର କାହା ସହ ଶତ୍ରୁତା ନଥିବା ବେଳେ କିଏ କାହିଁକି ମାରିଛି ବୋଲି ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି । ଏପରିକି ପୋଲିସ ମୃତଦେହକୁ ଜବତ ପରେ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ବେଳେ ବ୍ୟବଛେଦ ରିପୋର୍ଟ ପରେ ଘଟଣାର ସତ୍ୟତା ସାମ୍ନାକୁ ଆସିପାରିବ ବୋଲି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here