0
570

ଫ ତୁମେ ଓ ତୁମ ଜିଦ
ସବୁ କଥାର କିଛି କାରଣ ଥାଏ
ନା ସବୁ କାରଣ ପଛରେ କିଛି କଥା ..!
ସତରେ ତୁମକୁ ବୁଝିବା କି ବୁଝାଇବା ଏତେ କଷ୍ଟ ବୋଲି ଯଦି ଜାଣିଥାଆନ୍ତି
ତୁମକୁ ବୁଝାଇବା ପୂର୍ବରୁ
ଅନ୍ତତଃ ପକ୍ଷେ ନିଜକୁ
ବୁଝିବାକୁ ଚେଷ୍ଟା କରିଥାନ୍ତି
ସତରେ
ଯେବେ ବି ମୋ ନିଜକୁ ଖୋଜେ
ମୋ ପାଦର ଯାତ୍ରା ତୁମ ନିକଟରେ ହିଁ
କାହିଁକି ଶେଷ ହୋଇଯାଏ ..
ଯଦି ସେ କଥା ମୁଁ ଜାଣନ୍ତି
ତାହେଲେ ନିଜକୁ ଖୋଜିବ ପୂର୍ବରୁ ତୁମକୁ ହିଁ ଖୋଜି ଆଣନ୍ତି ….
ଯେବେ ବି ତୁମ ସହ କଥା ହୁଏ
ତୁମରି କଥା ହିଁ କହେ
ଯାହା ବି ଶୁଣେ
ତୁମକୁ ହିଁ ଶୁଣେ
ବୁଝି ପାରେନି କଥା ମାନେ
ତୁମ ଚାରି ପାଖରେ ଘୁରି ବୁଲନ୍ତି ..
ନା କଥା ମାନଙ୍କର କଥା ସବୁ
ତୁମଠୁ ଆରମ୍ଭ ହୋଇ
ତୁମ ପାଖେ ସାରିଯାଆନ୍ତି …
ବେଳେ ବେଳେ ଭାବେ
ନା ଆଉ ନୁହେଁ
ଏଣିକି ଏକ ନିର୍ଣ୍ଣାୟକ ସ୍ତରକୁ ଆସିବାକୁ ହିଁ ପଡିବ
କିଛି କଥା ହିଁ କହିବାକୁ ହେବ
କିଛି ନ କହିବାକୁ ହେବ
ହଁ ଏମିତି କିଛି ନ କହିଵା କଥା ବି
ବେଳେ ବେଳେ କହିବାକୁ ହେବ
ଏପରି କିଛି କହିବା କଥା ବି
ନ କହିବାକୁ ହେବ …
ଜାଣିଛ , ଏ କହିବା ନ କହିବାର ଦୋଛକିରେ ଛିଡା ହୋଇ
ମୁଁ ମିଛ କହିବା ବି ଶିଖିଗଲିଣି
ଆଉ ମୋ ମିଛ ଅନ୍ୟ ପାଇଁ
କଥା ଓ କାହାଣୀର କଥାବସ୍ତୁ ପଲଟିଗଲାଣି ସେ କଥା
ମୁଁ ନିଜେ ହିଁ ଜାଣିପାରିନି …
ଅଥଚ ତୁମେ ଓ ତୁମ ଜିଦ
ଏବେ ବି ପଡିଛ
ମୋ ପ୍ରତିଟି ଅଭିବ୍ୟକ୍ତିର କାରଣ ପଛରେ…
ଯାହାର କାରଣ
ନା ତମେ ଜାଣିଛ ନା ମୁଁ….!!!

କାର୍ତ୍ତିକ ପାଣିଗ୍ରାହି
ବ୍ରହ୍ମପୁର

LEAVE A REPLY

Please enter your comment!
Please enter your name here