ତୋ-ମୋ କଥା..

0
822

କେଜାଣି କାହିଁକି ସେଦିନ
କମନରୁମରେ ତୋତେ ପ୍ରଥମ କରି ଦେଖୁ ଦେଖୁ
ଖୁବ୍ ନାଚି ଉଠିଥିଲା
ନିର୍ଜନତା ପ୍ରିୟ ମୋର ମନ।
ଲାଗିଲା, ତୋ’ରି ହାତରେ ହାତ ଛନ୍ଦି
ଚାଲି ଯାଇପାରିବି ମୁଁ ଏବେ
ଚାରିପଟେ ଅଚିହ୍ନାପଣର ସମସ୍ତ ଆସ୍ତରଣକୁ ଭେଦି।
ମୁଁ ବଢ଼ାଇଲି ହାତ
ବନ୍ଧୁତାକୁ ଡୋରିଟିଏ କରି ବାନ୍ଧିଦେଲୁ ତୁ,
ପାଦରେ ପାଦ ମିଳାଇ ଚାଲୁ ଚାଲୁ
କେତେବେଳେ ଗଣ୍ଠି ପଡିଗଲା ସେ ଡୋରିରେ
ନା ତୁ ଜାଣିପାରିଲୁ, ନା ମୁଁ।
କ୍ଲାସରୁମ, କରିଡର, ଲାଇବ୍ରେରୀ,
କଲେଜ ସାମ୍ନା ପାର୍କର ସବୁଜ ଗାଲିଚା,
ଅବା
ବସଷ୍ଟପ୍ ରେ ଜାଣି ଜାଣି ବସ ମିସ୍ କରି
ପରବର୍ତ୍ତୀ ବସର ଅପେକ୍ଷା,
ତୁ ଥିଲେ ମୋ ଦୁନିଆ ଉଛୁଳି ଉଠେ
ତୁ ନ ଥିଲେ ମୁଁ ସମ୍ପୂର୍ଣ ନିଶୂନ।
ଅଚାନକ ଦିନେ ଭିନ୍ନ ମୋଡ଼ ନେଲୁ ତୁ,
ତୋ ଉପରେ ପରିସ୍ଥିତିର ଚାପ
ଉପାୟଶୂନ୍ୟ ମୁଁ,
ବଦଳିଗଲା ଆମ ସମ୍ପର୍କର ନକ୍ସା।
ସେଇଦିନଠାରୁ ଆଜି ପର୍ଯ୍ୟନ୍ତ
ଭିନ୍ନ ଆମ ଚଲାପଥ,
ଭିନ୍ନ ଛନ୍ଦେ ଚଳେ ଆମ ପାଦ।
ତଥାପି,
ବାରମ୍ବାର ଝୁଙ୍କିପଡ଼େ ମୁଁ, ଝୁଙ୍କିପଡୁ ତୁ ବି।
କିନ୍ତୁ,
ନା ମୋ ଯାଏଁ ତୋ ହାତ ପାଏ
ନା ତୋ ଯାଏଁ ମୋର ଅଧିକାର କୁଳାଏ।
ମନ କହେ, ଥାଆନ୍ତା କି
ପରିକାହାଣୀର ସେଇ କୁହୁକୀ ଛଡ଼ଟେ
ବଦଳାଇ ଦିଅନ୍ତି ମୁଁ
ତୋ’ଠାରୁ ମୋ ଭିତରେ ଆଜି
କର୍ତ୍ତବ୍ୟ ଆଉ କର୍ମର ସାଜସଜ୍ଜା ଯେତେ,
ଫେରି ଯାଆନ୍ତେ ଆମେ ସେଇ ଅଫେରା ଦିନକୁ।
ପୁଣି ଥରେ
କଲେଜ ପାଖର ସେଇ ଅଙ୍କାବଙ୍କା ଶୂନଶାନ ରାସ୍ତାରେ
ଗଡ଼ି ଚାଲନ୍ତା ଆମ ଜୀବନର ସ୍ରୋତ,
ତୋ ଅଣ୍ଟାକୁ ବେଢ଼େଇ ଧରନ୍ତି ମୁଁ,
ମୋ କାନ୍ଧରେ ଥାଆନ୍ତା ତୋ ହାତ।
ଅନୁସୂୟା ମିଶ୍ର
ଭୁବନେଶ୍ୱର

LEAVE A REPLY

Please enter your comment!
Please enter your name here