0
569

କନ୍ୟା ଦିବସରେ କଅଣ ଲେଖିବି
ଭାଷା ଖୋଜି ପାଉନାହିଁ,
କନ୍ୟା କନ୍ୟା ବୋଲି ସମସ୍ତେ କାନ୍ଦନ୍ତି
ଲୁହ କା’ର ବହେ ନାହିଁ।
ନିକଟରେ ପରା କନ୍ୟାଟିଏ ମଲା
ଅଖାରୁ ମିଳିଲା ଶବ,
ମଣିଷ ପଣିଆ ଅଭାବ ଯେ ଏଠି
ଭଲକରି ଟିକେ ଭାବ।
ଆରୁଷି, ବେବିନା କେତେ ଯେ ସୁକନ୍ୟା
ଅକାଳରେ ଝଡ଼ିଗଲେ,
କନ୍ୟା ଦିବସର ଅବଶ୍ୟକ ନାହିଁ
କନ୍ୟାକୁ ରତ୍ନ ଭାବିଲେ।
ଅନାଥ ଆଶ୍ରମେ ସଢ଼ୁଛନ୍ତି ଆଜି
କେତେ ଅବାଂଛିତ କନ୍ୟା,
ଇତିହାସ ତାଙ୍କ ପଚାରି ତ ବୁଝ
ଆଖିରେ ଆସିବ ବନ୍ୟା।
ମୁହଁରେ କହିବା ପାଳନ କରିବା
ଭିତରେ ତଫାତ ଅଛି,
ସଭାରେ ଯେତେକ ଭାଷଣ ଦିଅନ୍ତି
ଘରେ ସେ ନୁହଁନ୍ତି କିଛି।
ଶୋଷଣ,କଷଣ ଯେତେକ ଅଳିଆ
ସବୁ ତାଙ୍କ ପାଖେ ଥାଏ,
ବାହାରେ ଅନ୍ୟକୁ ଆଙ୍ଗୁଠି ଦେଖେଇ
ବାଃହାବା ନିଅନ୍ତି ସିଏ।
ନିଜ ଝିଅ ପରି ସବୁ ଝିଅଙ୍କୁ ଯେ
ସମାନ ଚକ୍ଷୁ ରେ ଦେଖେ
ପ୍ରକୃତ ମଣିଷ ବୋଲି ସେ ଜାଣିବ
ନିବେଦନ କରି ଲେଖେ।

ବନ୍ଦନା ନାୟକ
ଭୁବନେଶ୍ୱର

LEAVE A REPLY

Please enter your comment!
Please enter your name here