ବୁଗୁଡା ପିପୁଲସ କଲେଜରେ ଜାତୀୟ କ୍ରୀଡା ଦିବସ

0
235

ବୁଗୁଡା: ଅଗଷ୍ଟ ୨୯ ତାରିଖ ଦିନ ବୁଗୁଡା ପିପୁଲସ କଲେଜ ପକ୍ଷରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ମାରାଥନ ଦୌଡ଼ ଓ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ୧୯୦୫ ଅଗଷ୍ଟ ୨୯ ତାରିଖ ଦିନ ଭାରତୀୟ ହକିର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦ ସିଂହ ଜନ୍ମଗ୍ରହଣ କରିଥିଲେ। ୨୦୧୨ ମସିହା ଠାରୁ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ ହୋଇଆସୁଅଛି। ଏହି ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ବୁଗୁଡା ମଦନ ମୋହନ ଛକ ଠାରୁ କଲେଜ ପର୍ଯ୍ୟନ୍ତ ମାରାଥନ ଦୌଡ଼ ଅନୁଷ୍ଠିତ ହୋଇଥିଲା। ମାରାଥନ ଦୌଡ଼ରେ ସୁନୀଲ କୁମାର ରାଉତ ପ୍ରଥମ, ଗଣେଶ ବିଷୋୟୀ ଦ୍ଵିତୀୟ ଓ ଶୁଭରଞ୍ଜନ ପାଣି ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଭଞ୍ଜନଗର କେଏସୟୁବି କଲେଜ ଟିମ, ବାଲିପଦର ଡିଗ୍ରୀ କଲେଜ ଟିମ, କଣାଛାଇ ହାଇ ସ୍କୁଲ ଟିମ ଓ ବୁବୁଡ ପିପୁଲସ କଲେଜ ଟିମ ମଧ୍ୟରେ ପୁରୁଷ ଓ ମହିଳା କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୁରୁଷ ବିଭାଗରେ ବୁଗୁଡା କଲେଜ ଟିମ ବିଜୟୀ ହୋଇଥିବା ବେଳେ ଭଞ୍ଜନଗର କଲେଜ ଟିମ ରନର୍ସ ହୋଇଥିଲେ। ମହିଳା ବିଭାଗରେ ବାଲିପଦର କଲେଜ ଟିମ ବିଜୟୀ ହୋଇଥିବା ବେଳେ ବୁଗୁଡା କଲେଜ ଟିମ ରନର୍ସ ହୋଇଥିଲେ। ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବୁଗୁଡା ବିଡ଼ିଓ ବାସୁଦେବ ନାୟକ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟିର ସଭାପତି ରଜନୀକାନ୍ତ ଭଟ୍ଟ ଓ ଉପସଭାପତି ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଯୋଗଦେଇଥିଲେ। ଅତିଥି ବୃନ୍ଦ କ୍ରୀଡ଼ାରେ ସଫଳତା ହାସଲ କରିଥିବା ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ। ବୁଗୁଡା କଲେଜର କ୍ରୀଡା ଅଧ୍ୟାପକ କ୍ରୀଷ୍ଣା ରାଓ ପାତ୍ର, ବାଲିପଦର କଲେଜ କ୍ରୀଡା ଅଧ୍ୟାପକ ଭଞ୍ଜ କିଶୋର ଗୌଡ଼, ଶ୍ରୀନିବାସ ଦୋରା, ବି.ଗୋପାଳ ଚନ୍ଦ୍ର ପାତ୍ର ପ୍ରମୁଖ କ୍ରୀଡା ପରିଚାଳନା କରିଥିଲେ। ଅଧ୍ୟାପକ ପି.କେ.ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଆତ୍ମପ୍ରକାଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here