ବିକାଶର ମଡେଲ ହେବ ପୋଲସରା- ଫାଇଭି ଟି ସଚିବ

0
179

ପୋଲସରା : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଫାଇଭି ଟି ସଚିବ ଭି.କେ.ପାଣ୍ଡିଆନ ଗଞ୍ଜାମ ଜିଲ୍ଲାକୁ ତିନି ଦିନିଆ ଗସ୍ତ। ଦ୍ଵିତୀୟ ଦିବସ ଶନିବାର ଦିନ ଶ୍ରୀ ପାଣ୍ଡିଆନ ପୋଲସରା ନିର୍ବାଚନ ମଣ୍ଡଳୀକୁ ଗସ୍ତରେ ଆସି ପୋଲସରା ଲୁଣିଘାଟି ପଡିଆରେ ଆୟୋଜିତ ହୋଇଥିବା ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ଅପରାହ୍ନ ୩ ଘଣ୍ଟ ୧୦ ମିନିଟ ସମୟରେ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ । ପୋଲସରାରେ ଫାଇଭି ଟି ସଚିବଙ୍କୁ ବିଶାଳ ଜନ ସମୁଦ୍ର ଜଣାଇଥିଲେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା। ବ୍ୟାରିକେଟ୍ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ଉତ୍ସାହ ସହ ଅପେକ୍ଷା କରିଥିବା ଜନସାଧାରଣଙ୍କ ନିକଟକୁ ଫାଇଭି ଟି ସଚିବ ଯାଇ ହାତ ମିଶାଇ, ମୋବାଇଲରେ ସେଲଫି ନେବା ସହିତ ରାକ୍ଷୀ ବାନ୍ଧି ଥିଲେ। ଏହି ଅବସରରେ ଶ୍ରୀ ପାଣ୍ଡିଆନ ଜନସାଧାରଣଙ୍କ ନିକଟରୁ ପ୍ରାୟ ଚାରି ଶହ ଦରଖାସ୍ତ ଗ୍ରହଣ କରିଥିଲେ। ଏହାପରେ ସଭା ମଣ୍ଡପରେ ପହଞ୍ଚି ପୋଲସରା ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋକ ପାତ କରିଥିଲ । ପ୍ରଥମେ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧିତ କରି ଫାଇଭି ଟି ରୂପାନ୍ତରିତ ହାଇ ସ୍କୁଲ କେମେତି ଲାଗୁଛି ବୋଲି ପ୍ରଶ୍ନ କରିଥିଲେ । ବର୍ତମାନ ବିଭିନ୍ନ କଲେଜ ଫାଇଭି ଟି ରୂପାନ୍ତରିତ ହେବାକୁ ଯାଉଛି । ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ବିଜ୍ଞାନ ମହାବିଦ୍ୟାଳୟ, ପୋଲସରା ଆଞ୍ଚଳିକ ମହିଳା ମହାବିଦ୍ୟାଳୟ, ବର୍ତ୍ତିନୀ ବିଜ୍ଞାନ ମହାବିଦ୍ୟାଳୟ, ଓ ବୁଗୁଡ଼ା ପିପୁଲସ୍ କଲେଜ ପ୍ରମୁଖ ଚାରିଗୋଟି ମହାବିଦ୍ୟାଳୟକୁ ଫାଇଭି ଟି ରୂପାନ୍ତରିତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ପ୍ରକାଶ କରିଥିଲେ । କଟକ ଓ ଭୁବନେଶ୍ବର ସହରାଞ୍ଚଳର ଛାତ୍ରଛାତ୍ରୀମାନେ ଯେଉଁଭଳି ସୁବିଧା ପାଉଛନ୍ତି ପୋଲସରା ଓ ବୁଗୁଡ଼ା ଅଞ୍ଚଳର ଛାତ୍ରଛାତ୍ରୀ ମାନେ ସେହିଭଳି ସୁବିଧା ପାଇବେ । ଛାତ୍ରଛାତ୍ରୀମାନଙ୍କ ଯେଉଁ ସବୁ ସ୍ବପ୍ନ ରହିଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଫାଇଭି ଟି ଜରିଆରେ ତାହା ପୂରଣ କରିଛନ୍ତି। ବର୍ତମାନ ଛାତ୍ରଛାତ୍ରୀମାନଙ୍କ କର୍ତ୍ତବ୍ୟ ହେଲା ଦିନରାତି କଠିନ ପରିଶ୍ରମ କରି ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବେ। ଶ୍ରୀ ପାଣ୍ଡିଆନ କହିଥିଲେଯେ “ମୁଁ ମଧ୍ୟ ଗ୍ରାମରୁ ଆସିଅଛି। ୨୦ କିଲୋମିଟର ସାଇକେଲରେ ଯାଇ ସରକାରୀ ସ୍କୁଲରେ ପାଠପଢି କଠିନ ପରିଶ୍ରମ କରି ଆଇଏଏସ ପାଇ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛି। ଆପଣମାନେ ମଧ୍ୟ ଏହିପରି ଆତ୍ମବିଶ୍ବାସ ରଖି ଆଗକୁ ବଢନ୍ତୁ। ଆପଣମାନଙ୍କର ସୁଖଦୁଃଖ, ସମସ୍ୟା ବୁଝିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ପଠେଇଛନ୍ତି” । ମନ୍ଦିର, କମ୍ୟୁନିଟ୍ ସେଣ୍ଟର ପାଇଁ ଯେଉଁ ସବୁ ଦରଖାସ୍ତ ହୋଇଛି ସେମାନେ ୭ ଦିନ ଭିତରେ ଉତ୍ତର ପାଇବେ।ଅନ୍ୟ ସବୁ ଦରଖାସ୍ତର ଉତ୍ତର ଏକ ମାସ ମଧ୍ୟରେ ଦିଆଯିବ। ଏହାପରେ ମିଶନ ଶକ୍ତି ମାଆ ମାନଙ୍କୁ ସମ୍ବୋଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ଯୋଜନା ମିଶନ ଶକ୍ତି ସଂପର୍କରେ ଆଲୋକପାତ କରିଥିଲେ। ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ଥିବା କହିଥିଲେ । ମିଶନ ଶକ୍ତି ମାଧ୍ୟମରେ ରାଜ୍ୟରେ ସତୁରି ଲକ୍ଷରୁ ଉର୍ଦ୍ଧ୍ଵ ମହିଳା ସାମିଲ ହୋଇଛନ୍ତି। ଗତବର୍ଷ ଗଞ୍ଜାମ ଜିଲ୍ଲାର ୩୧ହଜାର ୭ଶହ ଗ୍ରୁପ୍ ମହିଳା ମିଶନ ଶକ୍ତି ମାଧ୍ୟମରେ ଏକ ହଜାର ଶହେ ତେର କୋଟି ଟଙ୍କା ଋଣ ନେଇଛନ୍ତି। ମହିଳାମାନେ ଅଧିକ ପରିଶ୍ରମ କରି ସଶକ୍ତିକରଣ ହେବାକୁ ଆହ୍ବାନ ଦେଇଥିଲେ। ନିଜ ଅଞ୍ଚଳରେ ଖାଲି ପଡ଼ିଥିବା ସରକାରୀ କୋଠା ଚିହ୍ନଟ କରି ସେଥିରେ ମିଶନଶକ୍ତି ଗୃହକରି ତାହାକୁ ତାଲିମ କେନ୍ଦ୍ର ଭାବରେ ବ୍ୟବହାର କରିପାରିବେ ବୋଲି ପ୍ରକାଶ କରିଥିଲେ। ଏହାପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ପାଇପ୍ ଦ୍ୱାରା ପାନୀୟ ଜଳଯୋଗାଣ ଯୋଜନା କାର୍ଯ୍ୟକ୍ରମ ମାନ୍ୟବର ମୁଖ୍ୟମନ୍ତ୍ରୀ ହାତକୁ ନେଇଛନ୍ତି। ଏଥି ନିମନ୍ତେ ପନ୍ଦର ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହା ବ୍ୟତୀତ ବୁଢାମ୍ବ – ବୁଗୁଡ଼ା ରାସ୍ତା ନିମନ୍ତେ ପଚାଶ କୋଟି ଟଙ୍କା, ଧନେଇ ନଦୀ ଉପରେ ବ୍ୟାରେଜ ନିର୍ମାଣ ପାଇଁ କୋଡିଏ କୋଟି ଟଙ୍କା, ପିଲାଙ୍କ କ୍ରୀଡା ନିମନ୍ତେ ପ୍ରାୟ ତେର କୋଟି ଟଙ୍କା ବ୍ୟୟରେ ପୋଲସରା ଓ ବୁଗୁଡ଼ାରେ ଇନଡୋର ଷ୍ଟାଡିୟମ୍ ନିର୍ମାଣ ଚାଲିଛି। ଆଉ ଏକ ମାସ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଶୁଭ ଉଦଘାଟନ ହେବ । ଆଜିର ଏହି ଅବସରରେ ପୋଲସରା ଅଞ୍ଚଳର ବିକାଶ ଓ ସମସ୍ୟାର ସମାଧାନ ନେଇ ପୋଲସରା ଓ ବୁଗୁଡାର ୪୭ ଗୋଟି ପଞ୍ଚାୟତ, ଦୁଇ ଏନ୍ଏସି ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ କରାଯାଇଛି। ମାରଦା ମନ୍ଦିର ଭଳି ପ୍ରତ୍ୟେକ ଧାର୍ମିକସ୍ଥଳୀ ଗୁଡ଼ିକର ଉନ୍ନତି ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବା ସହିତ ପୋଲସରା ନିର୍ବାଚନ ମଣ୍ଡଳୀକୁ ବିକାଶର ମଡେଲରେ ପରିଣତ କରାଯିବ ବୋଲି ବାର୍ତ୍ତା ପ୍ରଦାନ କରିଛନ୍ତି। ଫାଇଭି ଟି ସଚିବଙ୍କ ଗସ୍ତ ସମୟରେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ,ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସମେତ ବହୁ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ। ବିଜେପି ପକ୍ଷରୁ ବିରୋଧ ପ୍ରଦର୍ଶନ କରିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଘୁମୁସର ଜିଲ୍ଲା ସଭାପତି ଗୋକୁଳ ନନ୍ଦ ମଲ୍ଲିକ, ଉପସଭାପତି ପ୍ରଭାକର ପଣ୍ଡା, ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ, ରଘୁନାଥ ପଣ୍ଡା ସମେତ ୩୦ରୁ ଉର୍ଦ୍ଧ୍ବ କର୍ମୀ ଫାଇଭି ଟି ସଚିବ ଭି କେ ପାଣ୍ଡିଆନ ଓ ସ୍ଥାନୀୟ ପ୍ରଶାସନ ବିରୋଧରେ ନାରାବାଜି କରିବା ସହିତ କଳା ପତାକା ପ୍ରଦର୍ଶନ କରିଥିଲେ। କିଛି ଶାସକ ଦଳର କର୍ମୀମାନଙ୍କ ସହିତ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହେବାପରେ ସୁରକ୍ଷା କର୍ମୀ ପରିସ୍ଥିତିକୁ ଆୟତ୍ତ କରିଥିଲେ। ସେଠାରୁ ବିଜେପି କର୍ମୀ ମାନେ ଫେରି ଯାଇଥିଲା। ବୁଗୁଡା ନବ ନିର୍ମାଣ କୃଷକ ସଙ୍ଗଠନର କର୍ମୀ ମାନେ ବିରୋଧ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ରାଜ୍ୟ କାର୍ଯ୍ଯକାରେଣୀ ସଦସ୍ୟ ଦେବୀ ପ୍ରସାଦ ମହାରଣା, ଜିଲ୍ଲା କାର୍ଯ୍ଯକାରେଣୀ ସଦସ୍ୟ ମନୋଜ କୁମାର ମିଶ୍ର, ମଥୁରା ଗ୍ରାମର ରଞ୍ଜନ ସ୍ବାଇଁଙ୍କ ସମେତ ଅନ୍ୟ ମାନଙ୍କୁ ଉଠାଇ ନେଇ ବୁଗୁଡା ଥାନାରେ ଅଟକ ରଖି ପରବର୍ତ୍ତୀ ସମୟରେ ଛାଡିଦେଇଥିଲେ। ଲୁନିଘାଟି କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କୁ ଅଣଦେଖା କରାଯାଇଥିଲା । ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ କୌଣସି ଗ୍ଯାଲେରୀର ବ୍ୟବସ୍ଥା ହୋଇନଥିଲା। ଯାହା ଫଳରେ ସାମ୍ବାଦିକମାନେ ସମ୍ବାଦ ସଂଗ୍ରହ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here