ଇଟାଭାଟିରୁ ନବବଧୁଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର : ସ୍ବାମୀ ଅଟକ

0
156

ସାନଖେମୁଣ୍ଡି – ପାଟପୁର ଥାନା ପୋଲିସ ସୋମବାର ଦିନ ସ୍ଥାନୀୟ ଲକ୍ଷ୍ମୀ ମନ୍ଦିର ସାହି ଆମ୍ବଠା ମୁଖ୍ୟ ରାସ୍ତା ନିକଟରେ ରହିଥିବା ଏକ ଇଟାଭାଟିରୁ ରବିବାର ସକାଳୁ ଜଣେ ନବବଧୁଙ୍କ ମୃତଦେହ ସନ୍ଦେହଜନକ ଭାବେ ଉଦ୍ଧାର କରିଥିବା ଜଣାପଡିଛି । ମୃତ ମହିଳାଙ୍କ ନାମ ସୁଲୋଚନା ଦାସ ହୋଇଥିବା ବେଳେ ତାଙ୍କ ଘର ସାନଖେମୁଣ୍ଡି ବ୍ଲକ ପଳାସପୁର ଗ୍ରାମ ବୋଲି ସୂଚନା ମିଳିଛି । ଘଟଣାପରେ ପୋଲିସ ମୃତକଙ୍କ ସ୍ବାମୀ ରଞ୍ଜନ ଦାସଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡିଛି । ଖବରନୁଯାୟୀ , ୬ ମାସ ତଳେ ପଳାସପୁର ଗ୍ରାମର ରଞ୍ଜନ ଦାସ କୁକୁଡ଼ାଖଣ୍ଡି ଗ୍ରାମର ସୁଲୋଚନାଙ୍କୁ ବୈଦିକ ରୀତିରେ ଦ୍ଵିତୀୟ ବିବାହ କରିଥିଲେ । ଏଥିସହ ରଞ୍ଜନ ପରିବାର ପୋଷଣ ନିମନ୍ତେ ଦିନ ମଜୁରିଆ ଭାବେ ଉକ୍ତ ଇଟାଭାଟିରେ ଶ୍ରମିକ ରୂପେ କାର୍ଯ୍ୟ କରି ଆସୁଥିଲେ । ତେବେ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହି ଆସୁଥିବା ନେଇ ପରିବାର ସଦସ୍ୟ ପୋଲିସ ନିକଟରେ କହିଥିଲେ । ତେବେ ଶନିବାର ସନ୍ଧ୍ୟାରେ ସୁଲୋଚନା ନିଜ ମାଆଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା ହୋଇଥିବା ବେଳେ ରାତ୍ର ୧୦ ଘଣ୍ଟା ସମୟରେ ରଞ୍ଜନ ନିଜ ସ୍ତ୍ରୀ ସୁଲୋଚନର ମୃତ୍ୟୁ ହୋଇଥିବା ଖବର ଝିଅର ମାଆଙ୍କୁ ଜଣାଇଥିଲେ । ଝିଅର ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଉକ୍ତ ଇଟାଭାଟିରେ ପହଞ୍ଚିଥିଲେ । ତେବେ ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ପରିବାର ଲୋକେ । ଏପଟେ ସୁଲୋଚନାର ବେକରେ ଦାଗ ଚିହ୍ନଟ ରହିଥିବା ବେଳେ ଝିଅକୁ ହତ୍ୟା କରାଯାଇଥିବା ସନ୍ଦେହ କରି ପରିବାର ଲୋକେ ପାଟପୁର ଥାନାରେ ଏକ ଏତଲା ଦେଇଛନ୍ତି । ଅପରପକ୍ଷରେ ପୋଲିସ ଏତଲାକୁ ଭିତ୍ତିକରି ଥାନା କେସ୍ ନଂ ୫୪୬/୨୩ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି । ଏପଟେ ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ବେଳେ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ମଧ୍ୟ ସୂଚନା ଦିଆଯାଇଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here