୫ ଟି ସଚିବଙ୍କ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଗସ୍ତ ; ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ସଭାସ୍ଥଳ , ବିଜେଡି – ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି

0
166

ଦିଗପହଣ୍ଡି – ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଲୋକଙ୍କ ସମସ୍ୟା ବୁଝିବା ପାଇଁ ୫ ଟି ସଚିବ ଭି . କାର୍ତ୍ତିକେୟନ ପାଣ୍ଡିଆନ ୩ ଦିନିଆ ଗଞ୍ଜାମ ଗସ୍ତରେ ଆସିଥିବା ବେଳେ ରବିବାର ଦିନ ଶେଷ ଦିବସରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଗସ୍ତରେ ପହଞ୍ଚିଥିଲେ । ମଧ୍ୟାହ୍ନ ୧ ଘଣ୍ଟାରେ ଦିଗପହଣ୍ଡି ବିଦ୍ୟୁତ ସବ୍ ଷ୍ଟେସନ ନିକଟରେ ହୋଇଥିବା ହେଲିପ୍ଯାଡରେ ହେଲିପେକ୍ଟର ଅବତରଣ କରିବା ପରେ ଖେମୁଣ୍ଡି ମହାବିଦ୍ୟାଳୟ ଖେଳ ପଡିଆ ଠାରେ ପ୍ରଶାସନ ପକ୍ଷରୁ ଆୟୋଜିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ୫ ଟି ସଚିବ ଶ୍ରୀ ପାଣ୍ଡିଆନ ସଭାସ୍ଥଳରେ ପହଞ୍ଚିବା ପରେ ମହିଳାଙ୍କ ଦ୍ବାରା ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିସହ ସଭାରେ ଯୋଗ ଦେଇଥିବା ୧୫ ହଜାରରୁ ଉର୍ଦ୍ଧ୍ବ ମହିଳାଙ୍କ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇ ପଡୁଥିଲା ସଭାମଞ୍ଚ । ଏହି ଅବସରରେ ୫ ଟି ସଚିବ ମଞ୍ଚରେ ଜୟ ଜଗନ୍ନାଥ ଉଚ୍ଚାରଣ କରି ମୁଖ୍ୟମନ୍ତ୍ରୀ ତୁମ ଅଞ୍ଚଳର ସମସ୍ଯା ବୁଝିବା ପାଇଁ ମୋତେ ପଠାଇଥିବା କହିଥିଲେ ।ସେହିପରି ସରକାରଙ୍କ ମିଶନଶକ୍ତି ଋଣ ଯୋଜନାରେ ମହିଳା ମାନେ ନିଜେ ସ୍ବାବଲମ୍ବୀ ହୋଇପାରିଛନ୍ତି ଏବଂ ଗତ ବର୍ଷ ରାଜ୍ୟରେ ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମ ୧ ହଜାର କୋଟି ଟଙ୍କା ମିଶନ ଶକ୍ତି ମହିଳାମାନଙ୍କୁ ବିନା ସୁଦ୍ଧରେ ଋଣ ପ୍ରଦାନ କରିଥିଲା । ସେହିପରି ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ ସମ୍ପର୍କରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଥିଲେ। ଏଥିସହ ମନ୍ଦିର , ମସଜିଦ, ଚର୍ଚ୍ଚର ଉନ୍ନତି କରଣ ପାଇଁ ଦିଆଯାଇଥିବା ସମସ୍ତ ଅଭିଯୋଗକୁ ପ୍ରାଧାନ୍ୟ ଦେବା ସହିତ ଆସନ୍ତା ଏକ ସପ୍ତାହ ମଧ୍ୟରେ ତାହାର ଉନ୍ନତି କରଣ ପାଇଁ ସହାୟତା ଘୋଷଣା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଗୋଷ୍ଠୀ କେନ୍ଦ୍ରର ନିର୍ମାଣ ଏବଂ ମରାମତିକୁ ମଧ୍ୟ ଗୁରୁତ୍ୱ ଦିଆଯିବ ଏବଂ ସେଥିପାଇଁ ସହାୟତା ଘୋଷଣା କରାଯାଇଛି । ଜିଲ୍ଲାର ଚାଷୀ ମାନଙ୍କ ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣରେ ପ୍ରଦାନର ଯୋଜନା କରାଯାଇଛି। ଫସଲ ବିମା ରାଶି ପ୍ରଦାନ ପାଇଁ ଯୋଜନା କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାର ୧ ଲକ୍ଷ ୨୫ ହଜାର ଚାଷୀ ଉପକୃତ ହୋଇପାରିବେ ଏଥି ନିମନ୍ତେ ସେମାନଙ୍କୁ କୌଣସି ପ୍ରିମିୟମ ଦେବାକୁ ପଡିବ ନାହିଁ ବୋଲି ଘୋଷଣା କରିଥିଲେ । ଏଥିସହ ପାନୀୟ ଜଳର ସମସ୍ୟାର ସମାଧାନ , ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ଉପରେ ପ୍ରାଧାନ୍ୟ ଉପରେ ଗୁରୁତ୍ୱାରୋପ ଦିଆଯିବ ବୋଲି କହିଥିଲେ । ପରିଶେଷରେ ଦିଗପହଣ୍ଡି ଓ କୁକୁଡାଖଣ୍ଡି ବ୍ଳକର ସମୁଦାୟ ୪୨ ଗୋଟି ପଞ୍ଚାୟତର ଜନ ସାଧାରଣ ସେମାନଙ୍କ ଅଞ୍ଚଳର ସମସ୍ଯା ସମାଧାନ ଉପରେ ଅଭିଯୋଗ ଜଣାଇଥିଲେ । ଏହି ସଭାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭି. କିର୍ତ୍ତୀ ଭାସେନ , ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକଣ୍ଣୀ , ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ଶ୍ରବଣ ବିବେକ ଏମ୍ ସମେତ ଜିଲ୍ଲା ଓ ବ୍ଳକ ପ୍ରଶାସନ ବିଭାଗୀୟ ଅଧିକାରୀ ସମେତ କର୍ମଚାରୀ ନିୟୋଜିତ ସହଯୋଗ ପ୍ରଦାନ କରିଥିଲେ । ଶାନ୍ତି ଶୃଙ୍ଖଳା , ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ତେବେ ୫ ଟି ସଚିବଙ୍କ ଗସ୍ତ ପୂର୍ବରୁ ସ୍ଥାନୀୟ ପୁଞ୍ଜିକୟାଁ ଛକ ନିକଟରେ ବିଜେପି କର୍ମୀ ଓ ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଖଣ୍ଡଯୁଦ୍ଧ ହୋଇଥିଲା । ଏଥିରେ କିଛି କର୍ମୀ ଆହତ ହୋଇଥିବା ଜଣାପଡିଛି । ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ବାଧ୍ୟ ହୋଇ ଲାଠି ଚାଳନା କରିଥିଲା । ଏପରିକି ବିଜେପି କର୍ମୀମାନେ ଏହି ଗସ୍ତକୁ ବିରୋଧ କରିବାରୁ ପୋଲିସ ସେମାନଙ୍କୁ ଉଠାଇ ନେଇଥିବା ଜଣାପଡିଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here