ଦୁଇଦିନିଆ ସମ୍ଭାଗ ସ୍ତରୀୟ ସାଂସ୍କୃତିକ ମହୋତ୍ସବ ଉଦଯାପିତ

0
376

ଦିଗପହଣ୍ଡି: ଦୁଇଦିନ ଧରି ଦିଗପହଣ୍ଡି ସରସ୍ଵତୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆୟୋଜନ ହୋଇଥିବା ଦକ୍ଷିଣ – ପୂର୍ବ ସମ୍ଭାଗ ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ରବିବାର ଦିନ ଉଦଯାପିତ ହୋଇଯାଇଛି । ବିଦ୍ୟାମନ୍ଦିର ପ୍ରଧାନାଚାର୍ଯ୍ଯ ଷଷ୍ଠୀ ପ୍ରସାଦ ବିଷୋୟୀ ଓ ଭଗବତୀ ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଏବଂ ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଶନିବାର ଦିନ ମହୋତ୍ସବର ଉଦଘାଟନୀ ସମାରୋହରେ ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟାପକ କୈଳାସ ଚନ୍ଦ୍ର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିବା ସହ ସଂସ୍କୃତିକୁ ଉଜ୍ଜୀବିତ ରଖିବାରେ ଆଗାମୀ ପିଢ଼ିରେ ଛାତ୍ରଛାତ୍ରୀଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଆଲୋକପାତ କରିଥିଲେ । ସେହିପରି ସମ୍ଭାଗ ଜିଲ୍ଲା ପ୍ରମୁଖ ଉପେନ୍ଦ୍ର ପଣ୍ଡା ଅନ୍ୟତମ ଅତିଥି ରୂପେ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ନିକଟରେ କଳା ପ୍ରତିଭା ଲୁଚି ରହିଥିଲେ ମଧ୍ୟ ତାହାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ବର୍ଣ୍ଣନା କରାଯାଇଛି । ଏପରିକି ଲୋକନୃତ୍ୟ , ମୂର୍ତ୍ତି କଳା , କଥାକଥନ , ତତ୍କାଳିକ ଭାଷଣ , ପ୍ରଶ୍ନମଞ୍ଚ ପ୍ରମୁଖ ପ୍ରତିଯୋଗିତାରେ ଗଞ୍ଜାମ , ଗଜପତି ଓ ଫୁଲବାଣୀ ସମ୍ଭାଗ ବିଭାଗର ବିଭିନ୍ନ ବିଦ୍ୟାଳୟରୁ ଚତୁର୍ଥ ଶ୍ରେଣୀ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁବର୍ଗ , ବାଲବର୍ଗ , କିଶୋର ବର୍ଗ ଏବଂ ତରୁଣ ବର୍ଗରୁ ୩୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ୬୦ ଜଣ ଗୁରୁଜୀ ଗୁରୁମା ଉପସ୍ଥିତ ରହିଥିଲେ । ସେହିପରି ସାହିତ୍ୟିକ ପ୍ରକାଶ ପାଣିଗ୍ରାହୀ , ପିତବାସ ତ୍ରିପାଠୀ , ପ୍ରଧାନଶିକ୍ଷକ ଦିବ୍ୟସିଂହ ପାଠୀ , ଶିକ୍ଷକ ଗୋପାଳ ସାବତ , ରଘୁନାଥ ଦୋରା ଓ ଶ୍ରୀକାନ୍ତ ସାମନ୍ତରାୟ , ଆଲୋକ ବିଷୋୟୀ ପ୍ରମୁଖ ବିଚାରକଙ୍କ ଉପସ୍ଥିତିରେ ସମସ୍ତ ପ୍ରତିଯୋଗିତା କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା । ରବିବାର ଦିନ ଉଦଯାପନୀ ସମାରୋହରେ ଦକ୍ଷିଣ – ପୂର୍ବ ସମ୍ଭାଗ ସଂପାଦକ କିରଣ କୁମାର ପାଢ଼ୀ , ଜିଲ୍ଲା ପ୍ରମୁଖ ଶ୍ରୀ ପଣ୍ଡା , ବିଦ୍ଯାଳୟ ପରିଚାଳନା କମିଟି ସଂପାଦକ ପ୍ରକାଶ ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହି କାର୍ଯ୍ୟକ୍ରମର ମହତ୍ତ୍ଵ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ପରିଶେଷରେ ବିଭିନ୍ନ ବର୍ଗରେ କଳା ପ୍ରଦର୍ଶିତ କରିଥିବା କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଛତ୍ରପୁର ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିବେଷିତ ହୋଇଥିବା ଦଣ୍ଡନାଚକୁ ଶ୍ରେଷ୍ଠ ମାନ୍ୟତା ଦିଆଯିବା ସହ ଆଗାମୀ ଦିନରେ କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରାନ୍ତ ସ୍ତରୀୟ ସାଂସ୍କୃତିକ ମହୋତ୍ସବରେ ଅଂଶ ଗ୍ରହଣ କରିବେ ବୋଲି ବିଦ୍ଯାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଫୁଲବାଣୀ ଓ ଗଞ୍ଜାମ ବିଭାଗ ନିରୀକ୍ଷକ ରଞ୍ଜନ ପ୍ରଧାନ ଏବଂ ସରୋଜ ପଟ୍ଟନାୟକଙ୍କ ମିଳିତ ସଂଯୋଜନାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ଛତ୍ରପୁର ବିଦ୍ଯାଳୟ ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ର ନାଥ ଦାସ , ଡେଙ୍ଗାଓସ୍ତା ପ୍ରଧାନ ଆଚାର୍ଯ୍ୟ ଜାନକୀ ବଲ୍ଲଭ ବିଷୋୟୀ ସମେତ ବିଦ୍ଯାଳୟ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here