ଜିଲ୍ଲା ସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ମହା ଆନନ୍ଦ ଉଲ୍ଲାସ ସହକାରେ ପାଳିତ ଆମର ସ୍ବାଧୀନତା କଷ୍ଟଲବ୍ଧ ସ୍ବାଧୀନତା, ଏଥିପାଇଁ ଅନେକ ସଂଗ୍ରାମୀଙ୍କୁ ଆତ୍ମ ବିସର୍ଜନ କରିବାକୁ ପଡିଛି – ମନ୍ତ୍ରୀ ପ୍ରଦୀପ କୁମାର ଅମାତ

0
171

ଛତ୍ରପୁର :ଛତ୍ରପୁର ଠାରେ ଜିଲ୍ଲା ସ୍ତରୀୟ ୭୭ତମ ସ୍ବାଧୀନତା ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଛତ୍ରପୁର ସ୍ଥିତ ପୋଲିସ୍ ପ୍ୟାରେଡ୍ ପଡିଆ ଠାରେ ଆୟୋଜିତ ପ୍ୟାରେଡ୍ ରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକ ସମ୍ପର୍କ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଜାତୀୟ ପତାକା ଉତ୍ତୋଳନ କରି, ଆନୁଷ୍ଠାନିକ ପ୍ୟାରେଡ୍ ର ଅଭିବାଦନ ଗ୍ରହଣ କରି ଜାତି ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ ପୂର୍ବକ ଯେଉଁ ମହାନ ଦେଶ ଭକ୍ତମାନେ ଜାତୀୟ ସଂଗ୍ରାମରେ ସାମିଲ୍ ହୋଇ ନିଜ ଜୀବନକୁ ତିଳତିଳ କରି ଦେଶ ଓ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରି ଯାଇଛନ୍ତି ସେହି ମହାମନିଷୀ ମାନଙ୍କୁ ଆଜିର ଏହି ପବିତ୍ର ଦିବସ ଅବସରରେ ସଂଗ୍ରାମୀ ଅଭିବାଦନ ଜଣାଇଥିଲେ । ନିଜର ପ୍ରାଣ ବିନିମୟରେ ଦେଶର ସମ୍ମାନ ଓ ସାର୍ବ ଭୌମତ୍ବ ରକ୍ଷା କରିଥିବା ବୀର ଜବାନ ମାନଙ୍କ ସର୍ବୋଚ୍ଚ ତ୍ୟାଗପ୍ରତି ଆଜିର ପବିତ୍ର ଦିନରେ ଗଭୀର କୃତଜ୍ଞତା ଜଣାଇ ଥିଲେ । ସ୍ବାଧୀନତା ସଂଗ୍ରାମରେ ଓଡିଶା ତଥା ଗଞ୍ଜାମର ଅବଦାନ ଅତୁଳନୀୟ । ଗଞ୍ଜାମ ଜିଲ୍ଲାର ଘୁମୁସର ବିଦ୍ରୋହ, ବେଲଗୁଣ୍ଠା ଓ ପାରଳା ଖେମୁଣ୍ଡିରେ ସ୍ବାଧୀନତା ସଂଗ୍ରାମର ପଦଧ୍ବନୀ ଏବେ ମଧ୍ୟ ଇତିହାସରେ ଗୁଞ୍ଜରିତ ହେଉଛି । ଦିବାକର ପଟ୍ଟନାୟକ, ଶରତ ଚନ୍ଦ୍ର ମହାପାତ୍ର, ଶ୍ୟାମ ସୁନ୍ଦର ପଟ୍ଟନାୟକ, ଭରତ ବେହେରା, ବୈକୁଣ୍ଠ ନାୟକ, ନିରଞ୍ଜନ ପଟ୍ଟନାୟକ, କିଶୋରମଣୀ ପଟ୍ଟନାୟକ, ଶଶୀ ଭୂଷଣ ରଥ, ଲିଙ୍ଗରାଜ ପାଣିଗ୍ରାହୀ, ବିଶ୍ବନାଥ ଦାଶ, ଜଗନ୍ନାଥ ମିଶ୍ର, ଶ୍ରୀରାମଚନ୍ଦ୍ର ମର୍ଦ୍ଦରାଜ, ହରିହର ମର୍ଦ୍ଦରାଜ ପ୍ରମୁଖ ସଂଗ୍ରାମୀ ମାନଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳୀ ଜଣାଉଛି । ଗଞ୍ଜାମ ହେଉଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ ଓ କବି ଗୋପାଳକୃଷ୍ଣଙ୍କ ପବିତ୍ର ମାଟି । ପୂର୍ବତନ ରାଷ୍ଟ୍ରପତି ଭି ଭି ଗିରି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ବିନାୟକ ଆଚାର୍ଯ୍ୟଙ୍କ ପରି କୃତି ସନ୍ତାନ ଏହି ମାଟିର ଗୌରବ ବୃଦ୍ଧି କରିଛନ୍ତି । ଓଡିଶାର ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଗଞ୍ଜାମର ଅବଦାନ ଅଗ୍ରଗଣ୍ୟ । ଆଜିର ପବିତ୍ର ଲଗ୍ନରେ ଗଞ୍ଜାମ ଜିଲ୍ଲା ମାଟିକୁ ଆଭୂମ ପ୍ରଣାମ ଜଣାଇବା ସହ ପର୍ଯ୍ୟଟନ ବିଭବରେ ବିକଶିତ ଗଞ୍ଜାମ ଜିଲ୍ଲା ଓଡିଶାର ଗୁରୁତ୍ବକୁ ଜାତୀୟ ମାନଚିତ୍ରରେ ପ୍ରତିପାଦିତ କରିଛି ବୋଲି କହିଥିଲେ । ମରାଳ ମାଳିନୀ ନୀଳାମ୍ବୁ ଚିଲିକା, ଗୋପାଳପୁରର ବେଳାଭୂମି, ଋଷିକୂଲ୍ୟା ମୁହାଣରେ ଅଲିଭ୍ ରିଡଲେ କଇଁଛ, ତପ୍ତପାଣି, ପୋତାଗଡ ଦୂର୍ଗ, ବୁଦ୍ଧ ଖୋଲ ପରି ପର୍ଯ୍ୟଟନ ସ୍ଥଳୀ ସହିତ ନାରାୟଣୀ, ତାରାତାରିଣୀ, ଭୈରବୀ, ମହୁରୀ କାଳୁଆ ଶକ୍ତିପୀଠ, ପଞ୍ଚମା ସିଦ୍ଧି ବିନାୟକ ମନ୍ଦିର, ସକଳେଶ୍ବର ମନ୍ଦିର, ଧରାକୋଟ ଜଗନ୍ନାଥ ମନ୍ଦିର, ବୁଗୁଡାର କାଷ୍ଠ କୋଣାର୍କ ମନ୍ଦିର ଇତ୍ୟାଦି ଆମର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରାର ନିଦର୍ଶନ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ବ, ମହତ୍ବାକାଙ୍କ୍ଷୀ ଅଭିନବ ଯୋଜନା ସମୂହ ବଳରେ ଏ ପ୍ରଗତି ସମ୍ଭବ ହେବା ସହିତ ୫-ଟି ନୀତି ଅନୁକ୍ରମରେ ଆମ ପ୍ରଶାସନରେ ସ୍ଥିରତା, ସ୍ବଚ୍ଛତା, ପାରଦର୍ଶୀତା ପ୍ରତିଫଳିତ ହୋଇଥିବା ମତବ୍ୟକ୍ତ କରିଥିଲେ । ଆଜିର ଗଣତନ୍ତ୍ରରେ ସ୍ବାଧୀନତା ଆମର ଅଧିକାରରେ ପରିଣତ ହୋଇଛି । ଆମର ପୂର୍ବସୂରୀ ମାନେ ଆମ ପାଇଁ ବହୁ କଷ୍ଟ ସ୍ବୀକାର କରି ସ୍ବାଧୀନତା ଆଣି ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରିଯାଇଛନ୍ତି । ସେହି ସ୍ବାଧୀନତାର ମୂଲ୍ୟବୋଧକୁ ଅକ୍ଷୁର୍ଣ୍ଣ ରଖି ତାର ସୁରକ୍ଷା ଏବଂ ସମୃଦ୍ଧି ପାଇଁ କାର୍ଯ୍ୟ କରିବା ଆମର ନୈତିକ ଦାୟୀତ୍ବ । ଉତ୍ତର ପିଢିଙ୍କ ମଧ୍ୟରେ ଆତ୍ମ ପ୍ରତ୍ୟୟ ସୃଷ୍ଟିକରି ସେମାନଙ୍କ ଉତ୍କର୍ଷ ପ୍ରଦର୍ଶନ ନିମନ୍ତେ ଆମେ ସବୁମତେ ସେମାନଙ୍କୁ ପ୍ରୋତ୍ସାହନ କରିବା । ଆଜି ପବିତ୍ର ସ୍ବାଧୀନତା ଦିବସର ପବିତ୍ର ତ୍ରିରଙ୍ଗା ପତାକା ତଳେ ଛିଡା ହୋଇ ଆମେ ସମସ୍ତେ ଦେଶ ଓ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବା ଓ ବିକାଶ ପର୍ବରେ ସାମିଲ ହେବା ନିମନ୍ତେ ଶପଥ ନେବା । ଆଜିର ଦିନ ହେଉଛି ପ୍ରେରଣା ଓ ପ୍ରତିଜ୍ଞାର ଦିନ । ଆସନ୍ତୁ, ସ୍ବାଧୀନ ଦେଶର ସ୍ବାଧୀନ ନାଗରିକ ଭାବରେ ଆମେ ସମସ୍ତେ ଏକ ମନ, ଏକ ପ୍ରାଣରେ ଦେଶ ଓ ରାଜ୍ୟ ପାଇଁ କାର୍ଯ୍ୟ କରିବା ଏବଂ ଓଡିଶାକୁ ଦେଶର ସର୍ବଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଆହ୍ବାନ ଜଣାଇଥିଲେ । ଜିଲ୍ଲା ସ୍ତରୀୟ ପ୍ୟାରେଡ୍ ରେ
ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ, ଉପାଧ୍ୟକ୍ଷା ଏସ୍. ରାଜେଶ୍ବରୀ ଦୋରା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗ ମୋହନ ମୀନା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ କିର୍ତ୍ତୀ ଭାସନ୍ ଭି., ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଦେବବ୍ରତ ସାହୁ,ଛତ୍ରପୁର ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ଓ ଅନ୍ୟାନ୍ୟ ପଦାଧିକାରୀମାନେ ଯୋଗ ଦେଇଥିଲେ ।
ପ୍ୟାରେଡ୍ କମାଣ୍ଡର ଅମୂଲ୍ୟ ନାୟକ, ରିଜର୍ଭ ଇନିସ୍ପେକ୍ଟର ଅଫ୍ ପୋଲିସ୍, ସେକେଣ୍ଡ-ଇନ୍-କମାଣ୍ଡ ସର୍ଜେଣ୍ଟ ବିବେକାନନ୍ଦ ନାୟକ, ଆର୍ମଡ୍ ପୋଲିସ୍ ଫୋର୍ସ ପ୍ୟାରେଡ୍ କମାଣ୍ଡର୍ ପ୍ରଫୁଲ୍ଲ କୁମାର ବେହେରା, କମ୍ପାନୀ କମାଣ୍ଡର ହୋମ୍ ଗାର୍ଡ ଜି. ପର୍ଶୁରାମ ରେଡ୍ଡୀପ୍ୟାରେଡ୍ ପରିଚାଳନା କରିଥିଲେ । ଏଥିରେ ସର୍ବ ମୋଟ 35 ଟି ଦଳ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ଜନ ସଚେତନତା ପାଇଁ ଜିଲ୍ଲା ପରିଷଦ ଗଞ୍ଜାମ ଦ୍ବାରା 3 ଟି, ବିଜ୍ଞାପିତ ଅଞ୍ଚଳ ପରିଷଦ ଛତ୍ରପୁର ଦ୍ବାରା ଗୋଟିଏ, ବିଜ୍ଞାପିତ ଅଞ୍ଚଳ ପରିଷଦ ଆସ୍କା ଦ୍ବାରା ଗୋଟିଏ, ଜିଲ୍ଲା କୃଷି ବିଭାଗ ଦ୍ବାରା ଗୋଟିଏ, ଜିଲ୍ଲା ପ୍ରଶାସନ ଦ୍ବାରା ଗୋଟିଏ ଏବଂ ଆଞ୍ଚଳିକ ପରିବହନ ବିଭାଗ ଦ୍ବାରା ଗୋଟିଏ ଲୋଖାଏଁ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯାଇଥିଲା । ବେଷ୍ଟ ପ୍ୟାରେଡ୍ ପାଇଁ ନାଭାଲ୍ ଓ୍ବିଙ୍ଗ, ସରକାରୀ ବିଜ୍ଞାନ ମହାବିଦ୍ଯାଳୟ, ଜୁନିୟର ଡିଭିଜନ୍ ଏନ୍.ସି.ସି. ରେ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ଓ୍ବିନର୍ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରନର୍ ବିବେଚିତ ହୋଇ ମାନ୍ୟବର ମନ୍ତ୍ରୀଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ । ବଏଜ୍ ସ୍କାଉଟ୍ ରେ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ଓ୍ବିନର୍ ଏବଂ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରନର୍ ଟ୍ରଫି ହାସଲ କରିଥିଲେ । ଗାଲ୍ସ୍ ଗାଇଡ୍ ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ୍ବିନର୍ ଏବଂ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରନର୍ ଟ୍ରଫି ହାସଲ କରିଥିଲେ । ସେହିପରି ରେଡକ୍ରସ୍ ରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଓ୍ବିନର୍ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରନର୍ ଟ୍ରଫି ହାସଲ କରିଥିଲେ । ସିନିୟର ଡିଭିଜନ୍ ସିଭିଲିଆନ୍ ରେ ସେଞ୍ଚୁରିଆନ୍ ଜୁନିୟର ବିଜ୍ଞାନ ମହାବିଦ୍ୟାଳୟ, କାଳିଆବାଲି ଓ୍ବିନର୍ ଏବଂ ପ୍ରତିଭା ଆବାସିକ ମହାବିଦ୍ୟାଳୟ (ବାଳିକା) ରନର୍ ଟ୍ରଫି ହାସଲ କରିଥିଲେ । ସେହିପରି ଜୁନିୟର୍ ଡିଭିଜନ୍ ସିଭିଲିଆନ୍ ରେ ମାଉଣ୍ଟ ଲିଟେରା ଜୀ ସ୍କୁଲ, ଗୋବିନ୍ଦପୁର ଓ୍ବିନର୍ ଏବଂ କାର୍ମେଲ୍ ସିନିୟର୍ ସେକେଣ୍ଡାରୀ ସ୍କୁଲ ରନର୍ ଟ୍ରଫି ହାସଲ କରିଥିଲେ । ସବ୍ ଜୁନିୟର ସିଭିଲିଆନ୍ ରେ ମାଉଣ୍ଟ ଲିଟେରା ଜୀ ସ୍କୁଲ, ଗୋବିନ୍ଦପୁର ଓ୍ବିନର୍ ଏବଂ ସେଣ୍ଟ ଜାଭିୟର ପବ୍ଲିକ୍ ସ୍କୁଲ ରନର୍ ଟ୍ରଫି ହାସଲ କରିଥିଲେ । ଶାରିରୀକ କ୍ରୀଡା ପ୍ରଦର୍ଶନରେ ଦି ନିୟୁ ଏଜ୍ ୟୁରୋ ସ୍କୁଲ ଓ୍ବିନର୍ ଏବଂ ପବ୍ଲିକ୍ ସ୍କୁଲ୍ ରନର୍ ଟ୍ରଫି ହାସଲ କରିଥିଲେ ।
ଜିଲ୍ଲା ପ୍ରଶାସନ ତରଫରୁ ଉଚ୍ଚ ମାଧ୍ୟମିକ ସ୍ତରରେ ଜିଲ୍ଲାରେ ଟପ୍ପର ହୋଇଥିବା ଗୋବିନ୍ଦ ବିହାର ସ୍ଥିତ ଜ୍ଞାନ ବିକାଶ ଉଚ୍ଚ ମାଧ୍ୟମିକ ଆବାସିକ ବିଦ୍ୟାଳୟର ଛାତ୍ରୀ ବର୍ଷା ଜେନାଙ୍କୁ, ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷାରେ ଗଞ୍ଜାମ ଜିଲ୍ଲା ଟପ୍ପର ଦିଗପହଣ୍ଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବିଭୂ ଦତ୍ତ ପଟ୍ଟନାୟକ ଏବଂ ଶିବାନନ୍ଦ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପରିଚାଳନା କରିଥିଲେ ।
ଏହି ଉପଲକ୍ଷେ ଛତ୍ରପୁର ସ୍ଥିତ ଖେଳ ପଡିଆ ଠାରେ ପ୍ରଶାସନ ଏକାଦଶ ଏବଂ ଛତ୍ରପୁର ପ୍ରେସ କ୍ଲବ୍ ଏକାଦଶ ଙ୍କ ମଧ୍ୟରେ ବନ୍ଧୁତ୍ବ ପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ବିଜୟ ହାସଲ କରିଥିଲା । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ କୀର୍ତ୍ତି ଭାସନ୍ ଭି, ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଦେବବ୍ରତ ସାହୁ, ଡୁଡା ପିଡି ନୀଳ ମାଧବ ଭୋଇ, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଏନ୍. ଏ.ସି. କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ୍ ସଂଗ୍ରାମ ଜିତ୍ ସାହୁ ଛତ୍ରପୁର ବିଡିଓ ସୁଶାନ୍ତ କୁମାର ବରାଳ, ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସମେତ ବହୁ ଅଧିକାରୀ ମାନେ ଖେଳିଥିଲେ ।
ଅପରାହ୍ନ ସମୟରେ ଜଉଗଡ ସମ୍ମିଳନୀ କକ୍ଷଠାରେ ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହାକୁ ସଂଯୋଜନା କରିଥିଲେ ବ୍ରଜ ମୋହନ ଆଚାର୍ଯ୍ୟ, ନିଖିଳ ପ୍ରଭା ମିଶ୍ର ଓ ଅଶୋକ କୁମାର ଚୌଧୁରୀ ସଂଯୋଜନା କରିଥିଲେ ।
ସଂଧ୍ୟା ସମୟରେ ଏହି ଉପଲକ୍ଷେ ଜିଲ୍ଲା ସଂସ୍କୃତି ଭବନ ଠାରେ ବିଦ୍ୟାଳୟ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବୋଷ ଚନ୍ଦ୍ର ବେହେରା ଓ ସମ୍ମାନୀତ ଅତିଥି ଭାବେ ଛତ୍ରପୁର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଯୋଗଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀରବି ନାରାୟଣ ବେହେରା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here