0
549

ସମ୍ପର୍କ ଅଟଇ ଛତୁ ଉଠା କାଠ
ବିଶ୍ୱାସରେ ବଂଚିରହେ
ସନ୍ଦେହର ଘୁଣ ଥରେ ଲାଗିଗଲେ
ଅକାଳରେ ଭାଙ୍ଗିଯାଏ।
ବିଶ୍ୱାସରେ ଆମେ ବଂଚିବା ଶିଖିଲେ
ସୁଖେ କଟିଯାଏ ଦିନ,
ସନ୍ଦେହର ନିଆଁ ଥରେ ଲାଗିଗଲେ
ଦୁର୍ବିସହ ଏ ଜୀବନ।
ଜୀବନରେ ଆସେ କେତେ ତିକ୍ତ କେତେ
ମଧୁମୟ ଅନୁଭୂତି
ସବୁକୁ ଜାବୁଡି ଧରିକି ରଖିଲେ
ପାଇବାନି କେବେ ଶାନ୍ତି।
ଉଦାର ହୃଦୟ ହୋଇକି ଥରୁଟେ
ଦୁନିଆଁ କୁ ଦେଖି ନିଅ
ମଧୁଠୁ ମଧୁର ଲାଗିବ ନିଶ୍ଚୟ
ସମ୍ପର୍କର ସୁତା ଖିଅ
ଏ ସଂସାରେ ଛନ୍ତି ଯେତେ ଧନୀ ମାନି
ବାହୁଡ଼ିବେ ସର୍ବେ ଦିନେ,
ମରଣ ଟା ଯଦି ଚିରନ୍ତନ ସତ୍ୟ
କିମ୍ପା ଦ୍ୱେଷ ରଖ ମନେ ?
ସାରା ବସୁଧାକୁ ଗୋଟିଏ କୁଟୁମ୍ବ
ଭାବି ଦେଲେ କ୍ଷତି ନାହିଁ,
ବିଶ୍ୱ ଭାତୃତ୍ବ ର ମହା ମନ୍ତ୍ର ଟିକୁ
ଅଜପା କରହେ ଭାଇ।

ବନ୍ଦନା ନାୟକ
ଭୁବନେଶ୍ବର

LEAVE A REPLY

Please enter your comment!
Please enter your name here