ବାପାଙ୍କୁ ମୁଖାଗ୍ନି ଦେବାକୁ ଯାଇଥିବା ପୁଅକୁ ଗଳାଧକ୍କା ; ଥାନାରେ ଅଭିଯୋଗ

0
189

ଦିଗପହଣ୍ଡି – ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗୌଡଗାଁ ପଞ୍ଚାୟତର ଦାଉଣି ଗ୍ରାମର କାହ୍ନୁଚରଣ ସାହୁଙ୍କ ଗତ ବୁଧବାର ଦିନ ମୃତ୍ୟୁ ହୋଇଥିବା ବେଳେ ବଡ଼ପୁଅ ମଧୁସୂଦନ ସାହୁ ବାପାଙ୍କ ମୃତ୍ୟୁ ଖବର ଶୁଣି ମୁଖାଗ୍ନି ଦେବାକୁ ଶ୍ମଶାନରେ ପହଞ୍ଚିବା ପରେ ତାଙ୍କୁ ଗଳାଧକ୍କା ଦିଆଯାଇଥିବା ସହ ଗ୍ରାମରୁ ସାମାଜିକ ବାସନ୍ଦ କରାଯାଇଥିବା ନେଇ କେ . ନୂଆଗାଁ ଥାନାରେ ଏତଲା ଦେଇଛନ୍ତି । ଘଟଣା ନେଇ ମଧୁସୂଦନଙ୍କ ସ୍ତ୍ରୀ ପ୍ରବୀଣାଙ୍କ ଲିଖିତ ଅଭିଯୋଗକୁ ଭିତ୍ତିକରି ପୋଲିସ ୨୮୬/୨୩ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନା ପ୍ରକାରେ , ମଧୁସୂଦନ ବ୍ରହ୍ମପୁରରେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ବେଳେ ନିଜ ଗ୍ରାମର ଅନ୍ୟ ଲୋକଙ୍କ ଠାରୁ ବାପାଙ୍କ ମୃତ୍ୟୁ ଖବର ପାଇଥିଲେ । ମୃତ୍ୟୁ ଖବର ଶୁଣି ମଧୁସୂଦନ ସପରିବାର ଗ୍ରାମରେ ପହଞ୍ଚିବା ବେଳକୁ ମୃତଦେହ ଶ୍ମଶାନକୁ ନିଆ ସରିଥିଲା । ସେ ସଙ୍ଗେସଙ୍ଗେ ଶ୍ମଶାନରେ ଯାଇ ପହଞ୍ଚିଥିଲେ ମଧ୍ୟ ତାଙ୍କୁ ମୁଖାଗ୍ନି ଦେବାକୁ ସୁଯୋଗ ଦିଆଯାଇନଥିଲା ।ସାନଭାଇ କାଳିଆ ସାହୁ , ଗ୍ରାମର ବୁଦ୍ଧିଆ ସାହୁ ଏବଂ ତ୍ରିଲୋଚନ ସାହୁ ଗଳାଧକ୍କା ଦେଇ ମାଡମାରି ମଧୁସୂଦନଙ୍କୁ ଶ୍ମଶାନରୁ ତଡି ଦେଇଥିଲେ । ଘଟଣା ସମ୍ପର୍କରେ କୁଳ ସଭାପତି ହରି କୁଣ୍ଡଙ୍କୁ ଜଣାଇବା ପରେ ସେ ମଧ୍ୟ ଗ୍ରାମରୁ ବାସନ୍ଦ କରାଯାଇଥିବା କହି ତୁରନ୍ତ ଗ୍ରାମ ଛାଡି ଚାଲିଯିବାକୁ ଧମକ ଦେଇଥିଲେ । ବାଧ୍ଯହୋଇ ମଧୁସୂଦନଙ୍କ ପରିବାର ସେହିଦିନ ଗ୍ରାମରୁ ବ୍ରହ୍ମପୁର ଫେରି ଆସି ପରଦିନ ହାଡ ଶୀତଳା କାର୍ଯ୍ୟ ପାଇଁ ପୁଣି ଗ୍ରାମକୁ ଯାଇଥିଲେ । ତେବେ ସେହିଦିନ ମଧ୍ୟ ମଧୁସୂଦନ, ସ୍ତ୍ରୀ ପ୍ରବୀଣା ଓ ତାଙ୍କ ଦୁଇ ପୁଅକୁ ଦିଅର କାଳିଆ ସାହୁ ଗଳାଧକ୍କା ଦେଇ ଘରୁ ବାହାର କରିଦେଇଥିବା ପ୍ରବୀଣା ଅଭିଯୋଗ କରିଛନ୍ତି । ତାଙ୍କ ପରିବାରକୁ ଉପଯୁକ୍ତ ନ୍ଯାୟ ପ୍ରଦାନ କରାନଗଲେ ସେ ସପରିବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଆତ୍ମାହୂତି ଦେବାକୁ ବାଧ୍ଯହେବେ ବୋଲି ଧମକ ମଧ୍ୟ ଦେଇଛନ୍ତି । ଗ୍ରାମରୁ ତଡା ଖାଇବା ପରେ ମଧୁସୂଦନଙ୍କ ପରିବାର ବର୍ତ୍ତମାନ ପୁରୀରେ ବାପାଙ୍କ ଶୁଦ୍ଧିକ୍ରିୟା ଚଳାଇଥିବା ଜାଣିବାକୁ ମିଳିଛି । ସାମାଜିକ ବାସନ୍ଦ ମାନବିକ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବାରୁ ପ୍ରଶାସନ ତୁରନ୍ତ ଏଦିଗରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here