ନିଖୋଜ ମହିଳାଙ୍କ ମୃତଦେହ ନାଳରୁ ଉଦ୍ଧାର ; ହତ୍ୟା ଅଭିଯୋଗ କଲେ ବାପା

0
514

ଦିଗପହଣ୍ଡି – ପାଟପୁର ଥାନା ତପ୍ତପାଣି ଘାଟି ନୂତନ କଲ୍ୟାଣ ମଣ୍ଡପ ପଛ ଏକ ନାଳରୁ ଜଣେ ନିଖୋଜ ମହିଳାଙ୍କ ମୃତଦେହ ମଙ୍ଗଳବାର ଦିନ ପୋଲିସ ଉଦ୍ଧାର କରିଥିବା ବେଳେ ଝିଅକୁ ହତ୍ୟା ପରେ ଫୋପାଡି ଦିଆଯାଇଥିବା ନେଇ ବାପା ଥାନାରେ ଅଭିଯୋଗ ଆଣିଛନ୍ତି । ମୃତ ମହିଳା ଜଣକ ହେଲେ ପୋଡାମାରୀ ଗ୍ରାମ ଚଷା ସାହିର ନାରାୟଣ ପ୍ରଧାନଙ୍କ ଝିଅ ସଙ୍ଗୀତା ପ୍ରଧାନ ବୋଲି ଜଣାପଡିଛି । ଏପଟେ ଘଟଣାସ୍ଥଳରେ ପାଟପୁର ପୋଲିସ ସମେତ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ଖୋଳତାଡ଼ କରୁଥିବା ସୂଚନା ମିଳିଛି । ଖବରପ୍ରକାରେ , ସାନଖେମୁଣ୍ଡି ବ୍ଳକ ଉକ୍ତ ଗ୍ରାମର ନାରାୟଣଙ୍କ ଝିଅ ସଙ୍ଗୀତାଙ୍କ ଗଙ୍ଗାପୁର ପଞ୍ଚାୟତର ନରସିଂହ ଗଡ଼ରେ ବିବାହ ହୋଇଥିଲା । ତେବେ କୌଣସି କାରଣରୁ ସେ ନିଜ ବାପା ଘରେ ଦୀର୍ଘ ଦିନ ଧରି ରହି ଆସୁଥିଲେ । ତେବେ ଗତ ଗୁରୁବାର ରାତିରୁ ସଙ୍ଗୀତା ଘରୁ ନିଖୋଜ ରହିଥିବା ପରିବାର ଲୋକେ ଜାଣିବା ପରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ । ଘଟଣାପରେ ସେ ପୋଡାମାରୀ ଫାଣ୍ଡିରେ ଝିଅ ନିଖୋଜ ରହିଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ମଙ୍ଗଳବାର ସକାଳୁ ଘାଟି ନିକଟସ୍ଥ ଉକ୍ତ ନାଳକୁ କିଛି ଲୋକ ଯିବା ସମୟରେ ମହିଳାଙ୍କ ଶବ ପଡ଼ିଥିବା ବେଳେ ଶରୀର ଉପରେ ବଡ଼ ପଥର ଲଦା ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପ୍ରଚାରିତ ହେବାପରେ ଲୋକଙ୍କ ମଧ୍ୟରେ ଗହଳି ଦେଖିବାକୁ ମିଳିଥିଲା । ଏପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ସଙ୍ଗୀତାଙ୍କ ବାପାଙ୍କୁ ଖବର ଦେଇଥିଲେ । ଖବରପାଇ ନାରାୟଣ ଘଟଣାସ୍ଥଳରେ ପହଞ୍ଚି ଝିଅକୁ ଚିହ୍ନଟ ପରେ ଆରମ୍ଭ ହୋଇଥିଲା ତଦନ୍ତ । ପୋଲିସ ମୃତଦେହ ନିକଟରୁ ଚପଲ ଓ ଏକ ମୋବାଇଲ ଜବତ କରିଛି । ଅନ୍ୟପକ୍ଷରେ ପୋଲିସ ମୃତଦେହ ଜବତ କରି ଥାନା ମାମଲା ନଂ ୫୦୦/୨୩ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ଜଣାପଡିଛି । ତେବେ ପୋଲିସ ମୃତଦେହକୁ ନେଇ ଏହା ହତ୍ୟା ନା ଆତ୍ମହତ୍ୟା ସନ୍ଦେହରେ ରହିଥିବା ବେଳେ ମୃତକଙ୍କ ବାପା ତାଙ୍କ ଜଣେ ସମ୍ପର୍କୀୟ ତଥା ଝିଅର ପୁରୁଷ ବନ୍ଧୁ ମିଥୁନ ବିଷୋୟୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିବା ପୋଲିସର ତଦନ୍ତରୁ ସୂଚନା ମିଳିଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ପୋଲିସ କହିଥିବା ବେଳେ ଘଟଣାର ଅଧିକ ତଦନ୍ତ ମଧ୍ୟ ଜାରି ରଖିଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here