ଆକାଶଟେ ମାଗିଲି ଯେ
ହାତରେ ମୋର ଥାପିଦେଲ ଆଣି
ନୀଳରଙ୍ଗର ବିଶାଳ କିଛି ଗୋଟେ,
କହିଲ, ” ନେ, ସମୁଦାୟଟା ତୋର,
ସବୁକିଛି ଦେଇଦେଲି ତୋତେ।”
ଅସରନ୍ତି ଥିଲା ତା ବିସ୍ତୃତି,
ଆଖି ପାଇଲାନି ମୋର
ହାତମୁଠାରେ ବା ଧରିଥାଆନ୍ତି କେମିତି !
ମନେ ମନେ ଢ଼େର୍ ହସିଲି….
ଆଜିବି ବଦଳିନି କିଛି
ଆଜିବି ଲୁଚାଇ ରଖିପାରନି ତୁମେ
ତୁମ ମନର ଏଇ ନିସ୍ପୃହତାଟିକି।
ସତରେ କଣ ଚାହିଁଛି ମୁଁ କେବେ
ବିଶାଳ କେଉଁ ବୁକୁ ପରେ
ନିଜକୁ ବିଛେଇ ଦେବା ପାଇଁ…
ସାତରଙ୍ଗର ସମ୍ମୋହନରେ
ମଜ୍ଜି ରହିବା ପାଇଁ….
ଶ୍ରାବଣର ସମାବେଶରେ ହଜିଯିବା ପାଇଁ…
କି ପବନର ଫୁସୁଲା ଫୁସୁଲିରେ
ଭାସି ଯିବା ପାଇଁ…..
କେଜାଣି କାହିଁକି,
ଅନିଶ୍ଚିତତା ବି
ଖୁବ୍ ଆକର୍ଷଣୀୟ ଦିଶେ ଆଜି,
ରୋମାଞ୍ଚକର ଲାଗେ
ଅନ୍ଧକାରର ଯେତେ ଅନ୍ଦିସନ୍ଧି,
ବେଳୁ ବେଳ ଅକ୍ତାମାକ୍ତା କରେ
ଉଛୁଳା ଆବେଗ କିଛି।
ମନକହେ,
ମେଲି ଦିଅନ୍ତି ନିଜକୁ
ଉଡ଼ି ବୁଲନ୍ତି ଆଗ୍ରହର ହାତଟିଏ ଧରି
ଡେଇଁ ଯାଆନ୍ତି ସକଳ ପରିଧି।
କିନ୍ତୁ……
ତୁମେ ତ ଯେମିତିକୁ ସେମିତି
ଆଜି ବି
ନ କହିଲେ ବୁଝି ପାରନି କିଛି।
ଅନୁସୂୟା ମିଶ୍ର ଭୁବନେଶ୍ବର