ମହୁଡା ଡବଲ ମର୍ଡର ମାମଲାରେ ଆଉ ୩ ଅଭିଯୁକ୍ତ ଗିରଫ

0
732

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମହୁଡା ଗ୍ରାମରେ ଗତ ଜୁନ ୨୮ ତାରିଖ ବିଳମ୍ବିତ ରାତିରେ ବିଘ୍ନରାଜ ପୁରୋହିତ ଓରଫ୍ ଲିଟୁ ଓ ଶିବରାମ ଗୈାଡ ନାମକ ଦୁଇ ଯୁବକକୁ ନିର୍ମମ ଭାବେ ହତ୍ୟା ପରେ ପୋଡ଼ି ଦିଆଯିବା ଘଟଣାରେ ପୋଲିସ ବୁଧବାର ଦିନ ଆଉ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ମାନଙ୍କ ମଧ୍ୟରେ ମହୁଡା ଗ୍ରାମର ଶିବରାମ ଚର୍ଚ୍ଚା , ଜଗନ୍ନାଥ ନାହାକ , ଦୁଃଖୀରାମ ମାଝୀ ବୋଲି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼. ଶ୍ରବଣ ବିବେକ ଏମ୍ ସୂଚନା ଦେଇଛନ୍ତି । ଏହାପୂର୍ବରୁ ପୋଲିସ ମହୁଡା ଗ୍ରାମର ପୂର୍ବତନ ସରପଞ୍ଚ ସଞ୍ଜୟ ସାହୁ , ଅପୂର୍ବ ବସ୍ତିଆ , ପବିତ୍ର ନାହାକ ଓରଫ୍ ବୁଢ଼ାଙ୍କୁ ଗିରଫ କରିଥିବା ବେଳେ ସେମାନେ ଜେଲ ଦଣ୍ଡାଦେଶ ଭୋଗୁଛନ୍ତି । ଖବରନୁଯାୟୀ , ବିଭିନ୍ନ ଅପରାଧୀ ମାମଲାରେ ଜଡିତ ଲାଠି ଗ୍ରାମର ଦୁଇ ସାଙ୍ଗ ଲିଟୁ ଓ ଶିବ ମହୁଡା ଗ୍ରାମକୁ ଯାଇ ମହିଳା ମାନଙ୍କ ପ୍ରତି ଅସଦାଚରଣ , ଗ୍ରାମରେ ଲୋକଙ୍କୁ ଭୟଭୀତ କରାଇ ଦାଦାବଟି ଆଦାୟ , ଡକାୟତି ମାମଲାରେ ଜେଲ ଯିବାପରେ ମଧ୍ୟ ବେଲରେ ମୁକୁଳି ଆସିବା ପରେ ପୁଣିଥରେ ଆରମ୍ଭ କରିଥିଲେ ସେହି ପୁରୁଣା ଅଭ୍ୟାସ । ଯାହାଫଳରେ ମହୁଡା ଗ୍ରାମବାସୀ ଏମାନଙ୍କ ଆତଙ୍କରେ ଅତିଷ୍ଠ ହୋଇ କେନାଲ ରାସ୍ତାର ପୋଖରୀ ହିଡ ନିକଟରେ ଲିଟୁ ଓ ଶିବଙ୍କୁ ଆକ୍ରମଣ ପରେ ପଥରରେ ଛେଚି ନୃଶଂସ ଭାବେ ହତ୍ୟା କରିଥିଲେ । ପରେ ଘଟଣାକୁ ଲୁଚାଇବା ପାଇଁ ଉଭୟଙ୍କୁ ପୋଖରୀ ତୁଠରେ ବାଇକ୍ ସହ ଉଭୟଙ୍କୁ ପୋଡ଼ି ଦେଇଥିଲେ । ଘଟଣାପରେ ଦିଗପହଣ୍ଡି ପୋଲିସ ଖବର ପାଇ ଚିକିଟି ଏସ୍ ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ଓ ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ଅବସ୍ଥାରେ ଦୁଇଟି ଶବ ନିଆଁରୁ କାଢ଼ିବା ସହ ପରିବାରକୁ ଖବର ଦେଇଥିଲେ । ସକାଳୁ ବ୍ରହ୍ମପୁର ଏସ୍ ପି ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ହତ୍ୟାକାଣ୍ଡର ଖୋଳତାଡ଼ କରିଥିଲେ । ଅପରପକ୍ଷରେ ପୋଲିସ ଶବ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିଲା । ଘଟଣାପରେ ଲକି ମହାରଣା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲିସ ମାମଲା ନଂ ୨୩୫/୨୩ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲା । ତେବେ ଆଜି ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପରେ ଜାମିନ ଅଭାବରୁ ଜେଲ ହାଜତକୁ ପଠାଇଥିବା ଥାନା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here