ବୋମାମାଡ ଘଟଣାରେ ଅନ୍ୟ ଅଭିଯୁକ୍ତ ଗିରଫ

0
351

ଦିଗପହଣ୍ଡି – କେ . ନୂଆଗାଁ ଥାନା ଖମ୍ବାରୀ ଗାଁ – ବମକୋଇ ରାସ୍ତାର ଦାମୋଦରପଲ୍ଲୀ କଂକ୍ରିଟ ମିକ୍ସଚର ପ୍ଲାଣ୍ଟ ନିକଟରେ ହୋଇଥିବା ବୋମାମାଡ ଓ କର୍ମଚାରୀଙ୍କୁ ହାଣି ଲୁଟ୍ ଘଟଣାରେ ପୋଲିସ ମଙ୍ଗଳବାର ଦିନ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ଯୁବକ ହେଲେ ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ଚାଞ୍ଚଡାପଲ୍ଲୀ ଗ୍ରାମର ନୀଳମାଧବ ଗୈାଡ ଓରଫ୍ ମାଧିଆ ବୋଲି ପୋଲିସ ସୂଚନା ଦେଇଛନ୍ତି । ଗତକାଲି ପୋଲିସ ଜଣେ ନାବାଳକ ସମେତ ୫ ଜଣକୁ ଗିରଫ ପରେ ସେମାନଙ୍କ ଠାରୁ ଦୁଇଟି ବାଇକ୍ , ମାରଣାସ୍ତ୍ର , ନଗଦ ୪୫୦୦ ଟଙ୍କା ଓ ଗୋଟିଏ ସୁନା ମୁଦି ଜବତ କରିଥିଲା । ଖବରନୁଯାୟୀ , ଗତ ଗୁରୁବାର ଦିନ ଦ୍ବିପହରରେ ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ଅଧିନରେ ଥିବା ଦାମୋଦରପଲ୍ଲୀ ହନୁମାନ ମନ୍ଦିର ନିକଟରେ ଥିବା ଉକ୍ତ ଠିକାଦାର କ୍ୟାମ୍ପକୁ ଲୁଟେରା ମାନେ ୨ ବାଇକରେ ଆସିଥିଲେ । ଏହାପରେ ସେମାନେ ମାଲିକ ମଙ୍ଗୁଳୁ ପାତ୍ରଙ୍କୁ ଫୋନ ଜରିଆରେ ୩୦ ଲକ୍ଷ ଟଙ୍କା ଦେବାପାଇଁ ଦାବି କରିଥିଲେ । ତେବେ ଠିକାଦାର ଜଣକ ଟଙ୍କା ଦେବାକୁ ମନା କରିବାରୁ ଲୁଟେରା ମାନେ କ୍ୟାମ୍ପ ନିକଟରେ ବୋମାମାଡ କରି ଆତଙ୍କ ଖେଳାଇ ଥିଲେ । ଏହାପରେ କ୍ଯାମ୍ପ ପରିଚାଳନା ଦାୟିତ୍ବରେ ଥିବା ଶେରଗଡ ଥାନା କୁରୁଳା ଗ୍ରାମର ସୁପ୍ରଭାଇଜର ରଞ୍ଜନ କୁମାର ପଣ୍ଡାଙ୍କୁ ଖଣ୍ଡାରେ ହାଣି ୧୦୦୦୦ ଟଙ୍କା ଓ ସୁନା ମୁଦିକୁ ଛଡାଇ ନେଇଥିଲେ । ଏଥିସହ ହାଇଡ୍ରା ଚାଳକଙ୍କୁ ମଧ୍ୟ ମାଡମାରି ୨୦୦୦ ଟଙ୍କା ଲୁଟି ନେଇ ଘଟଣା ସ୍ଥଳରୁ ଫେରାର ହୋଇଥିଲେ । ଏନେଇ ଥାନାରେ ଏତଲା ହେବାପରେ ପୋଲିସ ଅପରାଧୀମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନଭିନ କରୁଥିବା ବେଳେ ଗତକାଲି ଥାନା ମାମଲା ନଂ ୨୭୬/୨୩ ପ୍ରକାରେ ଦେଖାଳି ଗ୍ରାମର ବିକାଶ ବେହେରା , ଫାସିଗୁଡାର ହନି ସେଠୀ , ପଦ୍ମନାଭପୁରର ବଳିଆ ସେଠୀ ଏବଂ ଆଦିତ୍ୟ ନାଇକଙ୍କୁ କୋର୍ଟ ଚାଲାଣ କରିଥିଲା । ସେହିପରି ଏଥିରେ ସଂପୃକ୍ତ ଥିବା ନାବାଳକ ଜଣକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର ପରେ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିଲା । ତେବେ ଜାମିନ ଅଭାବରୁ ସମସ୍ତ ଅପରାଧୀ ବର୍ତ୍ତମାନ ଜେଲ ଚାରିକାନ୍ଥ ମଧ୍ୟରେ ଦଣ୍ଡ ଭୋଗୁଥିବା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ କହିଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here