ଠିକାଦାର କ୍ୟାମ୍ପରେ ବୋମାମାଡ ଓ କର୍ମଚାରୀଙ୍କୁ ହାଣି ଲୁଟ୍ ମାମଲା : ନାବାଳକ ସମେତ ୫ ଗିରଫ

0
848

ଦିଗପହଣ୍ଡି : ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ଦାମୋଦରପଲ୍ଲୀ ହନୁମାନ ମନ୍ଦିର ନିକଟରେ ଥିବା ଠିକାଦାରଙ୍କ କ୍ୟାମ୍ପ ନିକଟରେ ଗତ ଗୁରୁବାର ଦିନ ହୋଇଥିବା ବୋମାମାଡ ଓ କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ ପରେ ଟଙ୍କା , ସୁନା ଲୁଟ୍ ମାମଲାରେ କେ . ନୂଆଗାଁ ପୋଲିସ ଜଣେ ନାବାଳକ ସମେତ ୫ ଜଣକୁ ଗିରଫ କରିଥିବା ଜଣାପଡ଼ିଛି । ଏଥିସହ ପୋଲିସ ଗିରଫ ଅଭିଯୁକ୍ତଙ୍କ ଠାରୁ ନମ୍ବର ବିହୀନ ୨ ଟି ବାଇକ୍ , ୨ ଟି କାତି , ଗୋଟିଏ ଖଣ୍ଡା , ସୁନା ମୁଦି ଏବଂ ନଗଦ ୪୫୦୦ ଟଙ୍କା ଜବତ କରିଛି । ଗିରଫ ଯୁବକ ମାନେ ହେଲେ ଦିଗପହଣ୍ଡି ବ୍ଲକ ଦେଖାଳି ଗ୍ରାମର ବିକାଶ ବେହେରା , ଫାସିଗୁଡାର ହନି ସେଠୀ ଓରଫ୍ ଅଜୟ , ପଦ୍ମନାଭପୁରର ବଳିଆ ସେଠୀ ଓରଫ୍ ଅଜିତ ଏବଂ ଆଦିତ୍ୟ ନାଇକ ସମେତ ଜଣେ ନାବାଳକ ଏଥିରେ ସଂପୃକ୍ତ ରହିଥିବା ପୋଲିସର ତଦନ୍ତରୁ ଜଣାପଡ଼ିଛି । ଖବରନୁଯାୟୀ , ବମକୋଇ – ଖମ୍ବାରୀ ଗାଁ ରୋଡ ଦାମୋଦରପଲ୍ଲୀ ଛକ ନିକଟରେ ଠିକାଦାର ମଙ୍ଗୁଳୁ ପାତ୍ରଙ୍କ ଏକ କଂକ୍ରିଟ ମିକ୍ସଚର ପ୍ଲାଣ୍ଟ ରହିଥିବା ବେଳେ ଗୁରୁବାର ୨ଟା ୨୦ ସମୟରେ ୨ ଟି ବାଇକରେ ଦୁବୃର୍ତ୍ତ ମାନେ ଆସି ମାଲିକଙ୍କୁ ଫୋନ ମାଧ୍ୟମରେ ୩୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ । କିନ୍ତୁ ମାଲିକ ଜଣକ ଟଙ୍କା ଦେବାକୁ ମନା କରିବାରୁ ଦୁବୃର୍ତ୍ତ ମାନେ କ୍ୟାମ୍ପ ନିକଟରେ ପ୍ରଥମେ ବୋମାମାଡ କରି କର୍ମଚାରୀଙ୍କୁ ଭୟଭୀତ କରିଥିଲେ । ଏହାପରେ ଯୁବକ ମାନେ କ୍ଯାମ୍ପ ପରିଚାଳନା ଦାୟିତ୍ବରେ ଥିବା ଶେରଗଡ ଥାନା କୁରୁଳା ଗ୍ରାମର ସୁପ୍ରଭାଇଜର ରଞ୍ଜନ କୁମାର ପଣ୍ଡାଙ୍କୁ ଟଙ୍କା ନଦେଲେ କାମ କରି ପାରିବ ନାହିଁ ବୋଲି ଧମକ ଦେଇଥିଲେ । ପରେ ସେମାନେ ସୁପ୍ରଭାଇଜର ପଣ୍ଡାଙ୍କୁ ଖଣ୍ଡାରେ ଚୋଟ ପକାଇବା ସହ ତାଙ୍କଠାରୁ ୧୦୦୦୦ ଟଙ୍କା ଏବଂ ସେ ପିନ୍ଧିଥିବା ଏକ ସୁନାମୁଦିକୁ ଛଡାଇ ନେଇଥିଲେ । ପରେ ହାଇଡ୍ରା ଚାଳକଙ୍କ ନିକଟରେ ପହଞ୍ଚି ତାଙ୍କୁ ମଧ୍ୟ ମାଡମାରି ତାଙ୍କଠାରୁ ୨୦୦୦ ଟଙ୍କା ଲୁଟି ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ତେବେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।ଅପରପକ୍ଷରେ ଅଭିଯୁକ୍ତମାନଙ୍କ ବିରୋଧରେ ଥାନାରେ ଏତଲା ହେବାପରେ ପୋଲିସ ଅପରାଧୀମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ସୋମବାର ଦିନ ଥାନା କେସ୍ ନଂ ୨୭୬/୨୩ ପ୍ରକାରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଅଭାବରୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା । ସେହିପରି ନାବାଳକ ଜଣକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର ପରେ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ମୃତ୍ଯୁଞ୍ଜୟ ସ୍ବାଇଁ ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here