ଇଟା ଗଡିବା ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ; ଟାଙ୍ଗିଆ ଚୋଟରେ ଚାଲିଗଲା ଦାଦାପୁଅ ଭାଇଙ୍କ ଜୀବନ, ୩ ଅଭିଯୁକ୍ତ ଭାଇ ଗିରଫ

0
489

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ପାଟପୁର ଥାନା ସାନଖେମୁଣ୍ଡି ବ୍ଳକ ଖଲିଙ୍ଗି ପଞ୍ଚାୟତ ବାସୁଦେବପୁର ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଘର ଦାଣ୍ଡରେ ଇଟା ଗଡିଯାଇ ପ୍ରସଙ୍ଗକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଟାଙ୍ଗିଆ ଚୋଟରେ ଦାଦାପୁଅ ଭାଇ କୁଲୁ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା । ଏପଟେ ପୋଲିସ ମୃତକଙ୍କ ବଡବାପା ପୁଅ ଭାଇ ୩ ଜଣକୁ ଗିରଫ କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ଗିରଫ ଭାଇମାନେ ହେଲେ ସ୍ବର୍ଗତ ପ୍ରକାଶ ପ୍ରଧାନଙ୍କ ପୁଅ ସନ୍ତୋଷ ପ୍ରଧାନ , ବୁଡୁ ପ୍ରଧାନ , ମିଥୁନ ପ୍ରଧାନ । ଖବରପ୍ରକାରେ , ଗ୍ରାମର ସ୍ବର୍ଗତ ପ୍ରକାଶଙ୍କ ୩ ପୁଅ ଓ କଂସଙ୍କ ୨ ପୁଅ ରହିଥିବା ବେଳେ ଉଭୟ ପରିବାର ମଧ୍ୟରେ ବିଭିନ୍ନ ସମୟରେ ଘରୋଇ ବିବାଦ ଲାଗି ରହୁଥିଲା । ତେବେ ଗତକାଲି କଂସଙ୍କ ଘରକାମ ନିମନ୍ତେ ଆସିଥିବା ଇଟା ଗାଡ଼ିରୁ ଓହ୍ଲାଇବା ସମୟରେ କିଛି ଇଟା ପ୍ରକାଶଙ୍କ ଘର ବାରଣ୍ଡାକୁ ଯିବା ସହ ପୋତା ଯାଇଥିବା ଗଛରେ ମାଡ଼ ହୋଇଥିଲା । ଯାହାଫଳରେ ପ୍ରକାଶଙ୍କ ପରିବାର ସଦସ୍ୟ ସ୍ତ୍ରୀ ଅହଲ୍ୟା , ୩ ପୁଅ ସନ୍ତୋଷ , ବୁଡୁ ଓ ମିଥୁନ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ କଂସଙ୍କ ପୁଅ କୁଲୁଙ୍କୁ । ତେବେ ଏହି ବଚସା କିଛି ସମୟ ପରେ ଉଗ୍ରରୂପ ଧାରଣ କରିବା ସହ ସନ୍ତୋଷଙ୍କ ଟାଙ୍ଗିଆ ଚୋଟରେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ କୁଲୁ । ଏହାପରେ ଅନ୍ଯ ଦୁଇଭାଇ ମିଶି କାଠଫାଳିଆ , ଶାବଳ ଭଳି ମାରଣାସ୍ତ୍ର ସାହାଯ୍ୟରେ କୁଲୁଙ୍କୁ ଆକ୍ରମଣ କରିଥିଲେ । ଏପଟେ କୁଲୁଙ୍କ ପରିବାର ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ କୁଲୁଙ୍କୁ ଉଦ୍ଧାର କରି ନିକଟସ୍ଥ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ମଧ୍ୟ ଉପସ୍ଥିତ ଡାକ୍ତର ମୃତ ଘୋଷଣା କରିଥିଲେ । ଖବରପାଇ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିଥିଲା । ଶନିବାର ସକାଳୁ ପାଟପୁର ପୋଲିସ ଓ ସାଇଣ୍ଟିଫିକ ଟିମ୍ ଗ୍ରାମରେ ପହଞ୍ଚି ଘଟଣାସ୍ଥଳ ନିରୀକ୍ଷଣ କରି ଘରୁ ମାରଣାସ୍ତ୍ର ଜବତ କରିଥିଲା । ଏହାପରେ ପୋଲିସ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଶବ ଗୃହକୁ ପଠାଇଥିବା ବେଳେ ଅପରାହ୍ନରେ ଶୋକାକୁଳ ପରିବେଶରେ ଗ୍ରାମ ଶ୍ମଶାନରେ ଶବ ସତ୍କାର ହୋଇଥିଲା । ତେବେ ମୃତକ ଜଣକ ଜଣେ ପରିବା ବ୍ୟବସାୟୀ ହୋଇଥିବା ବେଳେ ଆଜି ସ୍ଥାନୀୟ ବ୍ଯବସାୟ ସଂଘ ପକ୍ଷରୁ ଦୋକାନ ବଜାର ବନ୍ଦ ରହିଥିଲା । ଅପରପକ୍ଷରେ ମୃତକଙ୍କ ଭାଇଙ୍କ ଏତଲା ପ୍ରକାରେ ପୋଲିସ ଥାନା ମାମଲା ନଂ ୪୭୩/୨୩ ଅନୁସାରେ ମକଦ୍ଦମା ରୁଜୁ କରି ୩ ଭାଇଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here