ତିନି ଯୁବକଙ୍କୁ ୧୩ ବର୍ଷ ପୂର୍ବେ ଲଣ୍ଡା କରି ଗାଁ ବୁଲାଇବା ମାମଲା : ଦିଗପହଣ୍ଡି ଜେଏମଏଫସି କୋର୍ଟରେ ଅଭିଯୁକ୍ତ ଦଣ୍ଡିତ

0
736

ଗଞ୍ଜାମ:ଗତ ୧୩ ବର୍ଷ ଅର୍ଥାତ୍ ୧୧/୮/୨୦୧୦ ତାରିଖରେ ଦିଗପହଣ୍ଡି ଥାନା ଭୀଷ୍ମଗିରି ଓ ସିନ୍ଧବା ଗ୍ରାମରେ ତିନି ଯୁବକଙ୍କୁ ଲଣ୍ଡା କରି ବେକରେ ଜୋତା ମାଳ ପିନ୍ଧାଇ ଗ୍ରାମରେ ବୁଲାଇବା ମାମଲାର ଚୁଡାନ୍ତ ରାୟ ଶୁକ୍ରବାର ଦିନ ପ୍ରକାଶ ପାଇଥିବା ଜଣାପଡିଛି । ଦିଗପହଣ୍ଡି ଜେଏମଏଫସି କୋର୍ଟରେ ଅଭିଯୁକ୍ତ ମାନଙ୍କୁ ଜେଲ୍ ଓ ଜୋରିମାନାରେ ଦଣ୍ଡିତ କରାଯାଇଥିବା ଜଣାପଡିଛି । ଘଟଣାପରେ , ୧୩ ବର୍ଷ ତଳେ ସିନ୍ଧବା ଗ୍ରାମର ସୁରେଶ କୁମାର ପଣ୍ଡା ତାଙ୍କ ମାମୁଁଙ୍କ ଝିଅକୁ ଧରି ଅନ୍ୟ ଜଣେ ସାଙ୍ଗ ସହ ଏକ ଅଟୋରେ ଭିଷ୍ମଗିରି ଅଭିମୁଖେ ଆସୁଥିଲେ । ପୋଡାଖାଲ ନିକଟରେ ସିନ୍ଧବା ଓ ଭିଷ୍ମଗିରି ଗ୍ରାମର ଅଭିଯୁକ୍ତ ମାନେ ସୁରେଶ ଓ ତାଙ୍କ ସହ ଥିବା ଅନ୍ୟ ଦୁଇ ଯୁବକ ଟୁଟୁ ଗୌଡ ଏବଂ ଭୀମସେନ ଜାନିଙ୍କୁ ଅଟକାଇ ନିସ୍ତୁକ ମାଡ ମାରି ଭିଷ୍ମଗିରି ଚୈତନ୍ୟ ନିତ୍ଯାନନ୍ଦ ମଣ୍ଡପକୁ ଆଣି ସେଠାରେ ବାହାରୁ ତାଲା ପକାଇ ଦେଇଥିଲେ । ପରେ ସେମାନଙ୍କୁ ସାତ ବେଣ୍ଟିଆ ଲଣ୍ଡା କରି ବେକରେ ଜୋତାମାଳ ପିନ୍ଧାଇ ଉଭୟ ଭିଷ୍ମଗିରି ଏବଂ ସିନ୍ଧବା ଗ୍ରାମରେ ବୁଲାଇଥିଲେ । ସୁରେଶ ପଣ୍ଡାଙ୍କ ଅଭିଯୋଗ ଭିତ୍ତିରେ ଦିଗପହଣ୍ଡି ପୋଲିସ ୯୨/୧୦ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ସମୟରେ ସିନ୍ଧବା ଗ୍ରାମର ଶଙ୍କର ମହାନ୍ତି , ବଳିଆ ମହାନ୍ତି , ପ୍ରଦୀପ ମହାନ୍ତି , ଅମୂଲ୍ୟ ମହାନ୍ତି ଏବଂ ଭିଷ୍ମଗିରି ଗ୍ରାମର ମଣ୍ଟୁ ପାଣିଗ୍ରାହୀ , ପ୍ରଶାନ୍ତ ପାଣିଗ୍ରାହୀ ଓ ଜୟ ପାତ୍ରଙ୍କ ସଂପୃକ୍ତି ପାଇ ତଦନ୍ତକାରୀ ପୋଲିସ ଅଧିକାରୀ ଅଭିମନ୍ୟୁ ବେହେରା ୮.୧୧.୨୦୧୦ ତାରିଖରେ ସେମାନଙ୍କ ବିରୁଦ୍ଧରେ ଦିଗପହଣ୍ଡି କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ । ଏହି ମାମଲାରେ ଦିଗପହଣ୍ଡି ଜେଏମଏଫସି ମୋଟ ଦଶ ଜଣ ସାକ୍ଷୀଙ୍କ ବୟାନ ଲିପିବଦ୍ଧ କରିବା ପରେ ଉଭୟ ଅଭିଯୋଗକାରୀ ଏବଂ ଅଭିଯୁକ୍ତ ନିଜ ନିଜ ସପକ୍ଷରେ ଦୃଢ ଯୁକ୍ତି ଉପସ୍ଥାପନ କରିଥିଲେ । ଶେଷରେ ଦିଗପହଣ୍ଡି ଜେଏମଏଫସି ପ୍ରିୟଦର୍ଶିନୀ ତ୍ରିପାଠୀ ଶୁକ୍ରବାର ଚୂଡାନ୍ତ ରାୟ ପ୍ରକାଶ କରି ଉପସ୍ଥିତ ଥିବା ଅଭିଯୁକ୍ତ ମାନଙ୍କୁ ନଅ ମାସ ଲେଖାଏଁ ଜେଲ୍ ଦଣ୍ଡରେ ଦଣ୍ଡିତ କରିବା ସହ ୩୦୦୦ ଟଙ୍କା ଲେଖାଏଁ ଜୋରିମାନା ପ୍ରଦାନ କରିବାକୁ କହିଛନ୍ତି । ଏପରିକି ଜୋରିମାନା ଅନାଦେୟ ଅଧିକ ଏକ ମାସ ଜେଲ୍ ଯିବାକୁ ରାୟରେ ଉଲ୍ଲେଖ କରିଥିବା ଜଣାପଡିଛି ।ତେବେ ବିଚାରଣା ସମୟ ମଧ୍ୟରେ ଦୁଇ ଅଭିଯୁକ୍ତ ମଣ୍ଟୁ ପାଣିଗ୍ରାହୀ ଏବଂ ବଳିଆ ମହାନ୍ତିଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଚୂଡାନ୍ତ ରାୟ ପ୍ରକାଶ ସମୟରେ ଅନୁପସ୍ଥିତ ରହିଥିବା ଜୟ ପାତ୍ରଙ୍କ ବିରୁଦ୍ଧରେ ଜାମିନ ବିହୀନ ପରଓ୍ବାନା ଜାରି କରାଯାଇଛି । ଅଭିଯୋଗକାରୀଙ୍କ ପକ୍ଷରୁ ଦାଖଲ ଏହି ମାମଲାକୁ ସରକାରୀ ଓକିଲ ନକୁଳ ପ୍ରଧାନ ଓ କ୍ଯାଡର ଏପିପି ବିପ୍ଲବ କୁମାର ମୁଦୁଲି ପରିଚାଳନା କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here