ଜେଲ ଚାରିକାନ୍ଥ ତଳେ ନକଲି ଡାକ୍ତର : ନକଲି ମେଡିକାଲ କାଗଜପତ୍ର , ମେଡିସିନ ଓ କାର ଜବତ

0
480

ଗଞ୍ଜାମ:ଜର୍ମାନୀ ଓ ଦିଲ୍ଲୀ ଭଳି ବଡ଼ ବଡ଼ ମେଡ଼ିକାଲର ନକଲ କାଗଜପତ୍ର ପ୍ରସ୍ତୁତ କରି ନିଜକୁ ଜଣେ ଅଭିଜ୍ଞ ଡାକ୍ତର ପରିଚୟ ଦେଇ ରୋଗୀଙ୍କ ଜୀବନ ସହ ଖେଳୁଥିବା ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡା ଏବେ ଜେଲ ଚାରିକାନ୍ଥ ତଳେ । ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରୋଡ ପଜରଙ୍ଗ ଥାନା ସଣ୍ଡା ଗ୍ରାମ । ଖବରପ୍ରକାରେ , ଦୀର୍ଘଦିନ ଧରି ନକଲି ଡାକ୍ତର ଜଣକ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା ଗ୍ରାମରେ ବବୁଲ ମେଡିସିନ ଷ୍ଟୋରରେ ବେଆଇନ ଭାବେ ବିନା ଲାଇସେନ୍ସରେ ଏକ କ୍ଳିନିକ ଖୋଲିବା ସହ ନିଜକୁ ଏକ ଅସ୍ଥିଶଲ୍ୟ ଚିକିତ୍ସକ ତ କେତେବେଳେ ଏମ୍ଚସର ଜଣେ ଅଭିଜ୍ଞ ଡାକ୍ତର ବୋଲି କହି ରୋଗୀ ଚିକିତ୍ସା କରୁଥିଲେ । ଏପରିକି ରୋଗୀ ଚିକିତ୍ସା ଦେଖିବା ପାଇଁ ୩୦୦ ଶହ ଟଙ୍କା ନେଉଥିଲେ । ପୂର୍ବରୁ ସେ ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦର ଗାନ୍ଧୀ ମେଡିକାଲ କଲେଜରେ who ର ଜଣେ ସଦସ୍ୟ କହିବା ସହ ନକଲି କାଗଜପତ୍ର ଦେଇ କାର୍ଯ୍ୟ କରି ଆସୁଥିବା ବେଳେ ୨୦୨୦ ଫେବୃଆରୀ ୮ ତାରିଖରେ ଚିକାଲଗୁଡା ଥାନା ପୋଲିସ ନକଲି ଡାକ୍ତର ଦର୍ଶାଇ ଗିରଫ କରିଥିଲେ । ୧୫ ଦିନ ଜେଲରେ ରହିବା ପରେ ବେଲରେ ଆସି ସେ କଟକରେ ଏକ ବେସରକାରୀ କ୍ଳିନିକ ମଧ୍ୟ ଖୋଲିଥିଲେ । ସେହିପରି ଡେଙ୍ଗାଓସ୍ତାରେ ମଧ୍ୟ ଏହି ବେଆଇନ କାରବାର ଚାଲୁ ରଖି ଆସୁଥିଲେ । ତେବେ ଦିଗପହଣ୍ଡି ଥାନା ଛଣମେରୀ ଗ୍ରାମର ସିମାଞ୍ଚଳ ସାହୁଙ୍କ ବଡ଼ମାଆଙ୍କ ହାତ କଚି ଫାଟିଥିବାରୁ ସେ ଉକ୍ତ କ୍ଳିନିକକୁ ଯାଇଥିଲେ । ସେଠାରେ ନକଲି ଡାକ୍ତରଙ୍କ ଔଷଧ ଖାଇବା ପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଯାଇଥିଲେ । କିନ୍ତୁ ସେଠାକାର ଡାକ୍ତର ଉକ୍ତ କ୍ଳିନିକର କୌଣସି ରେଜିଷ୍ଟ୍ରାର ନମ୍ବର ନଥିବା ଜାଣିପାରି ନକଲି ଡାକ୍ତରଙ୍କ ପ୍ରତି ସନ୍ଦେହ ଜାତ ହେବାରୁ ବ୍ରହ୍ମପୁର ଏସ୍ ପି ଙ୍କୁ ଜଣାଇଥିଲେ । ଏସ୍ ପିଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ଥାନା ଅଧିକାରୀ ନିଜେ ଜଣେ ରୋଗୀ ଭାବରେ ଉକ୍ତ କ୍ଳିନିକକୁ ଯାଇ ଡାକ୍ତରଙ୍କ ଅସଲ ମୁଖା ଖୋଲିଥିଲେ । ଯାହାଫଳରେ ଆଜି ନକଲି ଡାକ୍ତରଙ୍କୁ ଗିରଫ ପରେ ଡେଙ୍ଗାଓସ୍ତା ସମେତ କଟକ ଏବଂ ବାସଗୃହରେ ଚଢ଼ାଉ କରି ନକଲି ମେଡିସିନ, ବିଭିନ୍ନ ମେଡିକାଲର ନକଲି କାଗଜପତ୍ର ସମେତ ଏକ କାର ଜବତ କରିଥିବା ଜଣାପଡିଛି । ଏପଟେ ସିମାଞ୍ଚଳ ଦିଗପହଣ୍ଡି ଥାନାରେ ନକଲି ଡାକ୍ତରଙ୍କ ବିରୋଧରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ଥାନା ଅଧିକାରୀ ଥାନା ମାମଲା ନଂ ୨୫୭/୨୩ ପ୍ରକାରେ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଥିଲା । ସେଠାରେ ଜାମିନ ଅଭାବରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ବ୍ରହ୍ମପୁର ଏସ୍ ପି ଶ୍ରବଣ ବିବେକ ଏମ୍ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here