ଆଜି ଏଇ ବିଦ୍ୟାଳୟ ଟିକୁ ଦେଖି ହଠାତ୍ ମାନେ ପଡ଼ି ଗଲା ପିଲାଦିନର କେତୋଟି ଅଭୁଲା ସ୍ମୃତି। ଏଇ ସ୍କୁଲ୍ ରୁ ଆରମ୍ଭ ହୁଏ ମୋର ପାଠପଢ଼ା ତୃତୀୟ ଶ୍ରେଣୀରୁ। ତା ପୂର୍ବରୁ ମୁଁ କୌଣସି ସ୍କୁଲ କୁ ଯାଇନଥିଲି ।କଲିକତାରେ ରହୁଥିଲି ଘରେ ବାପା ଚାଟଶାଳୀ ପାଠ ଓ ବର୍ଣ୍ଣବୋଧ ପଢ଼ାଉଥିଲେ କଣ କେତେ ପଢ଼ିଥିଲି ମୋର ମନେନାହିଁ ବାପା ସାର୍ ଙ୍କ ସହିତ କଣ କଥା ହେଲେ ସାର୍ ମୋତେ କଣ ବୋଧେ ଟିକେ ପଚାରିଲେ ତାପରେ ଏକାଥରେ ତୃତୀୟ….। ସେଇଠି ପଞ୍ଚମ ପର୍ଯ୍ୟନ୍ତ ପଢ଼ା ହେଉଥିଲା।
ସେତେବେଳେ ସ୍କୁଲ କହିଲେ ଏଇ ସାମ୍ନା ତିନୋଟି ରୁମ୍ ଥିଲା ,ବାମ ପଟକୁ ଦୁଇଟି ରୁମ୍ ଅଧାଗଢ଼ା ଅବସ୍ଥା ରେ ଥିଲା । ହେଲେ ସ୍କୁଲ୍ ଚତୁଃପାର୍ଶ୍ଵ ବେଶ୍ ମୋନୋରମ ଥିଲା ।ସାମ୍ନାରେ ମାଆ ଧାନେଶ୍ଵରୀ ମନ୍ଦିର,ଆଉ ବୃନ୍ଦାବନ ଚନ୍ଦ୍ର ମଠ। ପଛ ପଟକୁ ଆମ୍ବ ପଣସ ଘେରା ସୁନ୍ଦର ବଗିଚା ତା ପାଖକୁ ଲାଗି ବ୍ରାହ୍ମଣୀ ନଦୀ କଳ କଳ ନାଦରେ ବହିଯାଇଛି। ମୋଟାମୋଟି ଭାବେ ବିଦ୍ୟାଳୟ ଟି ଅତ୍ୟନ୍ତ ସୁନ୍ଦର ପରିବେଶ ଭିତରେ ଅବସ୍ଥିତ।
ସେ ଯାହା ହେଉନା କାହିଁକି ଏଇ ସ୍କୁଲ୍ ରେ ମୋର ବହୁତ ସୃତି ଏବେବି ଜୀବନ୍ତ ହୋଇ ରହିଛି। ପ୍ରତି ଗୁରୁବାର ଦିନ ଠାକୁରାଣୀ ଗାଧୁଆ ସରିଲେ ଠିକ୍ ଖାଇଛୁଟି ବେଳକୁ ପୂଜକ ଦରିଆ ନନା ଡାକ ପକାନ୍ତି ପିଲାଏ ଆସ ଭୋଗ ଖାଇବ ଆଉ ଆମେ ସବୁ ବହୁ ଆଗ୍ରହରେ ଦୋୖଡି ଯାଉ ସିଏ ଯାହା ଭୋଗ ଦିଅନ୍ତି ଛାଡ଼ ନ କହିବା ଭଲ ଯିଏ ଖାଇଥିବେ ନିଶ୍ଚୟ ଜାଣିଥିବେ।
ଆମ ଗାଁ ସ୍କୁଲ୍ ଠାରୁ ପାଖାପାଖି ଦେଢ଼ କିଲୋମିଟର ହେବ ତେଣୁ ଖାଇଛୁଟିରେ ଆମେ କେତେଜଣ ଘରକୁ ଯାଉନଥିଲୁ ସ୍କୁଲ୍ ପଛପଟ ବଗିଚାରେ ବସି ଖଟା ଚକୁଟା, କୋଉ ଦିନ କମଳା ଚକୁଟା,ଟମାଟୋ ଚକୁଟା ,କୋଳି ଚକୁଟା ଇତ୍ୟାଦି କରି ମଜା ନେଉ। ସେଥି ପାଇଁ ଆଗରୁ କଥା ହୋଇଥାଏ କିଏ କୋଳି ଆଣିବ କିଏ ଟିଫିନ୍ ଡବା ଆଣିବା କିଏ ଲୁଣ ଲଙ୍କା କିଏ ରସୁଣ ଏମିତି।
କେତେ ଭଲ ଥିଲା ସତରେ ସେ ଦିନ ସବୁ। ଏବେକା ପରି ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ନଥିଲା କିନ୍ତୁ ଶନିବାର ଦିନ ଖଣ୍ଡି ଗହମର ଲୁଣିଆ ଲୁଣିଆ ଜାଉ ମିଳୁ ଥିଲା ସେଦିନ କଦଳୀ ପତ୍ର ନେଇକି ଯିବାକୁ ପଡୁଥିଲା।ସେ ଜାଉ ବି ଭାରି ଭଲ ଲାଗୁଥିଲା ଖାଇବାକୁ।
ମନେ ପଡୁଛି ଧରଣୀ ସାର୍ ଙ୍କ କଥା । ସେ ଗଣିତ ଆଉ ଇଂରାଜୀ ପଢାନ୍ତି। ଚତୁର୍ଥ ଶ୍ରେଣୀରେ ନୂଆ ନୂଆ ଇଂରାଜି ପଢ଼ା ହେଉ ଥାଏ ଧରଣୀ ସାର୍ ମୋତେ ନେଇ ଟେବୁଲ୍ ତଳେ ବସାଇ ଦେଇ ପିଲାଙ୍କୁ ପ୍ରଶ୍ନ କରନ୍ତି “where is Bandana” ? ପୁଣି ନିଜେ ଉତ୍ତର ଦିଅନ୍ତି “Bandana is under the table”, ପୁଣି
କହିବେ କବାଟ ବନ୍ଦ କରିବାକୁ ତ କହିବେ ଖୋଲିବାକୁ ଏଇମିତି ଉଦାହରଣ ସହିତ this/that,Under/on, close/open ଇତ୍ୟାଦି ପଢ଼ାନ୍ତି । ମୁଁ ବହୁତ୍ ପତଳା ଆଉ ଛୋଟ ଟେ ଥିଲି ସେଥିପାଇଁ ଗୋଟେ ପ୍ରକାର କାର୍ଟୁନ୍ ବନୁଥିଲି।
ଦିନେ କେମିତି କେଜାଣି ମୋର କୌଣସି ଗୋଟିଏ ହାତର ବୁଢା ଅଙ୍ଗୁଳି ଟିକେ କାଟି ହୋଇ ଯାଇଥିଲା ବୋଉ ଖଣ୍ଡେ କନା ବାନ୍ଧି ଦେଇଥିଲା ସେଥିରେ ସ୍କୁଲରେ କଲମରୁ କାଳି ଦିଆ ନିଆ ହେଲାବେଳେ ମୋ ସାଙ୍ଗ ମାନସୀ(ହେଡ୍ ମାଷ୍ଟର ଙ୍କ ଝିଅ )ର ହାତ ମୋ ଆଙ୍ଗୁଠି ରେ ବାଜିଗଲା ଆଉ ବହୁତ ରକ୍ତ ବୋହିଲା ମୁଁ ବଡ ପାଟିରେ କାନ୍ଦିବାକୁ ଲାଗିଲି ଆଉ ଆମ କାନନ ସାର୍ ଆସିକି ତାଙ୍କ ଝିଅକୁ ବହୁତ ବାଡ଼େଇଲେ ଯଦିଓ ତାର କିଛି ଦୋଷ ନଥିଲା ତା ହାତ ତ ଭୁଲ୍ ରେ ବାଜିଥିଲା,ପିଲାମାନେ ତା ନାଁ କହିଦେଲେ ଆଉ ସେ ମାଡ଼ ଖାଇଲା ମୋ ସହିତ କଟି ବି ପାକାଇଦେଲା । ପୁଣି ଦିନେ ଦୁଇଦିନରେ ମିଟି ହୋଇଗଲା ଯେ। ହେଲେ ମୋ ମନରେ ଏବେବି ସେ କଥା ବେଳେ ବେଳେ ଆନ୍ଦୋଳିତ ହୁଏ।
ସେତେବେଳେ ୟୁନିଫର୍ମ ବାଧ୍ୟତା ମୂଳକ ନଥିଲା ଯିଏ ଯାହା ପିନ୍ଧିକି ଗଲେ ଚଳୁଥିଲା ।ଅବଶ୍ୟ ବ୍ଲୁ ସ୍କଟ୍ ଆଉ ଧଳା ସାର୍ଟ ଡ୍ରେସ୍ କୋଡ୍ ଥିଲା ହେଲେ କେହି ମାନୁ ନଥିଲେ ।ଦିନକର କଥା ମୁଁ ସେମିଜ୍ ଆଉ ସ୍କଟ୍ ସାର୍ଟ ପିନ୍ଧି ସ୍କୁଲ୍ ଯାଇଛି ଅଣ୍ଡର୍ ପ୍ୟାଣ୍ଟ୍ ପିନ୍ଧିବାକୁ ଭୁଲି ଯାଇଛି ।ଏକଥା ମୁଁ ମୋ ସାଙ୍ଗ ମାନସୀ କୁ ଚୁପ୍ କରି ପ୍ରାର୍ଥନା କ୍ଲାସ୍ ରେ କହିଥିଲି ତା ପରେ ଶ୍ରେଣୀଗୃହରେ ବହୁତ ହୁସିଆର୍ ହୋଇ ବସି ପାଠ ପଢିଲି ,କଥାଟିକୁ ବୋଧହୁଏ ମୋ ସାଙ୍ଗ ଅନ୍ୟ ସାଙ୍ଗ ମାନଙ୍କୁ କହିଦେଇ ଥିଲା ।ସେମାନେ ମୋତେ ଚାହିଁ କି କୁରୁ କୁରୁ ହେଉଥିବାର ମୁଁ ଜାଣି ପରୁଥାଏ। ଆଉ ଯେତେ ବେଳେ ଖାଇ ଛୁଟି ହେଲା ମୋ ପଛରେ ମାନସୀ,ଅନିତା,କୁନ୍ତଳା,ପ୍ରତିମା, ଶଶିରେଖା, ସୀତା ମାଳି ଇତ୍ୟାଦି ହସା ହସି ହୋଇ ମୋତେ ଗୋଡ଼େଇବାକୁ ଉପକ୍ରମ କଲେ ମୁଁ ଜୀବନ ବିକଳେ ଦୌଡ଼ି ବାକୁ ଲାଗିଲି ଆଉ ନଈ କୂଳେ କୂଳେ ଅଣ ନିଶ୍ବାସୀ ହୋଇ ଆସି ଘରେ । ଛୁଟି ହେଲା ପରେ ଦାଦାଙ୍କ ପୁଅ (ମୋ ସହିତ ପଢ଼ୁଥିଲା ) ମୋ ବହି ବାକ୍ସ ଆଣି ମୋତେ ଘରେ ଦେଲା ଆଉ କହିଲା କଣ ଖଇଛୁଟି ରେ ସାର୍ ଙ୍କୁ ନ କହିକି ପଳେଇ ଆସିଛୁ କାଲି ତୋ ଉପରେ ପାହାର ହେବ ସାର୍ କହିଛନ୍ତି ।
ମୁଁ ଆଉ କିଛି କହିଲିନି । ତା ପରଦିନ ଅବଶ୍ୟ ଦୁଇ ଚାରି ପାହାର ବେତ ମାଡ଼ ଖାଇଲି । ଏଇମିତି କେତେ କେତେ ସ୍ମୃତି ଅନୁଭୂତି ଏଇ ସ୍କୁଲ୍ ସହିତ ଜଡ଼ିତ।
ପଞ୍ଚମରେ ସ୍କଲର୍ସସିପ୍ ପରୀକ୍ଷା ଦେବାକୁ ଗଲାବେଳେ କେତେ କେତେ ଅଲିଭା କାହାଣୀ , କୋଉଠି କାହା ବାଡ଼ିରେ ପଣସ ପାଚିଛି ତାକୁ ଖା ତ କିଏ ତାଳ ସଜ କାଟୁଛି ତାକୁ ମଗିକି ଖା ଇତ୍ୟାଦି କେତେ ଅଭୁଲା କଥା ।ଲେଖୁଥିଲେ ସରିବନି। କାହାର ବା ସମୟ ଅଛି ଏସବୁ ପଢି ବାକୁ । କିନ୍ତୁ ଏ ସବୁ ମୋର ଅନୁଭୂତିର କଥା…..
ଶ୍ରୀମତୀ ବନ୍ଦନା ନାୟକ
ଭୁବନେଶ୍ୱର