ମୋ ଟିଚର *********

0
792

ଏମିତି ତ ଜୀବନରେ ଶିକ୍ଷାର ଅଭାବ ନଥାଏ କି ଶିକ୍ଷା ଦେବାପାଇଁ ଲୋକଙ୍କର,। କିନ୍ତୁ ‘ଟିଚର’ ବୋଲି ଶବ୍ଦଟିଏ ଶୁଣିଦେଲେ ମନକୁ ପ୍ରଥମେ ଯିଏ ଆସନ୍ତି, ସେମାନେ ହେଲେ ମୋ ‘ସ୍କୁଲ ଟିଚର’। ବାପାବୋଉ ଚାଲିବା ଶିଖେଇ ଦେଇ ମୋ ହାତକୁ ଛାଡ଼ିଦେଲା ପରେ ସେଇମାନେ ହିଁ ତିଆରି କରିଥିଲେ ମୋ ପାଦତଳେ ରାସ୍ତାଟିଏ । ରାସ୍ତାର ଶେଷମୁଣ୍ଡରେ ‘ଲକ୍ଷ୍ୟ’ ବୋଲି ଅଦୃଶ୍ୟ ପ୍ରାପ୍ୟଟି ପ୍ରତି ସୃଷ୍ଟି କରିଥିଲେ ମୋ ମନରେ ଆକର୍ଷଣ କିଛି। ଆଉ ପାଦେ ପାଦେ ମୁଁ ଆଗକୁ ବଢ଼ି ଚାଲିଲା ବେଳେ ପାଖେ ପାଖେ ରହି ସଜାଗ ଦୃଷ୍ଟିରେ ଚାହିଁ ରହିଥିଲେ ମୋ ବ୍ୟକ୍ତିତ୍ୱର ଵିଵର୍ତ୍ତନ ପ୍ରତି।

ପରିବାରର ଆଶ୍ୱସ୍ତ ପରିବେଶ ବାହାରେ ସେଇମାନେ ହିଁ ପ୍ରଥମ ଯାହା ଗହଣରେ ନିଜକୁ ସୁରକ୍ଷିତ ମନେ କରୁଥିଲି ମୁଁ।
ସେମାନଙ୍କର ଅକୁଣ୍ଠ ସ୍ନେହଶ୍ରଦ୍ଧା ଯୋଗୁଁ ଅଚିହ୍ନା ଦୁନିଆଟିଏ ଧୀରେ ଧୀରେ ମୋର ଏତେ ଚିହ୍ନା ହୋଇଯାଇଥିଲା ଯେ, ପ୍ରଥମେ ପ୍ରଥମେ ସ୍କୁଲ ଗେଟ ପାଖରେ କାନ୍ଦି କାନ୍ଦି ଗଡ଼ି ଯାଉଥିବା ପିଲାଟି ଦିନେ ଛୁଟି ହେଲେ ଅତିଷ୍ଠ ହୋଇଉଠୁଥିଲା କେମିତି ଜଲଦି ଜଲଦି ବିତିଯିବ ସେ ଦିନଟି ବୋଲି।

ଆଜିବି ସ୍ପଷ୍ଟ ମନେ ଅଛି, ଷଷ୍ଠ ଶ୍ରେଣୀର ପରୀକ୍ଷା ପରର କଥା… ବାପା ସ୍ଥିର କଲେ ମୋତେ ସରକାରୀ ସ୍କୁଲକୁ ନେଇଆସିବେ।କାରଣ ଆମ ସ୍କୁଲରେ ବୃତ୍ତିପରୀକ୍ଷା ନଥିଲା, ଆଉ ବାପା ଚାହୁଁଥିଲେ ମୁଁ ସପ୍ତମ ଶ୍ରେଣୀର ବୃତ୍ତି ପରୀକ୍ଷାଟି ଦିଏ। ଷଷ୍ଠ ଶ୍ରେଣୀର ବାର୍ଷିକ ପରୀକ୍ଷା ପରେ ପୁରା ଖରାଛୁଟିଟା ମୋର ଅଶାନ୍ତି ଆଉ ଆଶଙ୍କା ଭିତରେ କଟିଥିଲା। ପ୍ରତିଦିନ ଭାବୁଥିଲି ଆଖି ପିଛୁଳାକେ ଖରାଛୁଟିଟା ସରିଯାଆନ୍ତା କି….ସେ ସ୍କୁଲର ଆଡ଼ମିଶନ ଡ଼େଟ ଗଡ଼ିଯାଆନ୍ତା ।

ସପ୍ତମ ଶ୍ରେଣୀରେ ଦିନକର କଥା…କଥାବାର୍ତ୍ତା ଛଳରେ ଜାଣିବାକୁ ପାଇଲୁ ଯେ ଆମ କ୍ଲାସଟିଚର(ଲୁଲୁଅପା)ଙ୍କ ଗାଁର ନାଁ ହେଉଛି ତେନ୍ତୁଳିପଦା। ନାଁ ଟା ଶୁଣିକି ହିଁ ଆମ ପାଟିରୁ ଲାଳ ବୋହିଥିଲା। ଆମେ ଅପାଙ୍କୁ କହିଲୁ “ତାହେଲେ ତ ଆପଣଙ୍କ ଗାଁ ରେ ବହୁତ ତେନ୍ତୁଳି ଥିବ ?” ସେଇଥର ଗାଁରୁ ଫେରିବା ସମୟରେ ଅପା ସତରେ ତେନ୍ତୁଳି ନେଇକି ଆସିଥିଲେ ଆମ ପାଇଁ। ଗୋଟେ ଦିନ ଆମ କ୍ଲାସର ପୁଅମାନେ ବାହାରେ ଖେଳୁଥିବା ସମୟରେ ଅପା ଆଉ ଆମେ ଝିଅ ମାନେ ମିଶି ଟିଫିନବକ୍ସ ରେ ତେନ୍ତୁଳି ଲୁଣ ଲଙ୍କା ଚକଟିକି ଖାଇଥିଲୁ। ସେଦିନ ତେନ୍ତୁଳିଠାରୁ ଅଧିକ ସୁଆଦ ଲାଗିଥିଲା ଅପାଙ୍କର ଆମ ମନକୁ ବୁଝିପାରିବାଟା ।

ସମୁଦାୟ ସ୍କୁଲ ସମୟ ଭିତରେ ଟିଚରଙ୍କଠୁ ଥରୁଟିଏ ଗାଳି ଖାଇଥିଲି ସପ୍ତମ କି ଅଷ୍ଟମ ଶ୍ରେଣୀରେ। ଇଂଲିଶ ର ମାସିକ ପରୀକ୍ଷାଫଳ ବାହାରିଥାଏ। କୋଡ଼ିଏରୁ ମୋର ଷୋହଳ ରହିଥିଲା। ଗୁଡ଼ିଏ ଜାଗାରେ ସିଲି ମିଷ୍ଟେକ କରିଦେଇଥିଲି। ଅନ୍ୟ ସେକ୍ସନରେ ଜଣେ ହାଏଷ୍ଟ ମାର୍କ ରଖିଥିଲା ଉଣେଇଶି। (ହେମନ୍ତ)ସାରଙ୍କର ବିଶ୍ୱାସ ଥିଲା ଯେ ମୁଁ ହାଏଷ୍ଟ ରଖିବି ନିଶ୍ଚୟ। ସାରଙ୍କୁ ନିରାଶ କରିଥିବାରୁ ସେଦିନ ବହୁତ ଗାଳି ଖାଇଥିଲି। ଗୁଡ଼ିଏ କାନ୍ଦିଥିଲି ବି। କିନ୍ତୁ ମୋ ଉପରେ ସାରଙ୍କର ବିଶ୍ୱାସ ମୋ ଆତ୍ମବିଶ୍ବାସକୁ ଦୃଢ଼ କରିଥିଲା। ପରବର୍ତ୍ତୀ ପରୀକ୍ଷା ଗୁଡ଼ିକରେ ହାଏଷ୍ଟ ରଖିଥିଲି କି ନାହିଁ ମନେନାହିଁ, କିନ୍ତୁ ମୋ ପରୀକ୍ଷାଫଳ ଯେପରି ସାରଙ୍କ ମନରେ ଦୁଃଖ ନଦିଏ ଏ ଚେଷ୍ଟା ମୋ ଭିତରେ ବଳବତ୍ତର ରହିଥିଲା।

ଆମେ ଟିଚରମାନଙ୍କୁ ଅପା ଆଉ ସାର/ଭାଇ ବୋଲି ଡାକୁଥିଲୁ। ଏହି ଡାକଟି ହିଁ ସ୍କୁଲ ଭିତରେ ପାରିବାରିକ ବାତାବରଣଟିଏ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ନେଇଥିଲା। କେହି ଅପା କି ସାର ଯଦି ବଦଳି ହୋଇ ଯାଉଥିଲେ, ମନେ ମନେ ଜଗି ବସୁଥିଲୁ ଆମେ ପୁଣି କେଉଁଦିନ ସେମାନଙ୍କ ସହ ସାକ୍ଷାତର ସୁଯୋଗ ପାଇବୁ। ଆଉ ଯେଉଁଦିନ ଆମେ ସ୍କୁଲ ପାସ କଲୁ, ଟିଚରମାନଙ୍କୁ ପ୍ରଣାମ କରି ଆସିଲା ବେଳକୁ ମନେ ହେଇଥିଲା ଯେମିତି ନିଜ ପରିବାରଠାରୁ ଦୂରକୁ ଚାଲିଯାଉଛୁ ଆମେ।

ଆଜି ବି ସ୍କୁଲ ସାମ୍ନା ଦେଇ ଯିବାଆସିବା କଲାବେଳେ ପାଦ ଅଟକି ଯାଏ ଆପେ ଆପେ। ମନେ ଭିତରେ ସତେଜ ହୋଇଯାଏ ହଜିଲା ସେଇ ଦିନସବୁ, ସେଇ ମାଛକୁଣ୍ଡ…ପଟେଲହଲ….ବାଲିପଡ଼ିଆ… ଘାସପଡ଼ିଆ…ପାହାଡ଼…ଆଉ ସର୍ବୋପରି ବଡ଼ଅପା (ସେତେବେଳର ପ୍ରିନ୍ସପାଲ)।

ଆଜିବି ମୋତେ ଲାଗେ ଦୁନିଆର ସବୁଠୁ ଭଲ ସ୍କୁଲ ହେଲା ମୋ ସ୍କୁଲ। ଆଉ ମୋ ଟିଚରମାନେ ହେଲେ ଦୁନିଆରେ ସମସ୍ତଙ୍କଠାରୁ ନିଆରା। ଛାଡ଼…..ଗପୁ ଗପୁ ଅନେକ କିଛି ଗପିଗଲିଣି। ଆପଣମାନେ ବୋର୍ ହୋଇଯିବେଣି ହୁଏତ। ମୋତେ କିନ୍ତୁ ବହୁତ ଭଲ ଲାଗିଲା ମୋ ଟିଚରମାନଙ୍କ ବିଷୟରେ ଆପଣମାନଙ୍କ ସହ ଏମିତି ଗପସପ କରିକି। ଶେଷରେ ଏତିକି ଅନୁରୋଧ କରିବି ମୋ ସହ ମିଶି ଆପଣମାନେ ବି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିବେ ନିଶ୍ଚୟ ମୋ ଅପା ଆଉ ସାରମାନଙ୍କର ସୁସ୍ଥ, ନିରୋଗ ଓ ସୁଖଶାନ୍ତିମୟ ଜୀବନଟିଏ ଲାଗି ।
ଅନୁସୂୟା ମିଶ୍ର
ଭୁବନେଶ୍ୱର

LEAVE A REPLY

Please enter your comment!
Please enter your name here