ମହୁଡା ଡବଲ ମର୍ଡର ମାମଲାରେ ପୂର୍ବତନ ସରପଞ୍ଚ ସମେତ ୩ ଅଭିଯୁକ୍ତ ଗିରଫ : ମାରଣାସ୍ତ୍ର ଜବତ

0
891

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମହୁଡା ଗ୍ରାମରେ ଗତ ଜୁନ ୨୮ ତାରିଖ ବିଳମ୍ବିତ ରାତିରେ ବିଘ୍ନରାଜ ପୁରୋହିତ ଓରଫ୍ ଲିଟୁ ଓ ଶିବରାମ ଗୈାଡ ନାମକ ଦୁଇ ଯୁବକକୁ ହତ୍ୟା ପରେ ପୋଡ଼ି ଦିଆଯାଇଥିଲା । ଏହି ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର ଦିନ ପୋଲିସ ପୂର୍ବତନ ସରପଞ୍ଚ ସମେତ ୩ ଜଣକୁ ଗିରଫ କରିଥିବା ବେଳେ କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ . ଶ୍ରବଣ ବିବେକ ଏମ୍ ସୂଚନା ଦେଇଛନ୍ତି । ଗିରଫ ମାନଙ୍କ ମଧ୍ୟରେ ମହୁଡା ଗ୍ରାମର ପୂର୍ବତନ ସରପଞ୍ଚ ସଞ୍ଜୟ ସାହୁ , ଅପୂର୍ବ ବସ୍ତିଆ , ପବିତ୍ର ନାହାକ ଓରଫ୍ ବୁଢ଼ା ବୋଲି ଜଣାପଡିଛି । ଖବରନୁଯାୟୀ , ଲାଠି ଗ୍ରାମର ଦୁଇ ସାଙ୍ଗ ଲିଟୁ ଓ ଶିବ ଅପରାଧୀ ଶ୍ରେଣୀର ହୋଇଥିବା ବେଳେ ବିଭିନ୍ନ ସମୟରେ ଏମାନେ ମହୁଡା ଗ୍ରାମକୁ ଯାଇ ମହିଳା ମାନଙ୍କ ପ୍ରତି ଅସଦାଚରଣ କରିବା ସହ ଗ୍ରାମର ଛୋଟ ଛୋଟ ଦୋକାନ କରୁଥିବା ଲୋକଙ୍କୁ ଦାଦାବଟି ମାଗୁଥିଲେ । ଏପରିକି ରାତିରେ ନିକାଞ୍ଚନ ରାସ୍ତାରେ ଜଗିରହି ଲୋକମାନଙ୍କୁ ଠାରୁ ଡକାୟତି ମାମଲାରେ ଜେଲ ଯାଇଥିଲେ । ତେବେ ଜେଲରୁ ବେଲରେ ମୁକୁଳି ଆସିବା ପରେ ପୁଣିଥରେ ଆରମ୍ଭ କରିଥିଲେ ଡକାୟତି ପରେ ମହୁଡା ଗ୍ରାମକୁ ଯାଇ ଲୋକଙ୍କ ସହ ମାଡଗୋଳ । ଯାହାଫଳରେ ମହୁଡା ଗ୍ରାମବାସୀ ଏହି ଦୁଇଙ୍କ ଉପରେ ଅତିଷ୍ଠ ହେବା ସହ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଗତ ୨୮ ତାରିଖ ରାତିରେ ଲିଟୁ ଓ ଶିବ ମିଶି ଏକ ବାଇକ୍ ( ଓଡି ୦୭ ଏନ୍ ୫୩୩୦) ଯୋଗେମହୁଡା ଗ୍ରାମକୁ ଏକ ଭୋଜିରେ ଯାଇ ଗ୍ରାମ ମଝିରେ ଗ୍ରାମବାସୀଙ୍କ ସହ ପାଟିତୁଣ୍ଡ କରିଥିଲେ । ପରବର୍ତ୍ତୀ ସମୟରେ ସେମାନେ କେନାଲ ରାସ୍ତା ଦେଇ ଫେରୁଥିବା ବାଟରେ ଗିରଫ ଅଭିଯୁକ୍ତ ମାନେ ଲିଟୁ ଓ ଶିବଙ୍କୁ ଆକ୍ରମଣ ପରେ ପଥରରେ ଛେଚି ନୃଶଂସ ଭାବେ ହତ୍ୟା କରିଥିଲେ । ପରେ ଘଟଣାକୁ ଲୁଚାଇବା ପାଇଁ ଉଭୟଙ୍କୁ ପୋଖରୀ ତୁଠରେ ବାଇକ୍ ସହ ଉଭୟଙ୍କୁ ପୋଡ଼ି ଦେଇଥିଲେ । ଘଟଣା ଘଟିବାର କିଛି ସମୟ ପରେ ଦିଗପହଣ୍ଡି ପୋଲିସ ଖବର ପାଇ ଚିକିଟି ଏସ୍ ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ଓ ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ଅବସ୍ଥାରେ ଦୁଇଟି ଶବ ନିଆଁରୁ କାଢ଼ିବା ସହ ପରିବାରକୁ ଖବର ଦେଇଥିଲେ । ପ୍ରଦାନ ସକାଳୁ ବ୍ରହ୍ମପୁର ଏସ୍ ପି ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ହତ୍ୟାକାଣ୍ଡର ଖୋଳତାଡ଼ କରିଥିଲେ । ଅପରପକ୍ଷରେ ପୋଲିସ ଶବ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିଲା । ଘଟଣାପରେ ଲକି ମହାରଣା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲିସ ମାମଲା ନଂ ୨୩୫/୨୩ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲା । ଏପଟେ ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ଏସ୍ ପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରି ଆସୁଥିଲା । ତେବେ ଗତକାଲି ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ ରକ୍ତଭିଜା କାଠ , ପଥର ଓ ତିନୋଟି ମୋବାଇଲ ଜବତ କରିଥିଲା । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲେ ମଧ୍ୟ ଜାମିନ ଅଭାବରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here