ନକଲି ଗୁଟଖା କାରଖାନା ଉପରେ ପୋଲିସର ଚଢ଼ାଉ : କଞ୍ଚାମାଲ ଉପକରଣ ଓ ଗୁଟଖା ମେସିନ ଜବତ , ୩ ଗିରଫ

0
626

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନସ୍ଥ ଭୁଷୁଣ୍ଡା ଗ୍ରାମରେ ଦୀର୍ଘଦିନ ଧରି ବେଆଇନ ଭାବେ ଚାଲିଥିବା ନକଲି ଗୁଟଖା କାରଖାନା ଉପରେ ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ପୋଲିସ ଏହି ଘଟଣାରେ ୩ ଜଣ ଯୁବକଙ୍କୁ ଗିରଫ କରିଥିବା ବେଳେ ବିପୁଳ ପରିମାଣର ନକଲି ଗୁଟଖା ସମେତ ପ୍ରସ୍ତୁତି ନିମନ୍ତେ କଞ୍ଚାମାଲ ଓ ମେସିନ ଜବତ କରିଥିବା ସୂଚନା ମିଳିଛି । ଗିରଫ ଯୁବକଙ୍କ ମଧ୍ୟରେ ଦିଗପହଣ୍ଡି ଥାନା ଲଙ୍ଗଳଦେଇ ଗ୍ରାମର ମନୋଜ ସାହୁ , ରବିନ୍ଦ୍ର ଗୈାଡ ଏବଂ ଭୁଷୁଣ୍ଡା ଗ୍ରାମର କାଳିଆ ଦୋରା ରହିଛନ୍ତି । ତେବେ ଘଟଣାସ୍ଥଳରୁ ବ୍ରହ୍ମପୁର ଅଞ୍ଚଳର ଅନ୍ୟ ଦୁଇ ଜଣ ଫେରାର ରହିଥିବା ପୋଲିସ ପ୍ରକାଶ କରିଛି । ଖବରପ୍ରକାରେ , ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ପଞ୍ଚାୟତ ଅନ୍ତର୍ଗତ ଉକ୍ତ ଗ୍ରାମର ଏକ ଭଡାଘରେ ୫ ରୁ ୬ ଜଣ ଯୁବକ ମିଶି ବେଆଇନ ଭାବେ ଏହି କାରଖାନା ଚଳାଇ ଆସୁଥିବା ସହ ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳରେ ବିକ୍ରି କରି ଆସୁଥିଲେ । ତେବେ ଗତକାଲି ପୋଲିସ ଏକ ବିଶେଷ ସୂତ୍ରରୁ ସୂଚନା ପାଇ ଚିକିଟି ଏସ୍ ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା , ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏସ୍ ଆଇ ମାଧବ ଚନ୍ଦ୍ର ଟାକିରି ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ରାତି ୮ ସମୟରେ ଉକ୍ତ ଘରେ ଚଢ଼ାଉ କରିଥିଲେ । ପୋଲିସକୁ ଦେଖି ୨ ଜଣ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଅନ୍ୟ ୩ ଜଣକୁ କାବୁ କରିବାରେ ସକ୍ଷମ ହୋଇପାରିଥିଲା । ପୋଲିସ ଏହି ଘଟଣାରେ ଡିଲକ୍ସ ମିକ୍ସ , ହରିଡ଼ାଖଣ୍ଡି ଭଳି ନକଲି ମସଲା ପୁଡିଆ , ନକଲି କମ୍ପାନୀ ଜରି ସମେତ ଗୁଟଖା ପ୍ରସ୍ତୁତ ମେସିନ୍ ଜବତ କରିଥିଲା । ତେବେ ଜବତ ସାମଗ୍ରୀର ଆକଳନ ମୂଲ୍ୟ ୧୫ ଲକ୍ଷରୁ ଉର୍ଦ୍ଧ୍ବ ହୋଇପାରେ ବୋଲି ଅନୁମାନ କରାଯାଉଛି । ଏନେଇ ଦିଗପହଣ୍ଡି ଥାନା କେସ୍ ନଂ ୨୫୨/୨୩ ଦଫା ୪୨୦/୨୭୨/୨୭୩/୩୪ ଆଇପିସି ଧାରା ୨୦ ଅନୁସାରେ ମାମଲା ରୁଜୁ କରି ଅପରାହ୍ନରେ ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିଲା । ତେବେ ଜାମିନ ଆବେଦନ ଖାରଜ ହେବାରୁ ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ସୂଚନା ଦେଇଥିବା ବେଳେ ଘଟଣାରେ ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି କହିଛନ୍ତି ।

ରିପୋର୍ଟ:କୀରଣ ବେହେରା

LEAVE A REPLY

Please enter your comment!
Please enter your name here