ମହୁଡା ଗ୍ରାମରେ ଦୁଇ ଯୁବକଙ୍କୁ ହତ୍ୟା : ଅର୍ଦ୍ଧଦଗ୍ଧ ଶବ ଜବତ , ସନ୍ଦେହରେ ୧୫ ଜଣକୁ ଅଟକ

0
568

ଗଞ୍ଜାମ:ଦିଗପହଣ୍ଡି ଥାନା ଅଞ୍ଚଳରେ ଦିନକୁ ଦିନ ମୁଣ୍ଡ ଗଡିବା ବର୍ତ୍ତମାନ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ପୁଣିଥରେ ଗତକାଲି ବିଳମ୍ବିତ ରାତିରେ ମହୁଡା ଗ୍ରାମରେ ଦୁଇ ଯୁବକଙ୍କୁ ନୃଶଂସ ଭାବେ ହତ୍ୟା ପରେ ପୋଡ଼ି ଦିଆଯାଇଛି । ସେମାନେ ହେଲେ ଦିଗପହଣ୍ଡି ଥାନା ଲାଠି ଗ୍ରାମର ଲିଟୁ ପାଢ଼ୀ ( ପୁରୋହିତ) ଓ ଶିବରାମ ଗୈାଡ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାପରେ ପୋଲିସ ଅର୍ଦ୍ଧଦଗ୍ଧ ଦୁଇଟି ଶବ ଜବତ କରିଥିବା ବେଳେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼. ଶ୍ରବଣ ବିବେକ ଏମ୍ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଥିବା ସୂଚନା ମିଳିପାରିଛି । ଖବରପ୍ରକାରେ , ଲାଠି ଗ୍ରାମର ଦୁଇ ଯୁବକ ଜଣକ ଅପରାଧ ଶ୍ରେଣୀର ଲୋକ ହୋଇଥିବା ବେଳେ ଏମାନଙ୍କ ନାମରେ ବିଭିନ୍ନ ଥାନାରେ ବହୁ ସଙ୍ଗୀନ ମାମଲା ମଧ୍ୟ ରହିଛି । ଏମାନେ ପୂର୍ବରୁ ବିଭିନ୍ନ ସମୟରେ ମହୁଡା ଗ୍ରାମକୁ ଯାଇ ସ୍ଥାନୀୟ ଗ୍ରାମବାସୀଙ୍କ ମାଡଗୋଳ ଲାଗିବା ସହ ଧମକ ଚମକ ମଧ୍ୟ ଦେଇ ଆସୁଥିବା ଫଳରେ ଲୋକଙ୍କ ସହ ଶତ୍ରୁତା ମଧ୍ୟ ରହିଥିବା ବ୍ରହ୍ମପୁର ଏସ୍ ପି ଗଣମାଧ୍ୟମ ଆଗରେ କହିଥିବା ଜଣାପଡିଛି । ତେବେ ଗତକାଲି ମଧ୍ୟ ଲିଟୁ ଓ ଶିବରାମ ଗ୍ରାମକୁ ଯାଇ ଗଣ୍ଡଗୋଳ କରିଥିବା ଗ୍ରାମବାସୀ ମାନେ କହିଛନ୍ତି । ଯାହାଫଳରେ ଉତ୍ୟକ୍ତ ହୋଇ ରାସ୍ତାରୁ ହଟାଇବା ପାଇଁ ସ୍ଥିର କରିଥିବା ବେଳେ ବୁଧବାର ରାତିରେ ମହୁଡା ପୋଖରୀ ହିଡ ରାସ୍ତାରେ ସେମାନଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲେ । ଏହାପରେ ପ୍ରମାଣ ନଷ୍ଟ କରିବା ପାଇଁ ଘଟଣାସ୍ଥଳରେ ହିଁ ଦୁଇଜଣଙ୍କୁ ନିଆଁ ଲଗାଇ ପୋଡି ଦେଇଥିବା ଜଣାପଡିଛି । ରାତି ୧ ଘଣ୍ଟା ସମୟରେ ଦିଗପହଣ୍ଡି ପୋଲିସ ଓ ଚିକିଟି ଏସ୍ ଡିପିଓ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଦୁଇ ଯୁବକଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଶବ ଜବତ କରିଥିଲେ । ଗୁରୁବାର ସକାଳୁ ବ୍ରହ୍ମପୁର ଏସ୍ ପି ସମେତ ଅନୁସନ୍ଧାନୀ କୁକୁର ସହାୟତାରେ ସାଇଣ୍ଟିଫିକ ଟିମ୍ ଘଟଣାର ଖୋଳତାଡ଼ କରୁଥିବା ଜଣାପଡିଛି । ଏନେଇ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ଏତଲାକୁ ଭିତ୍ତିକରି ପୋଲିସ ଥାନା ମାମଲା ନଂ ୨୩୫/୨୩ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି । ଅପରପକ୍ଷରେ ପୋଲିସ ଦୁଇ ଅର୍ଦ୍ଧଦଗ୍ଧ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ବେଳେ ରିପୋର୍ଟ ଆସିବା ପରେ ସତ୍ୟତା ଜଣାପଡିଛି ବୋଲି କହିଛନ୍ତି । ଏପଟେ ଘଟଣାପରେ ପୋଲିସ ୧୫ ଜଣକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here