ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଶବ ସତ୍କାର , ଦୁଃଖ ପ୍ରକାଶ କଲେ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

0
480

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଖେମୁଣ୍ଡି ମହାବିଦ୍ୟାଳୟ ନିକଟରେ ରବିବାର ରାତିରେ ହୋଇଥିବା ଭୟାନକ ବସ୍ ଦୁର୍ଘଟଣାରେ ୧୧ ଜଣ ପ୍ରାଣହାନୀ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଥିଲେ । ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ଖଣ୍ଡଦେଉଳି ଗ୍ରାମର ସ୍ବର୍ଗତ ଅଶୋକ ପ୍ରଧାନଙ୍କ ଝିଅ ସୋନାଲିଙ୍କ ସହ ବ୍ରହ୍ମପୁରର ଉମେଶଙ୍କ ସହ ବାହାଘର ରବିବାର ହେବାପରେ ସନ୍ଧ୍ୟାରେ ଝିିଅ ଘରର ପରିବାର ଓ ସମ୍ପର୍କୀୟ ମାନେ ଏକ ମିନିବସ ଯୋଗେ ବ୍ରହ୍ମପୁର ଯାଇ ହସଖୁସିରେ ଭୋଜି ଖାଇ ବିଳମ୍ବିତ ରାତିରେ ଫେରୁଥିବା ବେଳେ ରାତି ୧୨ ଘଣ୍ଟା ୪୫ ମିନିଟ ସମୟରେ ରାୟଗଡ଼ାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଦ୍ରୁତଗାମୀ ସରକାରୀ ବସ୍ ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ
ଖଣ୍ଡଦେଉଳି ଗ୍ରାମର ରମେଶ ପ୍ରଧାନ , ସୀତାରାମ ପ୍ରଧାନ , ତ୍ରିପତୀ ପ୍ରଧାନ ଏବଂ ରୂପାଲୀ ପ୍ରଧାନ , ଭଞ୍ଜନଗର ମୁଜାଗଡ ଗ୍ରାମର ସୁଜ୍ଞାନୀ ପ୍ରଧାନ , ୩ ବର୍ଷର ପୁଅ ଦେବାଶିଷ ଦେବଂଶୁ ପ୍ରଧାନ , ଶିବାନୀ ପ୍ରଧାନ , ୧ ବର୍ଷର ପୁଅ ହାର୍ଦ୍ଦିକ ପ୍ରଧାନ , ସଞ୍ଜୟ ମେଦିନୀ ରାୟ , ଗଡଗୋବିନ୍ଦପୁର ଗ୍ରାମର ସଙ୍ଗୀତା ଡାକୁଆ ଏବଂ ସିଙ୍ଗିପୁର ଗ୍ରାମର ଲିଟୁ ନାୟକଙ୍କ ମୃତ୍ୟୁ ହୋଇଥିଲା । ସେହି କାଳ ରାତ୍ରୀରେ ଦିଗପହଣ୍ଡି ପୋଲିସ ସମେତ ବ୍ରହ୍ମପୁର ସଦର ଥାନା ପୋଲିସ , ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ଓ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ନିୟୋଜିତ ରହି ଆହତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ତେବେ ଅପରାହ୍ନରେ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ମୃତକଙ୍କ ଶବ ସତ୍କାର ହୋଇଥିବା ବେଳେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ , ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା , ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭି . କିର୍ତ୍ତୀ ଭାସେନ , ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ଆସିକା ସାଂସଦ ପ୍ରମିଳା ବିଷୋୟୀ , ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା , ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା , କବିସୂର୍ଯ୍ୟ ନଗର ବିଧାୟକ ଲତିକା ପ୍ରଧାନ , ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ , ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା , ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ଯାଉ ପଟ୍ଟନାୟକ , ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଞ୍ଜଳୀ ସ୍ବାଇଁ , ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ , ତହସିଲଦାର ଶ୍ରୀନିବାସ ବେହେରା , ଆସିକା ଏସ୍ ଡିପିଓ ଉମାଶଙ୍କର ସିଂ , ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ , ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ପ୍ରମୁଖ ଉପସ୍ଥିତ ରହି ଶୋକସନ୍ତପ ପରିବାରକୁ ସମବେଦନା ଜଣାଇବା ସହ ଦୁଃଖ ପ୍ରକାଶ କରିଥିଲେ । ଏପଟେ ଏଭଳି ବିଦାରକ ଘଟଣା ପ୍ରଚାରିତ ପରେ ଟୁଇଟର ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି । ଏଥିସହ ମୃତକଙ୍କ ପରିବାର ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ପାଣ୍ଠିରୁ ମୃତକଙ୍କ ନିମନ୍ତେ ୨ ଲକ୍ଷ ଓ ଆହତଙ୍କ ଚିକିତ୍ସା ନିମନ୍ତେ ୩୦ ହଜାର ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଓ ଆହତଙ୍କ ନିମନ୍ତେ ୫୦ ହଜାର ଅନୁକମ୍ପା ସହାୟତା ରାଶି ଯୋଗାଇ ଦେବାପାଇଁ ଘୋଷଣା କରାଯାଇଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here