ଝିଅ ଛାଡି ଫେରୁଥିବା କନ୍ୟା ଯାତ୍ରୀ ବସକୁ ଧକ୍କା ଦେଲା ସରକାରୀ ବସ୍ : ୧୨ ମୃତ

0
181

ଗଂଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଖେମୁଣ୍ଡି ମହାବିଦ୍ୟାଳୟ ନିକଟରେ ରବିବାର ବିଳମ୍ବିତ ରାତିରେ ଝିଅ ଛାଡି ଫେରୁଥିବା କନ୍ୟା ଯାତ୍ରୀ ବସକୁ ବିପରୀତ ଦିଗରୁ ଆସୁଥିବା ଏକ ସରକାରୀ ବସ୍ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ , ଘଟଣାସ୍ଥଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ସମସ୍ତଙ୍କ ଘର ପାଟପୁର ଥାନା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବୋଲି ଜଣାପଡ଼ିଛି । ଖବରପ୍ରକାରେ , ରବିବାର ଦିନ ଖଣ୍ଡଦେଉଳି ଗ୍ରାମର ସ୍ବର୍ଗତ ଅଶୋକ ପ୍ରଧାନଙ୍କ ଝିଅ ବାହାଘର ରହିଥିବା ବେଳେ ମଧ୍ୟାହ୍ନରେ ବ୍ରହ୍ମପୁରରୁ ବର ପକ୍ଷ ଯାଇ ବାହାଘର ହୋଇଥିଲା । ବାହାଘର ସରିବା ପରେ ଝିଅ ବର ସହ ବ୍ରହ୍ମପୁର ଯାଇଥିଲେ । ସନ୍ଧ୍ୟାରେ କନ୍ୟା ପକ୍ଷରୁ ସାମାନ ଧରି ଏକ ମିନି ବସ୍ ( ଓ ଆର୍ ୧୦ ଏ ୬୮୭୫) ଯୋଗେ ବ୍ରହ୍ମପୁର ଯାଇଥିଲେ । ସେଠାରେ ଭୋଜି ଖାଇସାରି ବିଳମ୍ବିତ ରାତିରେ ଫେରୁଥିବା ବେଳେ ରାତି ୧୨ ଘଣ୍ଟା ୪୫ ମିନିଟ ସମୟରେ ରାୟଗଡ଼ାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଦ୍ରୁତଗାମୀ ସରକାରୀ ବସ୍ ( ଓଡି ୦୨ ବିଭି ୧୯୩୮) କନ୍ୟା ଯାତ୍ରୀ ବସକୁ ସମ୍ମୁଖ ପଟୁ ଧକ୍କା ଦେଇଥିଲା । ଯାହାଫଳରେ ମିନିବସଟି କିଛି ଦୂର ଘୋଷାଡି ହେବା ସହ ରାସ୍ତା ପାର୍ଶ୍ବରେ ଓଲଟି ପଡ଼ିଥିଲା । ଖବରପାଇ ଦିଗପହଣ୍ଡି ପୋଲିସ ସମେତ ବ୍ରହ୍ମପୁର ସଦର ଥାନା ପୋଲିସ , ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ଓ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ନିୟୋଜିତ ରହି ବସ୍ ଭିତରେ ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ତେବେ ଦିଗପହଣ୍ଡି ମେଡିକାଲରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ମୃତାହତଙ୍କ ମଧ୍ୟରେ ଦୁଇଜଣ ଛୋଟିଆ ଶିଶୁ ରହିଥିବା ସୂଚନା ମିଳିଛି । ତେବେ ଗ୍ରାମରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଘଟଣାସ୍ଥଳରେ ଦିଗପହଣ୍ଡି ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା , ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ , ଦିଗପହଣ୍ଡି ତହସିଲଦାର ସିପକ ପାତ୍ର , ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରା ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ । ଅପରପକ୍ଷରେ ବ୍ରହ୍ମପୁର ବଡ ମେଡିକାଲରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା , ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ . ଶ୍ରବଣ ବିବେକ ଏମ୍ ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକଣ୍ଣୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ଶୋକାକୁଳ ପରିବାରକୁ ସମବେଦନା ଜ୍ଞାପନ ଜଣାଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here